
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପୁଲ ରୋଡ୍ ଓଭର ବ୍ରିଜ୍ରେ ଆରମ୍ଭରୁ ଅଘଟଣ ଘଟିଛି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗୁରୁବାର ଏହି ବ୍ରିଜ୍ ଉଦ୍ଘାଟନ ହୋଇଥିବା ବେଳେ ଆରମ୍ଭରୁ ଏମିତି ଘଟଣା ଘଟିଛି। ବ୍ରିଜ୍ ଉଦ୍ଘାଟନ ପରେ ପରେ ଏହା ଉପରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଛି।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ରେଲେଓ୍ୱ ଓଭର ବ୍ରିଜରେ ଆଲୋକ ସଜ୍ଜା ପାଇଁ ଲାଗିଥିଲା ଲିଚୁ ମାଳ ଓ ଅତ୍ୟାଧୁନିକ ବିଦ୍ୟୁତ୍ ଲାଇଟ୍। ଉଦ୍ଘାଟନ ପରେ ସ୍ଥାନୀୟ ଲୋକେ ନୂଅ ବ୍ରିଜ୍ ଉପରେ ଚଢ଼ି ସେଲ୍ଫି ନେଉଥିଲେ।
ଏହି ସମୟରେ ସ୍ଥାନୀୟ ଅଞ୍ଚଳର ସୀମାଞ୍ଚଳ ପଣ୍ଡା ନାମକ ଜଣେ ବ୍ୟକ୍ତି ଲିଚୁ ଲାଇଟ୍ ଲାଗିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟଲ୍ ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ, ଆଲୋକ ସଜ୍ଜା ସାଙ୍ଗକୁ ବ୍ରିଜ୍ରେ ବେଲୁନ୍ ଟଙ୍ଗା ଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ନିଜ ଛୁଆଙ୍କ ପାଇଁ ବେଲୁନ୍ ଛିଣ୍ଡାଉଥିବା ବେଳେ ତାଙ୍କୁ କରେଣ୍ଟ ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ସୂଚନାଯୋଗ୍ୟ, ବମିଖାଲ ଓ ଜଟଣୀରେ ଓଭର ବ୍ରିଜ୍ ନିର୍ମାଣ କାମ ନେଇଥିବା ଠିକାସଂସ୍ଥେ ପଣ୍ଡା ଇନ୍ଫ୍ରା ଏହି ବ୍ରିଜ ନିର୍ମାଣ କରିଛି। ନିର୍ମଣାଧୀନ ଅବସ୍ଥାରେ ବମିଖାଲରେ ୨ଥର ଅଘଟଣ ଘଟି ୨ ଜଣ ପ୍ରାଣ ହରାଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଠିକା ସଂସ୍ଥା ବେନିୟମ୍ କାମ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଜଟଣୀ ଓ ବମିଖାଲ ବ୍ରିଜ୍ର ବାକି କାମ ଅଧାରୁ ବନ୍ଦ କରି ଅନ୍ୟ ଠିକା ସଂସ୍ଥାକୁ ହସ୍ତାନ୍ତର କରିବାକୁ ଦାବି ହେଉଥିଲା। ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ଆଜି ଉଦ୍ଘାଟନ ପରେ ଅଘଟଣ ହୋଇଥିବାରୁ ଲୋକେ ନାନା ଆଶଙ୍କା କରୁଛନ୍ତି।
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଓଭର ବ୍ରିଜର ଉଦ୍ଘାଟନ କରିବା ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ଆଲୋକ ସଜ୍ଜା କରାଯାଇଥିଲା। ତେବେ ବିଦ୍ୟୁତ୍ ତାର ଠିକ୍ ଭାବେ ଲଗାଯାଇଥିଲା ନା ବିପଦ ସଙ୍କୁଳ ଅବସ୍ଥାରେ ଥିଲା ସେ ନେଇ ଅଭିଯୋଗ ଉଠିଲାଣି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
from Odisha Reporter https://ift.tt/2N8OlfB
No comments:
Post a Comment