ରାଜ୍ୟସଭା ଗଣିତ ବଦଳେଇ ଦେଲା ବିଜେଡି: ଉପାଧ୍ୟକ୍ଷ ନିର୍ବାଚନରେ ଜିତିବେ କାହା ପ୍ରାର୍ଥୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ରାଜ୍ୟସଭା ଗଣିତ ବଦଳେଇ ଦେଲା ବିଜେଡି: ଉପାଧ୍ୟକ୍ଷ ନିର୍ବାଚନରେ ଜିତିବେ କାହା ପ୍ରାର୍ଥୀ?

ଭୁବନେଶ୍ୱର/ନୂଆଦିଲ୍ଲୀ (ପ୍ରକାଶ ସେଠୀ): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଶେଷରେ କଂଗ୍ରେସ ନିଜର ସାଂସଦ ବିକେ ହରିପ୍ରସାଦଙ୍କୁ ବିରୋଧୀ ମେଣ୍ଟର ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।

ଏନ୍‌ସିପି ସାଂସଦ ବନ୍ଦନା ଚୌହାନଙ୍କୁ ବିରୋଧୀ ମେଣ୍ଟର ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ, ନବୀନ ପଟ୍ଟନାୟକଙ୍କ ବିଜେଡି ସମର୍ଥନ ଦେବାକୁ ଅନିଚ୍ଛା ପ୍ରକାଶ କରିବା ପରେ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ନିଜର ପ୍ରାର୍ଥୀଙ୍କୁ ଦୌଡ଼ରୁ ଓହରାଇ ନେଇଛନ୍ତି।

ଶରଦ ପାୱାରଙ୍କ ୟୁ-ଟର୍ଣ୍ଣ ପରେ ଗତକାଲି ରାତିରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିଲା। ବିକେ ହରିପ୍ରସାଦଙ୍କୁ ବିରୋଧୀ ମେଣ୍ଟର ପ୍ରାର୍ଥୀ କରିବା ପାଇଁ ଏବେ ୟୁପିଏର ଅନ୍ୟ ସହଯୋଗୀ ଦଳଙ୍କ ସହ ସହ ଚର୍ଚ୍ଚା ଚାଲିଛି।

ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ଶ୍ରୀ ହରିପ୍ରସାଦ ଓ ଏନ୍‌ଡିଏ ମେଣ୍ଟର ପ୍ରାର୍ଥୀ ଭାବେ ଜେଡିୟୁର ହରିବଂଶ ନାରାୟଣ ସିଂହ, ଆଜି ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି।

ଗୋଟିଏ ସୂତ୍ର ଅନୁସାରେ, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ତାଙ୍କ ଦଳର ସାଂସଦ ‘ବନ୍ଦନା ଚୌହାନ’ଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ।

ମାତ୍ର ନବୀନ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ସଙ୍କେତ ଦେବାପରେ, ଶରଦ ବନ୍ଦନାଙ୍କୁ ନିର୍ବାଚନ ଦୌଡ଼ରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ।

ଯଦିଓ ଶିବସେନା ନିଜର ୩ ଜଣ ସାଂସଦଙ୍କ ସମର୍ଥନ ଏନ୍‌ସିପି ପ୍ରାର୍ଥୀଙ୍କୁ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା, ମାତ୍ର ବିଜେଡିର ୯ ଜଣ ସାଂସଦଙ୍କ ସମର୍ଥନ ଏନ୍‌ଡିଏ ମେଣ୍ଟର  ପ୍ରାର୍ଥୀ ସପକ୍ଷରେ ଯିବାର ସମ୍ଭାବନା ଥିବା ଦେଖି, ଶ୍ରୀ ପାୱାର ଏହି ଦୌଡ଼ରୁ ଓହରି ଯିବା ଉଚିତ ମନେ କଲେ।

ଏପଟେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ହରିପ୍ରସାଦ କହିଛନ୍ତି ଯେ, ଦଳ ବହୁ ଚିନ୍ତା କରିବା ପରେ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ବିରୋଧୀ ମେଣ୍ଟର ସମସ୍ତ ଦଳ ସହ ଏ ସମ୍ପର୍କରେ ଆଲୋଚନା ଚାଲିଛି।

ସୂତ୍ର ଅନୁସାରେ, ଏଆଇଡିଏମ୍‌କେ (୧୩ ଜଣ ସାଂସଦ), କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ (୬ ଜଣ ସାଂସଦ) ଓ ନବୀନ ପଟ୍ଟନାୟକଙ୍କ ବିଜେଡି (୯ ଜଣ ସାଂସଦ)ର ସମର୍ଥନ ମିଳିବ ବୋଲି ପ୍ରତିଶ୍ରୁତି ମିଳିବା ପରେ, ଏନ୍‌ଡିଏ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ୧୨୩ଟି ଭୋଟ୍ ପଡ଼ିବା ସ୍ପଷ୍ଟ ହୋଇଯାଇଛି।

ଆଜି ଅକାଳୀ ଦଳ ମଧ୍ୟ ଏନ୍‌ଡିଏ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଉଲ୍ଲେଖନୀୟ ଘଟଣାକ୍ରମରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ଆଜି ସଂସଦ ଭବନରେ ବିଜେଡି ସାଂସଦମାନଙ୍କୁ ଭେଟି ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ ୱାଇଏସ୍ଆର କଂଗ୍ରେସ ଆଜି ଏନ୍‌ଡିଏ ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେବ ବୋଲି ଘୋଷଣା କରିସାରିଛି।

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଗୋଟିଏ ସିଟ୍ ଫାଙ୍କା ରହିଛି। ତେଣୁ ବିଜୟୀ ହେବା ପାଇଁ ପ୍ରାର୍ଥୀଙ୍କୁ ୧୨୩ ଜଣ ସଦସ୍ୟଙ୍କ ଭୋଟ୍ ଜରୁରୀ।

ବିରୋଧୀ କଂଗ୍ରେସ ପାଖରେ ଏବେ ଟିଡିପି, ଆପ୍ , ପିଡିପି ଓ ୱାଇଏସ୍ଆର କଂଗ୍ରେସର ସମର୍ଥନ ରହିଛି। ଡିଏମ୍‌କେ(୪)ର ସମର୍ଥନ ମିଳିବାର ମଧ୍ୟ ସମ୍ଭାବନା ରହିଛି। ଏସବୁ ମିଶିଲେ କଂଗ୍ରେସ ପ୍ରାର୍ଥୀଙ୍କୁ ମଧ୍ୟ ମ୍ୟାଜିକ୍ ନମ୍ବର ମିଳିବା ସମ୍ଭବ ହେବ ବୋଲି କୁହାଯାଉଛି।

ତେବେ କୌଣସି ଦଳ ଯଦି ଭୋଟ୍ ଦାନରୁ ବିରତ ରୁହନ୍ତି ତା’ହେଲେ ସ୍ଥିତି ଭିନ୍ନ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।



from OdishaReporter https://ift.tt/2ARWXWk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages