କୁଆଡ଼େ ହଜିଗଲା ବିଜେଡିର ‘ସମ୍ପର୍କ ଅଭିଯାନ’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

କୁଆଡ଼େ ହଜିଗଲା ବିଜେଡିର ‘ସମ୍ପର୍କ ଅଭିଯାନ’ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବ ଓ ଛାତ୍ର ବର୍ଗଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଗତ ପ୍ରାୟ ବର୍ଷକ ପୂର୍ବରୁ ବିଜେଡି ଆରମ୍ଭ କରିଥିବା ‘ସମ୍ପର୍କ ଅଭିଯାନ’ ଏବେ ବାଟବଣା। ଦୀର୍ଘଦିନ ଧରି ସ୍ଥାଣୁ ଅବସ୍ଥାରେ ପଡ଼ି ରହିଥିବା ଦଳର ଦୁଇ ଛାମୁଆ ସଂଗଠନ ଛାତ୍ର ଓ ଯୁବ ୱିଙ୍ଗ୍ ନିର୍ବାଚନୀ ବର୍ଷରେ ବି ନିଷ୍କ୍ରିୟ ରହିବା ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ଏହି ଦୁଇ ଛାମୁଆ ସଂଗଠନକୁ ସକ୍ରିୟ କରି ରଖିବା ପାଇଁ ୨୦୧୭ ନଭେମ୍ବର ମାସରେ ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ ହୋଇଥିଲା। ଉଭୟ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟବ୍ୟାପୀ ଏହି ଅଭିଯାନ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଉଭୟ ଛାତ୍ର ଓ ବିଜେଡି ସଭାପତି ଓ କର୍ମକର୍ତାମାନଙ୍କ ସମେତ ଦଳର ବିଧାୟକମାନଙ୍କୁ ମଧ୍ୟ ସାମିଲ ହେବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ୨ଟି ପର୍ଯ୍ୟାୟରେ ମାତ୍ର ୪ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେବା ପରେ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଦ୍ୱିତୀୟ ପର୍ଯ୍ୟାୟରେ ବାଲେଶ୍ୱରରେ ଯୁବ-ଛାତ୍ର ସମ୍ପର୍କ ଅଭିଯାନ ହୋଇଥିଲା। ଏସବୁ କାର୍ଯ୍ୟକ୍ରମରେ ଦଳର ସାଂସଦ ଅନୁଭବ ମହାନ୍ତିଙ୍କୁ ଷ୍ଟାର୍ ପ୍ରଚାରକ ଭାବେ ଓହ୍ଲାଇ ତାଙ୍କୁ ଯୁବଗୋଷ୍ଠୀର ‘ଆଇକନ୍’ ଭାବେ ମଧ୍ୟ ଉପସ୍ଥାପିତ କରାଯାଇଥିଲା।

ତେବେ ଦଳର ଜଣେ ନେତାଙ୍କ କହିବା ଅନୁସାରେ ସେତେବେଳେ ଏସବୁ କାର୍ଯ୍ୟକ୍ରମରେ ଦଳ ଓ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ ପରିବର୍ତ୍ତେ କେବଳ ଅନୁଭବଙ୍କ ଗୁରୁତ୍ୱ ବଢୁଥିବା ଦେଖିବା ପରେ ଦଳର ନେତାମାନେ ଏନେଇ ଆପତ୍ତି ଉଠାଇଥିଲେ। ସେତେବେଳେ ମଧ୍ୟ ଗଣମାଧ୍ୟମରେ ଅନୁଭବଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବାରୁ ଦଳ ପାଇଁ ଚିନ୍ତା ବଢ଼ିଥିଲା।

ତେଣୁ ଏହି କାର୍ଯ୍ୟକ୍ରମକୁ ସେତେବେଳେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମକୁ ନୂଆ ରୂପରେ ଆଗେଇ ନେବାକୁ ଯୋଜନା କରାଯାଇଥିଲା। ତେବେ ଦଳର ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଯୁବ ଓ ଛାତ୍ର ସଂଗଠନ ମଧ୍ୟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛି। ଏହି ଦୁଇ ଛାମୁଆ ସଂଗଠନର ନେତାମାନେ ଏବେ ନିର୍ବାଚନରେ ବ୍ଳକ୍ ଓ ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ହେବା ପାଇଁ ଲବି ଚଳାଇଛନ୍ତି।

ଅପରପକ୍ଷରେ ଦଳର ଦୁଇ ଛାମୁଆ ସଂଗଠନ ମାଧ୍ୟମରେ ଯୁବ ଓ ଛାତ୍ର ବର୍ଗର ଭୋଟ୍କୁ ହାତେଇବା ପାଇଁ ଦଳ ଯେଉଁ ଉଦ୍ୟମ କରିଥିଲା ତାହା ବିଫଳ ହେବାପରେ ସରକାରୀସ୍ତରରେ ‘ବିଜୁ ଯୁବ ବାହିନୀ’କୁ ଅସ୍ତିତ୍ୱକୁ ଆଣି ଶାସକ ବିଜେଡି ନିଜର ଭୋଟ୍ ବ୍ୟାଙ୍କ ବୃଦ୍ଧି ପାଇଁ ପ୍ରଶାସନିକ କଳ ମାଧ୍ୟମରେ ତ୍ୱରାନ୍ୱିତ କରାଯାଉଥିବା ଜଣାପଡ଼ିଛି।

ଆଗକୁ ଛାତ୍ର ସଂସଦ ନିର୍ବାଚନ ଓ ସାଧାରଣ ନିର୍ବାଚନ ଥିବାବେଳେ ଦଳର ଏହି ଦୁଇ ଛାମୁଆ ସଂଗଠନ ନିଷ୍କ୍ରିୟ ହେବା ପଛରେ ମଧ୍ୟ ବିଜେଡି ଭିତରେ ଚାଲିଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ରାଜନୀତିକୁ ଦାୟୀ କରାଯାଉଛି।

ବିଶେଷକରି ଦଳର ଛାତ୍ର ସଂଗଠନର ଦାୟିତ୍ୱରେ ଥିବା ଅରୁଣ ସାହୁଙ୍କ ଏକାନ୍ତ ଅନୁଗତ ଅମ୍ରେଶ ପତ୍ରୀ ଏବେ ଯୁବ ବିଜେଡି ସଭାପତି ଅଛନ୍ତି। ଆଉ ଦଳର ଯୁବ ସଂଗଠନ ଦାୟିତ୍ୱରେ ସଞ୍ଜୟ ଦାସବର୍ମା ରହିଛନ୍ତି। ତେଣୁ ଅରୁଣ ଓ ସଞ୍ଜୟଙ୍କ ମଧ୍ୟରେ ଛାଲିଥିବା ଶୀତଳଯୁଦ୍ଧ ଯୋଗୁ ସଞ୍ଜୟଙ୍କ ନେତୃତ୍ୱରେ ଯୁବ ସଂଗଠନକୁ କ୍ରିୟାଶୀଳ କରାଇବା ଦିଗରେ ଯୁବ ସଭାପତି ଶ୍ରୀ ପତ୍ରୀ ଆନ୍ତରିକତା ଦେଖାଉନଥିବା ଚର୍ଚ୍ଚା ହେଉଛି।

ତେବେ ଏହି ଯୁବ-ଛାତ୍ର ସମ୍ପର୍କ ଅଭିଯାନ ବନ୍ଦ ହେବା ସମ୍ପର୍କରେ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୩ଟି ଜିଲ୍ଲା ଓ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି।

ଜାନୁୟାରୀ ମାସ ପରଠୁ ଦଳ ପକ୍ଷରୁ ହୋଇଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନରେ ଯୁବ ଓ ଛାତ୍ର ସଂଗଠନ ସକ୍ରିୟ ଭାବେ ସାମିଲ ହେବାରୁ ଏହି ଯୁବ-ଛାତ୍ର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଆଗେଇ ପାରିନଥିଲା।ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

କିନ୍ତୁ ଅସଲ କଥା ହେଉଛି ଦଳର ପୁରୁଣା ଅଥଚ କ୍ଷମତାଚ୍ୟୁତ ନେତାମାନଙ୍କ ମଧ୍ୟରେ କନ୍ଦଳ ଉତ୍କଟ ରୂପ ଧାରଣ କରିସାରିଛି। ବ୍ୟକ୍ତିଗତ ଶତ୍ରୁତା, ଅହଂଭାବ ଓ ଆଧିପତ୍ୟ ପାଇଁ ଚାଲିଥିବା ଏହି ଲଢ଼େଇ ଯୋଗୁ ବାହାରକୁ ଚକଚକ ଦିଶୁଥିବା ବିଜେଡି ଭିତରେ ଭିତରେ ଘୁଣ ଖାଇ ସାରିଲାଣି ବୋଲି ଦଳର ଜଣେ ପୁରୁଖା ନେତା ସ୍ଵୀକାର କରିଛନ୍ତି।



from Odisha Reporter https://ift.tt/2wt199B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages