
ଲଣ୍ଡନ: ଏଜବାଷ୍ଟନ୍ ପରାଜୟ ପରେ ଏବେ ଟିମ୍ ଇଣ୍ଡିଆ ପାଇଁ ଐତିହାସିକ ଲର୍ଡସରେ ସିରିଜକୁ ଫେରିବାର ସୁଯୋଗ। ଇଂଲଣ୍ଡ ବିପକ୍ଷ ସିରିଜ୍ର ପ୍ରଥମ ଟେଷ୍ଟରେ ମାତ୍ର ୩୧ ରନ୍ରେ ପରାସ୍ତ ହୋଇଥିବା ବିରାଟ୍ ବାହିନୀ ଗୁରୁବାର ଦ୍ୱିତୀୟ ଟେଷ୍ଟ୍ ପାଇଁ ଲର୍ଡସ୍ ମଇଦାନକୁ ଓହ୍ଲାଇବ। ୫ଟିକିଆ ସିରିଜ୍କୁ ସମାନ ସ୍ଥିତିକୁ ଆଣିବା ପାଇଁ ଏହି ମ୍ୟାଚ୍କୁ ଜିତିବାକୁ ପୂରା ଦମ୍ ଲଗାଇବ ଭାରତ।
ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ଣ ୩.୩୦ରେ ମ୍ୟାଚ୍ ଆରମ୍ଭ ହେବ।
ପରସଂଖ୍ୟାନ କହୁଛି, ଲର୍ଡସ୍ ଗ୍ରାଉଣ୍ଡ ଭାରତ ପାଇଁ ସେତେଟା ‘ଲକି’ ନୁହେଁ। ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ଦଳକୁ ଲର୍ଡସରେ ଭାରତୀୟ ଟିମ୍କୁ ଏକମାତ୍ର ବିଜୟ ସ୍ୱାଦ ମିଳିଥିଲା ୨୦୧୪ରେ। ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ପଡ଼ିଆରେ ଟେଷ୍ଟ ମ୍ୟାଚ୍ ଜିତି ସେହି ଗସ୍ତର ଏକମାତ୍ର ବିଜୟ ହାସଲ କରିଥିଲା।
ତେଣୁ ଆସନ୍ତାକାଲି ସେହି ଇତିହାସର ପୁନରାବୃତ୍ତି କରିବା ଲକ୍ଷ୍ୟରେ ରହିବ ବିରାଟ୍ ବାହିନୀ।
ତେବେ ଏଜ୍ବାଷ୍ଟନ୍ ଟେଷ୍ଟ୍ର ନାୟକ ସାଜିଥିବା ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଲର୍ଡସ୍ ମ୍ୟାଚ୍ ଖେଳିବେ ନାହିଁ। ଭାରତୀୟ ବ୍ୟାଟ୍ସମ୍ୟାନ୍ ଷ୍ଟୋକ୍ସଙ୍କ ଅନୁପସ୍ଥିତିର ଫାଇଦା ନେବାକୁ ଚେଷ୍ଟା କରିବେ।
କିନ୍ତୁ ଷ୍ଟୋକ୍ସଙ୍କ ବଦଳରେ ଇଂଲିଶ ଦଳକୁ ଫେରିଥିବା କ୍ରିସ୍ ୱକ୍ସ ଭ୍ରମଣକାରୀ ଦଳର ସବୁ ଗଣିତକୁ ଓଲଟପାଲଟ୍ କରିବାର କ୍ଷମତା ରଖିଛନ୍ତି। ସେହିପରି ଆଉଟ୍ ଅଫ୍ ଫର୍ମ ଡାୱିଡ୍ ମାଲାନ୍ଙ୍କ ସ୍ଥାନ ନେଇଥିବା ଯୁବ ତାରକା ଓଲି ପୋପ୍ ଭାରତୀୟ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ପାରନ୍ତି।
ଅଧିନାୟକ କୋହଲିଙ୍କ ବ୍ୟତୀତ ପ୍ରଥମ ଟେଷ୍ଟ୍ରେ ଦୟନୀୟ ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟିଂ ଲାଇନ୍-ଅପ୍ରେ କିଛିଟା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଭଲ ଷ୍ଟାର୍ଟ ସତ୍ତ୍ୱେ ବଡ଼ ସ୍କୋର କରିପାରୁ ନଥିବା ବାମହାତୀ ଶିଖର ଧୱନଙ୍କୁ ଲର୍ଡସରେ ବେଞ୍ଚରେ ବସିବାକୁ ପଡ଼ିପାରେ।
ଏମିତି ହେଲେ କେ.ଏଲ୍. ରାହୁଲ ଏବଂ ମୁରଲୀ ବିଜୟ ଇନିଂସ ଆରମ୍ଭ କରିବେ ଏବଂ ଗତଥର ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ତାଙ୍କ ପ୍ରିୟ ନମ୍ବର ୩ରେ ବ୍ୟାଟିଂ କରିବାର ସୁଯୋଗ ପାଇବେ।
ସେହିପରି ଇଂଲଣ୍ଡର ଶୁଖିଲା ପିଚ୍ରୁ ଫାଇଦା ନେବାକୁ ନିଜର ପାରମ୍ପରିକ ସ୍ପିନ୍ ଅସ୍ତ୍ରରେ ଘରୋଇ ଦଳକୁ ଚକମା ଦେଇପାରେ ଭାରତ। ତେବେ ଏଥିପାଇଁ ସାମି, ଉମେଶ ଓ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇ ଅଶ୍ୱିନ୍ଙ୍କ ସହ ଚାଇନାମ୍ୟାନ୍ କୁଲଦୀପ ଓ ବାମହାତୀ ଜାଡେଜା ଚୂଡ଼ାନ୍ତ ଦଳକୁ ଫେରିପାରନ୍ତି।
ତେବେ ୱିକେଟ୍କୁ ଦେଖି ଶେଷ ମୂହୁର୍ତ୍ତରେ ଟିମ୍ ଚୟନ କରାଯିବ ବୋଲି ବୋଲିଂ କୋଚ୍ ଭାରତ ଅରୁଣ କହିଛନ୍ତି।
ଦ୍ୱିତୀୟ ଟେଷ୍ଟ ଜିତିବାକୁ ହେଲେ, ୨୦୧୪ରେ ଭାରତକୁ ଲର୍ଡସରେ ଐତିହାସିକ ବିଜୟ ଦେଇଥିବା ଦିଲ୍ଲୀର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କୁ ନିଜ ପୂର୍ବ ସଫଳତା ଦୋହରାଇବାକୁ ପଡ଼ିବ।
ଗତଥର ରାହଣେ ଲର୍ଡସରେ ଶତକ ହାସଲ କରିଥିବା ବେଳେ ଇଶାନ୍ତ ୭ଟି ୱିକେଟ୍ ଦଖଲ କରିଥିଲେ।
from OdishaReporter https://ift.tt/2vOiIke






No comments:
Post a Comment