
ବରଗଡ଼ (ଦୀପକ ଶର୍ମା): ଆଜି ହେଉଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ତାଙ୍କର କାଳଜୟୀ ଲେଖା ପାଇଁ ସମଗ୍ର ରାଜ୍ୟ ତାଙ୍କୁ ଦେଉଛି ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି। କେଉଁଠି ସଭାସମିତି ହୋଇଛି ତ ଆଉ କେଉଁଠି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ମାତ୍ର ଜନ୍ମପୀଠରେ ନିଆରା ଢଙ୍ଗରେ ସ୍ୱଭାବ କବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ ହୋଇଛି। ସମଗ୍ର ବରଗଡ଼ ଜିଲ୍ଲାରେ ଏକ ସଙ୍ଗେ ଅଢ଼େଇ ଲକ୍ଷ ସ୍କୁଲ ପିଲା ସ୍ଵଭାବକବିଙ୍କ ଦ୍ଵାରା ରଚିତ ୪ଟି ଗୀତକୁ ଗାଇ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି। ସେଥିମଧ୍ୟରୁ ଗୋଟିଏ ଗୀତ ହେଉଛି “ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ…”।
ସ୍ୱଭାବକବିଙ୍କ କାଳଜୟୀ ସାହିତ୍ୟ କୃତି ସମ୍ପର୍କରେ ପିଲାଙ୍କୁ ଅବଗତ କରାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଓଡ଼ିଆ ଭାଷାର ମହାକବି ଗଙ୍ଗାଧର ମେହେରଙ୍କର ଆଜି ହେଉଛି ୧୫୬ତମ ଜୟନ୍ତୀ। ୧୮୬୨ ମସିହା ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମାରେ ବରପାଲିରେ ଜନ୍ମ ଗ୍ରହଣ କରିଥିଲେ ସ୍ୱଭାବ କବି। ତାଙ୍କ ଲେଖନୀ ନିଃସୃତ ବହୁ କାଳଜୟୀ କାବ୍ୟ କବିତା ସମଗ୍ର ଓଡ଼ିଆ ଜାତିଙ୍କ ପାଇଁ ଅମୂଲ୍ୟ ସମ୍ପଦ ହୋଇ ରହିଛି।
କବିଙ୍କ ଜନ୍ମତିଥି ସାରା ରାଜ୍ୟରେ ପାଳିତ ହେଉଥିବା ବେଳେ ବରଗଡ଼ ଜିଲ୍ଲାରେ ଟିକେ ଭିନ୍ନ ଢଙ୍ଗରେ ପାଳିତ ହୋଇଛି।
ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଗଙ୍ଗାଧର ମେହେରଙ୍କ ଲିଖିତ ୪ଟି ଗୀତକୁ ସ୍ଥିର କରାଯାଇଥିଲା। ପରେ ସେହି ଗୀତ ଗୁଡ଼ିକୁ ପ୍ରତ୍ୟେକ ସ୍କୁଲକୁ ପଠା ଯାଇଥିଲା। ଜିଲ୍ଲାର ୨୦୦୦ ସ୍କୁଲରେ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ କବିଙ୍କ ରଚିତ ଏହି ୪ଟି କବିତା ଗାଇ ଥିଲେ। ସକାଳ ସାଢ଼େ ୮ଟାରେ ପ୍ରତ୍ୟେକ ସ୍କୁଲରେ ଏହି ଗୀତ ଗାନ କରାଯାଇଥିଲା। ଶିକ୍ଷା ବିଭାଗର ଏପରି ନିଷ୍ପତ୍ତିକୁ ବିଭିନ୍ନ ବର୍ଗ ସ୍ୱାଗତ କରିଛନ୍ତି ।
from Odisha Reporter https://ift.tt/2BM7dA4
No comments:
Post a Comment