
ନୂଆଦିଲ୍ଲୀ: ଜୈବ ଇନ୍ଧନରେ ଭାରତୀୟ ଆକାଶରେ ଉଡ଼ିଲା ବିମାନ। ଭାରତ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ଏ୍ୟତିହାସିକ ପଦକ୍ଷେପ ନିଆଯାଇଛି। ଜୈବ ଇନ୍ଧନରେ ଚାଲୁଥିବା ପ୍ରଥମ ସ୍ପାଇସ୍ଜେଟ୍ ବିମାନଟି ଡେରାଡୁନରୁ ଉଡ଼ାଣ ଆରମ୍ଭ କରି ଦିଲ୍ଲୀର ଇନ୍ଦିରାଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି।
୨୦ଜଣ ଯାତ୍ରୀଙ୍କ ସହ ବେସାମରିକ ବିମାନ ଚଳାଚଳ ବିଭାଗ ଓ ସ୍ପାଇସ୍ଜେଟ୍ର କର୍ମଚାରୀମାନେ ଏହି ବିମାନରେ ଉପସ୍ଥିତ ଥିଲେ। ଡେରାଡୁନରୁ ଉଡ଼ାଣ ଭରିଥିବା ଏହି ବିମାନଟି ପ୍ରାୟ ୨୫ ମିନିଟ୍ ପରେ ଦିଳ୍ଲୀରେ ଅବତରଣ କରିଥିଲା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୀତୀନ ଗଡକରୀ,ସୁରେଶ ପ୍ରଭୁଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।
ପୂର୍ବରୁ ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଜୈବ ଇନ୍ଧନ ପଲିସି ଘୋଷଣା କରିଥିଲେ। ଏହାସହ ତାଳ ଦେଇ ବିମାନରେ ଜୈବ ଇନ୍ଧନ ବ୍ୟବହାର କରାଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ଏହି ଅବସରରେ ଜୈବ ଡିଜେଲ୍ ଓ ଇଥାନଲ୍ ଉପରେ ଜିଏସ୍ଟି ହ୍ରାସ କରାଯାଇଥିବା ଧର୍ମେନ୍ଦ୍ର ସୂଚନା ଦେଇଥିଲେ।

ସ୍ପାଇସ୍ଜେଟ୍ ପକ୍ଷରୁ ପରୀକ୍ଷାମୂଳକ ଭାବେ ୭୨ ସିଟ୍ ବିଶିଷ୍ଟ ଏହି ବିମାନର ଉଡ଼ାଣ କରାଯାଇଥିଲା। ବିମାନରେ ୭୫ ପ୍ରତିଶତ ଟର୍ବାଇନ୍ ଓ ୨୫ ପ୍ରତିଶତ ଜୈବ ଇନ୍ଧନ ବ୍ୟବହାର କରାଯାଇଥିଲା। ବିମାନରେ ବ୍ୟବହାର କରାଯାଇଥିବା ଇନ୍ଧନକୁ ଡେରାଡୁନ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ର ସହାୟତାରେ ଜାଟ୍ରୋଫା ତୈଳରୁ ପ୍ରସ୍ତୁତ କରାଯାଇଛି।
ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ଉଡ଼ାଣ ସଫଳ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ସରକାର ଓ ବିମାନ କର୍ତ୍ତୃପକ୍ଷ। ଏହାଦ୍ୱାରା ପାରମ୍ପରିକ ବିମାନ ଇନ୍ଧନ ଉପରେ ଥିବା ଚାହିଦା ପ୍ରାୟ ୫୦ପ୍ରତିଶତ ହ୍ରାସ ପାଇବ ଓ ଆନ୍ତର୍ଜାତିକ ବଜାରରେ ବିମାନ ଟିକଟଦର ମଧ୍ୟ କମିବ ବୋଲି ସ୍ପାଇସ୍ଜେଟ୍ର ଜଣେ ଅଧିକାରୀ କହିଛନ୍ତି।
ତେବେ ଭାରତ ପୂର୍ବରୁ ଆମେରିକାର ଓ ଅଷ୍ଟ୍ରେଲିଆରେ ସଫଳତାର ସହ ଜୈବ ଇନ୍ଧନକୁ ବ୍ୟବସାୟିକ ବିମାନରେ ବ୍ୟବହାର କରାଯାଇଛି।
from Odisha Reporter https://ift.tt/2MyKADT
No comments:
Post a Comment