ଶତ୍ରୁ ଗୁଳିରେ ଲହୁଲୁହାଣ ହୋଇ ମଧ୍ୟ ପାହାଡ଼ର ଛାତି ଉପରେ ତ୍ରିରଙ୍ଗା ଉଡ଼ାଇଥିଲେ ମନୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଶତ୍ରୁ ଗୁଳିରେ ଲହୁଲୁହାଣ ହୋଇ ମଧ୍ୟ ପାହାଡ଼ର ଛାତି ଉପରେ ତ୍ରିରଙ୍ଗା ଉଡ଼ାଇଥିଲେ ମନୋଜ

ଲକ୍ଷ୍ନୋ: ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ଶାମ୍‌ ମାନେକ୍ସ ଥରେ କହିଥିଲେ ‘ଯଦି କେହି ଜଣେ କହେ ‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ, ତେବେ ସେ ମିଛ କହୁଥିବ କିମ୍ବା ଜଣେ ଗୋର୍ଖା ହୋଇଥିବ’। ଫିଲ୍ଡ ମାର୍ଶାଲଙ୍କ ସେହି ବାଣୀ କାହା ପାଇଁ ଏକ ସଂଳାପ ହୋଇପାରେ କିନ୍ତୁ ଏକଥାକୁ  ପ୍ରମାଣିତ କରିଥିଲେ କ୍ୟାପ୍ଟେନ୍‌ ମନୋଜ୍‌ କୁମାର ପାଣ୍ଡେ।

ହଁ ଆମେ ସେହି ପରାକ୍ରମୀ ବୀର ଓ ମାତୃଭୂମି ପାଇଁ ସହିଦ୍‌ ହୋଇଥିବା ମନୋଜ୍‌ କୁମାର ପାଣ୍ଡେଙ୍କ କଥା କହୁଛେ। ଯାହାଙ୍କୁ ଏନ୍‌ଡିଏ(ନ୍ୟାଶନାଲ ଡିଫେନ୍ସ ଏକାଡେମି) ଇଣ୍ଟର୍ଭ୍ୟୁରେ ପଚରାଯାଇଥିଲା ସେନାରେ ଯୋଗ ଦେବାକୁ ଇଚ୍ଛା କାହିଁକି ? ମନୋଜ୍‌ ପୁରା ସାହସ ଓ ଦମ୍‌ର ସହ କହିଥିଲେ ମୋର ସ୍ୱପ୍ନ ‘ପରମବୀର ଚକ୍ର’। ଆଉ ଏଇଠୁଁ ହିଁ ଆରମ୍ଭ ହୋଇଥିଲା ମନୋଜ୍‌ଙ୍କ ସେନାବାହିନୀର ଯାତ୍ରା।

ଜୀବିତ ଅବସ୍ଥାରେ ନହେଲେ ମଧ୍ୟ ମୃତ୍ୟୁ ପରେ ସେ ମରଣୋତ୍ତର ‘ପରମବୀର ଚକ୍ର’ରେ ଭୂଷିତ ହୋଇଥିଲେ। ମନୋଜ୍‌ଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି କେମିତି ଦାଉ ଦାଉ ହୋଇ ଜଳୁଥିଲା ତାହା ସେ ଲେଖିଥିବା ଏକ ଉକ୍ତିରୁ ପ୍ରମାଣିତ ହୁଏ।

ସେ ଲେଖିଥିଲେ ଯେ, ‘ଯଦି ମୃତ୍ୟୁ ଆସି ମୋତେ ଆକ୍ରମଣ କରେ ତେବେ ମୃତ୍ୟୁକୁ ବି ମୁଁ ମାତ୍‌ ଦେଇଦେବି।’

କାର୍ଗିଲ ଯୁଦ୍ଧରେ ଅସୀମ ବୀରତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ଭାରତର ସର୍ବୋଚ୍ଚ ବୀରତାର ପଦକ ‘ପରମବୀର ଚକ୍ର’ ପ୍ରଦାନ କରାଯାଇଥିଲା।

ମନୋଜ ପାଣ୍ଡେଙ୍କ ଜନ୍ମ ୧୯୭୫ମସିହା ଜୁନ ୨୫ରେ ଉତ୍ତରପ୍ରଦେଶର ସୀତାରପୁର ଜିଲ୍ଲା ରୁଧା ଗାଁରେ ହୋଇଥିଲା। ମନୋଜଙ୍କ ଗାଁ ନେପାଳ ସୀମାରେ ଅବସ୍ଥିତ।

ମନୋଜଙ୍କ ବାପାଙ୍କ ନାମ ଗୋପିଚାନ୍ଦ ପାଣ୍ଡେ ଓ ମା’ଙ୍କ ନାମ ମୋହିନୀ। ମନୋଜଙ୍କ ପାଠପଢ଼ା ଲକ୍ଷ୍ନୌର ସୈନିକ ସ୍କୁଲରେ ହୋଇଥିଲା। ଯେଉଁଠି ସେ ଅନୁଶାସନ ଓ ଦେଶପ୍ରେମର ପାଠ ପଢିଥିଲେ। ପିଲାବେଳୁ କୁସ୍ତି ଏବଂ ବକ୍ସିଂରେ ଓସ୍ତାଦ ଥିଲେ ମନୋଜ୍‌।

ପୁଣେର ଖଡ଼କଭାସଲା ସ୍ଥିତ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ ମନୋଜ। ସେଠାରେ ଟ୍ରେନିଂ ସରିବା‍ ପରେ ‘୧୧ ଗୋର୍ଖା ରାଇଫଲ୍‌ ରେଜିମେଣ୍ଟ’ର ଫାଷ୍ଟ ବାଟାଲିୟନ୍‌ରେ ଯୋଗ ଦେଇଥିଲେ।

କାର୍ଗିଲ ଯୁଦ୍ଧ ସମୟରେ ସୀମାରେ ଯୁଦ୍ଧ ପରିସ୍ଥିତି ଜଟିଳ ଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ସମସ୍ତ ସୈନ୍ୟ ଓ  ସେନା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିଲା। ସେ ସମୟରେ ୨୪ ବର୍ଷୀୟ କ୍ୟାପ୍ଟେନ ମନୋଜ ପାଣ୍ଡେଙ୍କୁ କାର୍ଗିଲର ‘ଜୁବର ଟପ୍‌’କୁ କବ୍‌ଜା କରିବାର ଦାୟିତ୍ୱ ଦିଆଯାଇଥିଲା।

ହାଡ଼ଭଙ୍ଗା ଶୀତ ଏବଂ ଯୁଦ୍ଧର ଭୟାବହତା ସତ୍ତ୍ୱେ ମନୋଜ ହାରି ଯାଇ ନ ଥିଲେ। ଦେଶ ମାଟି ପାଇଁ ସେବା କରିବାର ପଣ ତାଙ୍କୁ ଅଦମ୍ୟ ସାହସ ଯୋଗାଇ ଦେଇଥିଲା। ଯୁଦ୍ଧ ସମୟରେ ତାଙ୍କର ପ୍ରତିଟି ଅଭିଜ୍ଞତାକୁ ସେ ଏକ ଡାଏରିରେ ଲେଖୁଥିଲେ। ଦେଶ ପ୍ରତି ତାଙ୍କର ଭଲପାଇବା କେତେ ଗଭୀର ଓ ନିବିଡ଼ ଥିଲା ତାହା ତାଙ୍କ ଲେଖାରୁ ହିଁ ବାରି ହେଉଥିଲା।  ସେ ତାଙ୍କ ଡାଏରିରେ ଲେଖିଛନ୍ତି, ‘ମୋ ଭିତରେ ଥିବା ଶୌର୍ଯ୍ୟ ଓ ଶକ୍ତି ପ୍ରମାଣିତ କରିବା ପୂର୍ବରୁ ଯଦି ମୃତ୍ୟୁ ଆସି ମୋତେ ଆକ୍ରମଣ କରେ, ତେବେ ମୃତ୍ୟୁକୁ ବି ମୁଁ ଛାଡ଼ିବିନି।’

୩ ଜୁଲାଇ ୧୯୯୯। ଏହି ଦିନଟି ମନୋଜଙ୍କ ପାଇଁ ଥିଲା ଅଶୁଭ। ଖାଲୋବର୍‌ ଘାଟିରେ ଶତ୍ରୁ ସହ ଲଢ଼େଇ ବେଳେ ମନୋଜ୍‌ଙ୍କ କାନ୍ଧରେ ବାଜିଥିଲା ଗୁଳି। ଆଉ ଘଟଣାସ୍ଥଳରେ ମନୋଜଙ୍କ ୪ ସହଯୋଗୀ ମଧ୍ୟ ପାକ୍‌ ସୈନ୍ୟଙ୍କ ଗୁଳିରେ ଟଳିପଡ଼ିଥିଲେ।

ଏହି ଲଢ଼େଇରେ ମନୋଜ ଲହୁଲୁହାଣ ହୋଇ ଯାଇଥିଲେ ମଧ୍ୟ ବିଚଳିତ ନଥିଲେ। ବରଂ କ୍ଷତାକ୍ତ ଓ ରକ୍ତାକ୍ତ ଅବସ୍ଥାରେ ସେ ଧୀରେ ଧୀରେ ଶତ୍ରୁପକ୍ଷଙ୍କ ଆଡ଼କୁ ମାଡ଼ିଚାଲିଥିଲେ। ଏହାରି ଭିତରେ ସେ ଶେଷ ତଥା ଚତୁର୍ଥ ବଙ୍କର୍ ପାର କରି ପାହାଡ଼ର ଛାତି ଉପରେ ତ୍ରିରଙ୍ଗା ଉଡ଼ାଇଥିଲେ। କିନ୍ତୁ ସେଇଠି ହିଁ ମନୋଜ ଟଳିପଡ଼ିଥିଲେ। ମୃତ୍ୟୁ ପାଖରେ ହାରିଯାଇଥିଲେ ମନୋଜ। ଗୁଳିବାଜି ଗୁରୁତର ହୋଇଥିବା ମନୋଜଙ୍କ ପ୍ରବଳ ରକ୍ତସ୍ରାବ ଯୋଗୁ ମୃତ୍ୟୁ ଘଟିଥିଲା।

କିନ୍ତୁ ଯିବା ବେଳେ ଅନ୍ତିମ ସମୟରେ ନେପାଳି ଭାଷାରେ କିଛି କହିଯାଇଥିଲେ ମନୋଜ। ଯାହା ଶୁଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ। ସେହି ଶବ୍ଦଟି ହେଉଛି ‘ନା ଛୋଡ଼ନ।’ ଯାହାର ଅର୍ଥ ହେଉଛି କାହାକୁ ବି ଛାଡ଼ିବା କଥା ନୁହଁ।

ଯେତେବେଳେ କ୍ୟାପ୍ଟେନ୍‌ ମନୋଜଙ୍କ ମରଶରୀର ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଲା,ସାରା ସହର ନିରବି ଯାଇଥିଲା। ସମସ୍ତେ ସ୍ତବ୍‌ଧ ହୋଇଯାଇଥିଲା। ଦେଶ ପାଇଁ ଜୀବନକୁ ବାଜି ଲଗାଇ ସହିଦ ହୋଇଥିବା ମନୋଜଙ୍କୁ ଭାରତ ସରକାର ମରଣୋତ୍ତର ଭାବେ ପରମବୀର ଚକ୍ରରେ ସମ୍ମାନିତ କରିଥିଲେ।



from Odisha Reporter https://ift.tt/2BLrXI7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages