
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ୍ର କ୍ୟାବିନେଟ୍ ମନ୍ତ୍ରୀ ନବ୍ଜୋତ୍ ସିଂହ ସିଦ୍ଧୁଙ୍କ ମୁଣ୍ଡ କାଟ କଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ବଜରଙ୍ଗ ଦଳର ଜଣେ ନେତା ଘୋଷଣା କରିଛନ୍ତି । ସିଦ୍ଧୁ, ଇମ୍ରାନ୍ ଖାନ୍ଙ୍କ ଶପଥଗ୍ରହଣ ଉତ୍ସବର ଯୋଗ ଦେବାକୁ ପାକିସ୍ତାନ ଯାଇଥିବା ବେଳେ ସେହି ସମାରୋହରେ ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ବାଜ୍ୱାଙ୍କୁ ଆଲିଙ୍ଗନ କରିଥିଲେ। ସିଦ୍ଧୁଙ୍କ ଏଭଳି ଆଚରଣ ଯୋଗୁ ବଜରଙ୍ଗ ଦଳର ଜଣେ ନେତା ତାଙ୍କ ମୁଣ୍ଡ କାଟ ଭଳି ଚରମବାଣୀ ଶୁଣାଇଛନ୍ତି ।
ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ବଜରଙ୍ଗ ଦଳର ଆଗ୍ରା ଜିଲ୍ଲା ଅଧ୍ୟକ୍ଷ ସଞ୍ଜୟ ଜାଟ୍ ୫ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ୍ ଚେକ୍ ଧରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓରେ ସଞ୍ଜୟ କହୁଛନ୍ତି, ଯିଏ ସିଦ୍ଧୁଙ୍କର ମୁଣ୍ଡ କାଟି ଆଣି ତାଙ୍କୁ ଦେବ, ସିଏ ତାଙ୍କୁ ଏହି ୫ ଲକ୍ଷ ଟଙ୍କାର ଚେକ୍ ପୁରସ୍କାର ଦେବେ।
ଭିଡିଓରେ ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି ଯେ ନବ୍ଜୋତ୍ ସିଂ ସିଦ୍ଧୁ ବାଜ୍ୱାଙ୍କୁ ଆଲିଙ୍ଗନ କରି ହିନ୍ଦୁଙ୍କ ଆସ୍ଥା ଉପରେ କୁଠାରାଘାତ କରିଛନ୍ତି। ସିଦ୍ଧୁ ଗୁରୁ ଗୋବିନ୍ଦ ସିଂହଙ୍କ କଥା ଭୁଲି ଯାଇଛନ୍ତି। ଯେଉଁ ଶତ୍ରୁର ନିର୍ଦ୍ଦେଶରେ ଆମ ଯବାନ୍ ସହିଦ ହେଉଛନ୍ତି, ସେହି ଶତ୍ରୁଙ୍କୁ ଆଲିଙ୍ଗନ କରି ସିଦ୍ଧୁ ଅକ୍ଷମଣୀୟ ଅପରାଧ କରିଛନ୍ତି।
ଯଦି ସିଦ୍ଧୁ ଆଗ୍ରା ଆସନ୍ତି, ତେବେ ଜୋତା ଓ ଚପଲ୍ରେ ତାଙ୍କୁ ସ୍ୱାଗତ କରାଯିବ ବୋଲି ସଞ୍ଜୟ କହିଛନ୍ତି। ଏହା ସହିତ ପଞ୍ଜାବ ବିଧାନସଭାରୁ ସିଦ୍ଧୁଙ୍କ ସଭ୍ୟପଦ ରଦ୍ଦ କରିବା ସହ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିବାକୁ ସଞ୍ଜୟ ଏହି ଭିଡିଓରେ ଦାବି କରିଛନ୍ତି।
from Odisha Reporter https://ift.tt/2w1nXhj
No comments:
Post a Comment