
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଇକ୍ ଚୋରର ଟେକ୍ନିକ୍କୁ ମାନିବାକୁ ପଡ଼ିବ। କେତେବେଳେ ଓକିଲ ବେଶରେ ତ ଆଉ କେତେବେଳେ ସାଧାରଣ ଲୋକଙ୍କ ଭଳି ଆସି ଲୁଟୁଥିଲା ବାଇକ୍।
କମିଶନରେଟ୍ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ରାଜଧାନୀ ଭୁବନେଶ୍ୱରରୁ ବାଇକ୍ ଲୁଟିବା ପରେ ସେହି ବାଇକ୍କୁ ବାହାର ଜିଲ୍ଲାରେ ବିକ୍ରି କରି ମାଲାମାଲ୍ ହେଉଥିଲା।
ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୪୬ଟି ବାଇକ୍ ଜବତ କରିଛି।
ଗତ ୩ରୁ ୪ ବର୍ଷ ଭିତରେ ଭୁବନେଶ୍ୱର କୋର୍ଟ, ତହସିଲ ଅଫିସ, ସବ୍ରେଜିଷ୍ଟର ଅଫିସ ଓ କ୍ୟାପିଟାଲ୍ ହସ୍ପିଟାଲରୁ ବହୁ ବାଇକ୍ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ପାଖରେ ପହଞ୍ଚି ପାରୁନଥିଲା। ଅନ୍ୟପକ୍ଷରେ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ପାଇଁ ପୁଲିସ ନୟାଗଡ଼, ଖୋର୍ଦ୍ଧା ଓ ନିଆଳି ଅଞ୍ଚଳରେ ଚଢ଼ଉ କରିଥିଲା।
ଏହି ସମୟରେ ପୁଲିସକୁ ମିଳିଥିଲା ସୁରାକ ଓ ସେହି ଆଧାରରେ ରଚିଥିଲା ବ୍ଲୁ ପ୍ରିଣ୍ଟ୍। ଯୋଜନା ମୁତାବକ ଆଜି କିଛି ଓକିଲ ଓ ପୁଲିସ ବାଇକ୍ ରଖି କୋର୍ଟ ପରିସରରେ ଜଗି ରହିଥିଲେ। ଏହି ସମୟରେ ଶିଶି ମିଶ୍ର ନାମକ ଜଣେ ଯୁବକ କୋର୍ଟ ପରିସରକୁ ଏଣ୍ଟ୍ରି ମାରିଥିଲେ। ସେ କଳା ଜ୍ୟାକେଟ୍, ଧଳାସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଥିବାରୁ ଓକିଲ ଭଳି ଦେଖାଯାଉଥିଲେ।
ଚାରିଆଡ ଅନୁଧ୍ୟାନ କରିବା ପରେ ଓର ଉଣ୍ଡି ପୁଲିସ ପାର୍କିଂ କରିଥିବା ବାଇକ୍କୁ ଲୁଟି ନେଉଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା ପୁଲିସ ଓ ଓକିଲମାନେ ତାକୁ ମାଡ଼ି ବସିଥିଲେ।
ପରେ ପୁଲିସ ପଚରାଉଚରା କରି ତା’ଠାରୁ ୪୬ଟି ବାଇକ୍ ଜବତ କରିଛି। ଏହି ଘଟଣାରେ ଶିଶି ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଶିଶିଙ୍କଠାରୁ ଚୋରି ହୋଇଥିବା ବାଇକ୍ କିଣିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି।
ଜବତ ହୋଇଥିବା ୪୬ଟି ବାଇକ୍ ମଧ୍ୟରୁ ୧୭ଟିକୁ ସେମାନଙ୍କ ମାଲିକଙ୍କୁ ଫେରସ୍ତ କରାଯାଇଛି। ବାକି ଅନ୍ୟ ବାଇକ୍ଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେମାନଙ୍କ ମାଲିକଙ୍କୁ ଫେରସ୍ତ କରାଯିବ ବୋଲି ପୁଲିସ କହିଛି। ଏହି ରାକେଟ୍ରେ ଅଉ କେଉଁମାନେ ସାମିଲ ଅଛନ୍ତି, ସେ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି।
from Odisha Reporter https://ift.tt/2weM8Jp
No comments:
Post a Comment