ଚିଲିକାରେ ୱାଟର ଏରୋଡ୍ରମ: ବିଜେଡିର ଚତୁର ରାଜନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଚିଲିକାରେ ୱାଟର ଏରୋଡ୍ରମ: ବିଜେଡିର ଚତୁର ରାଜନୀତି

ଭୁବନେଶ୍ୱର : ଚିଲିକାରେ ୱାଟର ଏରୋଡ୍ରମ୍ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ବିଜେଡିରେ ରାଜନୀତି ଆରମ୍ଭ ହୋଇଯାଇଛି। ପୁରୀ ଜିଲ୍ଲାର ଦୁଇଜଣ ପ୍ରଭାବଶାଳୀ ବିଜେଡି ନେତା ଚିଲିକାରେ ଏହି ଏରୋଡ୍ରମ୍ ନିର୍ମାଣ ପ୍ରସ୍ତାବକୁ ଖୋଲାଖୋଲି ବିରୋଧ କରିଥିବାବେଳେ ଦଳର ମୁଖପାତ୍ର କିନ୍ତୁ ସାପ ମରିବନି କି ବାଡ଼ି ଭାଙ୍ଗିବନି ଭଳି ମନ୍ତବ୍ୟ ଦେଉଛନ୍ତି।

ଏହି ପ୍ରକଳ୍ପକୁ ଦଳ ବିରୋଧ ନା ସମର୍ଥନ କରୁଛି, ସେ ନେଇ ମଧ୍ୟ ବିଜେଡି ମୁଖପାତ୍ର ସ୍ପଷ୍ଟ ମତ ରଖିବାରେ ସକ୍ଷମ ହୋଇନାହାନ୍ତି। ଅପରପକ୍ଷରେ ଏହି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବର ତର୍ଜମା ଆଳରେ ଦଳ ମାପିଚୁପି ବୟାନ ଦେଇ ନିଜ ଦଳର ଦୁଇ ବରିଷ୍ଠ ନେତା- ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧକୁ ବି ବାଏଁବାଏଁ ଉଡ଼ାଇ ଦେଇଛି।

ଦଳର ମୁଖପାତ୍ର ସସ୍ମିତ ପାତ୍ର ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚିଲିକା ଏକ ସମ୍ବେଦନଶୀଳ ବିଷୟ। ଚିଲିକାର ଜୈବ ବିବିଧତା ଓ ଜୈବ ପରିବେଶକୁ ନେଇ ଚିନ୍ତିତ ହେବା ସ୍ୱାଭାବିକ। ତେବେ ୱାଟର ଏରୋଡ୍ରମ୍ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବର ତଜର୍ମାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

” ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କଠୁ ପ୍ରକଳ୍ପ ରିପୋର୍ଟ ଆସିନି। ପ୍ରକଳ୍ପ ନିର୍ମାଣ ହେଲେ ଚିଲିକାର ଜୈବ ପରିବେଶ ପ୍ରଭାବିତ ହେବ କି ନାହିଁ, କେତେ ଜମି ଓ ଜଳଭାଗ ଉପଯୋଗ ହେବ, ଚିଲିକାର ପକ୍ଷୀ ଅଭୟାରଣ୍ୟ କୌଣସି କ୍ଷତିଗ୍ରସ୍ତ ହେବ କି ନାହିଁ ତାକୁ ତର୍ଜମା କରାଯିବାର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପର ହେଉଛି ରାଜନୀତିକ ନୁହେଁ ବରଂ ବୈଜ୍ଞାନିକ ବିଷୟ। ସବୁ ରିପୋର୍ଟ ମିଳିବା ପରେତାକୁ ତର୍ଜମା କରାଯିବା ପରେ ହିଁ ଦଳ ତା’ର ନିଷ୍ପତ୍ତି ନେବ” ବୋଲି ଶ୍ରୀ ପାତ୍ର କହିଛନ୍ତି।

ହଠାତ୍ ଏହାକୁ ଦଳ ସ୍ୱାଗତ କରିବାର ସମ୍ଭାବନା ନାହିଁ। ସ୍ଥାନୀୟ ନେତାମାନେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଓ ତର୍ଜମାର ଆବଶ୍ୟକତା ଅଛି ବୋଲି କହିବା ସଙ୍ଗେସଙ୍ଗେ ଦଳ ମଧ୍ୟ ସମାନ ବିଚାରଧାରା ବ୍ୟକ୍ତ କରୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ଗତକାଲି ମଧ୍ୟ ଦଳର ଅନ୍ୟତମ ମୁଖପାତ୍ର ମାନସ ମଙ୍ଗରାଜ ସମାନ କଥା ଦୋହରାଇ ଏହି ଦୁଇ ବରିଷ୍ଠ ନେତାଙ୍କ ବୟାନଠୁ ଭିନ୍ନ ମତ ପୋଷଣ କରିଥିଲେ।

ତେବେ ଗତକାଲି ଦଳର ସାଧାରଣ ସମ୍ପାଦକ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଚିଲିକାରେ ଏରୋଡ୍ରମ ନିର୍ମାଣ ପ୍ରକଳ୍ପକୁ ଖୋଲାଖୋଲି ବିରୋଧ କରି କହିଥିଲେ ଯେ, ଏଭଳି ପ୍ରକଳ୍ପର ପରିକଳ୍ପନା କରି କେନ୍ଦ୍ର ସରକାର ଚିଲିକାକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି।

ଚିଲିକା ଜୈବ ବିବିଧତାର ଏକ ବିରାଟ ଉତ୍ସ। ଏଠାକୁ ବିଦେଶାଗତ ପକ୍ଷୀ ଆସୁଛନ୍ତି। ନଳବଣକୁ ପକ୍ଷୀ ଅଭୟାରଣ୍ୟର ମାନ୍ୟତା ମିଳିଛି। ଡଲଫିନ୍ ବି ରହୁଛନ୍ତି। ପର୍ଯ୍ୟଟନର ବିକାଶ ଆଳରେ ଏଭଳି ଏକ ସ୍ଥାନରେ ୱାଟର ଏରୋଡ୍ରମ୍ ନିର୍ମାଣ କରାଗଲେ ସମସ୍ତ ପ୍ରାକୃତିକ ସନ୍ତୁଳନ ହରାଇବାର ଆଶଙ୍କା ରହିଛି। ୨ଲକ୍ଷ ମତ୍ସ୍ୟଜୀବୀ ବି ଜୀବିକା ହରାଇବେ। ତେଣୁ ଏହି ପ୍ରକଳ୍ପକୁ କଡ଼ା ବିରୋଧ କରାଯିବ। ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ବିରୋଧ ଜଣାଇବେ ବୋଲି ଶ୍ରୀ ଦାସବର୍ମା କହିଥିଲେ।

ସେହିପରି ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରି କହିଥିଲେ ଯେ ଚିଲିକାର ଜୈବ ବିବିଧତାକୁ ପ୍ରଭାବିତ କରିବା ଭଳି କୌଣସି ପ୍ରକଳ୍ପ ହେବା ଅନୁଚିତ୍। ଜୈବ ବିବିଧତାର ଉତ୍ସ ଚିଲିକାକୁ ପ୍ରଭାବିତ କରି ବିମାନ ଉଡ଼ାଇବାର କିଛି ଆବଶ୍ୟକ ନାହିଁ।

ଏବେ ପ୍ରଶ୍ନ ଉଠୁଛି , ଦଳର ଦୁଇ ବରିଷ୍ଠ ନେତା ଶ୍ରୀ ଦାସବର୍ମା ଓ ଶ୍ରୀ ମହାନ୍ତି ଚିଲିକାରେ ୱାଟର ଏରୋଡ୍ରମ୍ ପ୍ରକଳ୍ପକୁ ଖୋଲା ବିରୋଧ କରୁଥିବାବେଳେ ବିଜେଡି ମୁଖପାତ୍ର କାହା ଇସାରାରେ ତଥା କେଉଁ ଉଦ୍ଦେଶ୍ୟରେ ଏଭଳି ମାପିଚୁପି ବୟାନ ଦେଉଛନ୍ତି ତାହା ବୁଝାପଡ଼ୁନି।

ଦଳର ଜଣେ ସାଧାରଣ ସମ୍ପାଦକ ତଥା ପ୍ରଭାବଶାଳୀ ନେତା ଏବଂ ଜଣେ ବରିଷ୍ଠ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତିଙ୍କ ମତକୁ ବିରୋଧ କରି ଦୁଇ ମୁଖପାତ୍ର ଏଭଳି ବୟାନ ଦେଇ ଦଳରେ ଏକ ଅସ୍ୱାଭାବିକ ପରିବେଶ ସୃଷ୍ଟି ହୋଇଛି। ତେବେ ବିଜେଡି ନେତୃତ୍ଵ ଜାଣିଶୁଣି ଏଭଳି ଗୋଳିଆମିଶା ମତ ସାଧାରଣରେ ରଖି ଦୁଇ ଆଡକୁ ବାଟ ଖୋଲା ରଖିବାର ଚତୁର ରାଜନୀତି କରୁଛି ବୋଲି କୁହାଯାଉଛି।



from OdishaReporter https://ift.tt/2nzO6z4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages