
ଭୁବନେଶ୍ୱର : ସାଢ଼େ ୩ମାସ ପରେ ବି ପିସିସି କମିଟି ଗଢ଼ିବାରେ ସକ୍ଷମ ହୋଇନଥିବା ନିରଞ୍ଜନ ପଟ୍ଟନାୟକ ଏବେ କୁଆଡ଼େ ପ୍ରବଳ ଚାପରେ ବୋଲି ଚର୍ଚ୍ଚା।
ଶୁଣିବାକୁ ମିଳୁଛି, କଂଗ୍ରେସକୁ ଜୀବନ୍ୟାସ ଦେଇ ସେ ବିଜେଡିକୁ କଡ଼ା ମୁକାବିଲା ଦେବାକୁ ଚାହୁଁଥିବାବେଳେ ତାଙ୍କର କଳାକୁ କୁଆଡ଼େ ଅନ୍ୟ ନେତାମାନେ ହରଣ କରିନେଉଛନ୍ତି। ନିରଞ୍ଜନ କୁଆଡ଼େ ଏବେ ଦଳର ଅନ୍ୟ ପ୍ରଭାବଶାଳୀ ଗୋଷ୍ଠୀର ନେତାମାନଙ୍କ ନିୟନ୍ତ୍ରଣରେ।
ଯେଉଁଥିପାଇଁ ସିଏ କୁଆଡ଼େ ତାଙ୍କ ସହ ଦୀର୍ଘବର୍ଷ ଧରି ତାଙ୍କର ସୁବିଧାଅସୁବିଧାରେ ରହିଥିବା ନେତାମାନଙ୍କୁ ଅଣଦେଖା କରିବାକୁ ବାଧ୍ୟ ହେଉଛନ୍ତି।
ଚର୍ଚ୍ଚା ହେଉଛି, ପିସିସି କମିଟି ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କିଛି ନେତା କେଁ ପୂରାଇବା ଯୋଗୁ ତାହା କୁଆଡ଼େ କଂଗ୍ରେସ ହାଇକମାଣ୍ଡଙ୍କ ଅନୁମୋଦନ ପାଉନି। ଆହୁରି ମଧ୍ୟ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ୫୦ଟି ଆସନ ପାଇଁ ଟିକେଟ୍ ଘୋଷଣା ହେବ ବୋଲି ନିରଞ୍ଜନ କହିଥିଲେ।
ଚର୍ଚ୍ଚା ହେଉଛି, ନିରଞ୍ଜନ ଯେଉଁ ନେତାମାନଙ୍କୁ ଆଗୁଆ ଟିକେଟ୍ ଦେବାକୁ ଚାହୁଁଛନ୍ତି ତା’ର ତାଲିକା ସେ ପ୍ରସ୍ତୁତ କରିଥିଲେ ମଧ୍ୟ ଦଳର ଅନ୍ୟଜଣେ କାର୍ଯ୍ୟକାରୀ ସଭାପତି କୁଆଡ଼େ ସମାନ୍ତରାଳ ଭାବେ ନିଜର ସମର୍ଥକଙ୍କୁ ଟିକେଟ୍ ଦେବା କଥା ଚିନ୍ତା କରୁଛନ୍ତି।
ହାଇକମାଣ୍ଡଙ୍କ ଅନୁମୋଦନ ପାଇ ଯାଇଥିବା ପିସିସି କମିଟି ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କମିଟିରେ କୁଆଡ଼େ ନିଜର ଲୋକମାନଙ୍କୁ ବିଶେଷ ଥଇଥାନ କରିବାରେ ନିରଞ୍ଜନ ସକ୍ଷମ ହୋଇନାହାନ୍ତି।
ଦଳର ଅନ୍ୟ ନେତାଙ୍କ ଚାପରେ ସିଏ କୁଆଡ଼େ ନିଜର କିଛି ଅନୁଗତଙ୍କୁ ଅଣଦେଖା କରିବାକୁ ବାଧ୍ୟ ହୋଇଛନ୍ତି। ଏବେ ଟିକେଟ୍ ବଣ୍ଟନରେ ବି ସେଭଳି ଚାପ ପଡ଼ୁଥିବାରୁ ନିରଞ୍ଜନ କୁଆଡ଼େ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି।
କେଉଁ ନେତାମାନେ କେଉଁଠି ଟିକେଟ୍ ନେବେ ତାହା କୁଆଡ଼େ ଜଣେ କାର୍ଯ୍ୟକାରୀ ସଭାପତି ନିଷ୍ପତ୍ତି ନେଉଛନ୍ତି ଓ ସେଇଥିପାଇଁ ନିଜ ଘରକୁ ନେତାମାନଙ୍କୁ କୁଆଡ଼େ ଡକାଇ ପଠାଉଛନ୍ତି।
ଶୁଣିବାକୁ ମିଳୁଛି, କାଳେ ପୁଣିଥରେ ପିସିସି ସଭାପତି ପରିବର୍ତ୍ତନର ସ୍ୱର ଉଠିବ, ସେହି ଭୟରେ ନିର୍ବାଚନ ପର୍ଯ୍ୟନ୍ତ ନିଜକୁ ଚାପିଚୁପି ରଖିବାକୁ ସେ ଚାହୁଁଛନ୍ତି। ଦଳର ୩ରୁ ୪ଜଣ ନେତା କୁଆଡ଼େ ଏବେ ଏଆଇସିସିକୁ ପ୍ରଭାବିତ କରି ନିଜ ନିଜର ସମର୍ଥକଙ୍କୁ ବିଭିନ୍ନ କମିଟି ଓ ଟିକେଟ୍ ଦେବା ପାଇଁ ଯୋଜନା କରୁଥିବାରୁ ନିରଞ୍ଜନ ନିଜକୁ ଅସହାୟ ମଣିଲେଣି।
ଖାସ୍ ଏଇଥିପାଇଁ ଦଳ ମଧ୍ୟରେ କମ ଓ ଗଣମାଧ୍ୟମ ଓ ସୋଶାଲ ମିଡିଆରେ ଅଧିକ ସକ୍ରିୟ ରହିବାକୁ ନିରଞ୍ଜନ ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା।
from OdishaReporter https://ift.tt/2nwkjay
No comments:
Post a Comment