
ହନୋଲୁଲୁ : ଦୋଷୀ ଭୁଲ୍ କଲେ ବିଚାରପତି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଅନ୍ତି। ଏହା ତ ସ୍ୱାଭାବିକ କଥା। କିନ୍ତୁ ବେଳେବେଳେ ବିଚାରପତିଙ୍କ କିଛି ଅଜବ ଦଣ୍ଡାଦେଶକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ହୋଇଥାଏ।
ନିକଟରେ ହାୱାଇର ରାଜଧାନୀ ହନୋଲୁଲୁରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସେଠାକାର କୋର୍ଟ ଜଣେ ଦୋଷୀକୁ ଏଭଳି ଦଣ୍ଡ ଦେଇଛନ୍ତି, ଯାହା ଶୁଣିଲେ ଆପଣ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ ମଧ୍ୟ।
ହନୋଲୁଲୁର ଏକ କୋର୍ଟ ଡାରେନ୍ ୟଙ୍ଗ୍ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୂର୍ବତନ ପ୍ରେମିକାଙ୍କ ପ୍ରଶଂସାରେ ୧୪୪ ଟି ବାକ୍ୟ ଲେଖିବାର ଦଣ୍ଡ ଶୁଣାଇଛନ୍ତି। ଏଥିରେ ଯେପରି କୌଣସି ବାକ୍ୟର ପୁନରାବୃତ୍ତି ନ ହେବ, ସେଥିପାଇଁ କୋର୍ଟ ତାଗିଦ୍ ମଧ୍ୟ କରିଛନ୍ତି।
ଏକଥା ପଢ଼ିସାରିଲା ପରେ ଆପଣଙ୍କୁ ହୁଏତ ଏହା ବିଚାରପତିଙ୍କ ପିଲାଳିଆମି ବୋଲି ଲାଗିପାରେ, କିନ୍ତୁ ବାସ୍ତବରେ ତାହା ନୁହଁ।
ହାୱାଇର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୩୦ ବର୍ଷୀୟ ଡାରେନ୍ ଓ ତାଙ୍କ ପୁରୁଣା ପ୍ରେମିକାଙ୍କ ମଧ୍ୟରେ ପୂର୍ବରୁ ଥରେ ଝଗଡ଼ା ହୋଇଥିଲ। ମାମଲା କୋର୍ଟରେ ପହଞ୍ଚିବାରୁ କୋର୍ଟ ଡାରେନ୍ଙ୍କୁ ତାଙ୍କ ପୁରୁଣା ପ୍ରେମିକାଙ୍କ ସହିତ କୌଣସି ପ୍ରକାରର ସମ୍ପର୍କ ନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଦୁଇମାସ ନ ଯାଉଣୁ ଡାରେନ୍ କୋର୍ଟଙ୍କ ଆଦେଶର ଅବମାନନା କଲେ। ଏପରିକି ଦିନେ ଡାରେନ୍ ୩ ଘଣ୍ଟା ମଧ୍ୟରେ ତାଙ୍କ ପୁରୁଣା ପ୍ରେମିକାକୁ ୧୪୪ ଥର କଲ୍ କରିବା ସହିତ ମେସେଜ୍ ମଧ୍ୟ ପଠାଇଥିଲେ।
ଏଥିରେ ଅତିଷ୍ଠ ହୋଇ ଡାରେନ୍ଙ୍କ ପ୍ରେମିକା କୋର୍ଟଙ୍କ ଦ୍ୱାରସ୍ଥ ହେବାରୁ କୋର୍ଟ ଭୀଷଣ କ୍ରୋଧ ପ୍ରକାଶ କରି ଡାରେନ୍ଙ୍କୁ ୨୪୦୦ ଡଲାର୍ ଅର୍ଥ ଦଣ୍ଡ ଦେବା ସହିତ ୧୫୭ ଦିନ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।
ଏତିକିରେ ବି ବିଚାରପତିଙ୍କ ମନ ଶାନ୍ତ ହୋଇ ନ ଥିଲା। ସେ ଡାରେନ୍ଙ୍କୁ ତାଙ୍କ ପୁରୁଣା ପ୍ରେମିକାଙ୍କ ପ୍ରଶଂସାରେ ୧୪୪ଟି ବାକ୍ୟ ଲେଖିବାକୁ ନିର୍ଦ୍ଦେଶ ଦେଲେ। ପ୍ରତ୍ୟେକ ପ୍ରଶଂସା ବାକ୍ୟ ଅଲଗା ହେବା ଦରକାର ବୋଲି ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଲେ।
ତେବେ ହନୋଲୁଲୁ କୋର୍ଟର ଏହି ବିଚାର ଖବର ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହାକୁ ନେଇ ବିଭିନ୍ନ ଲୋକେ ଅନେକ ମଜା ମଜା କମେଣ୍ଟ ମଧ୍ୟ ଦେଉଛନ୍ତି।
from OdishaReporter https://ift.tt/2Os6e9p
No comments:
Post a Comment