ଚିରନିଦ୍ରାରେ ତାମିଲ ରାଜନୀତିର ଯୁଗପୁରୁଷ  କରୁଣାନିଧି : ମାରିନା ବିଚ୍‌ ଜନସମୁଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଚିରନିଦ୍ରାରେ ତାମିଲ ରାଜନୀତିର ଯୁଗପୁରୁଷ  କରୁଣାନିଧି : ମାରିନା ବିଚ୍‌ ଜନସମୁଦ୍ର

ଚେନ୍ନାଇ: ଲକ୍ଷ ଲକ୍ଷ ଅନୁଗାମୀ ଓ ସମର୍ଥକଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିରେ ବିଦାୟ ନେଇଛନ୍ତି ତାମିଲନାଡୁ ରାଜନୀତିର ପ୍ରବାଦ ପୁରୁଷ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧି । ଚେନ୍ନାଇର ମାରିନା ବିଚ୍‌ରେ ତାଙ୍କର ଶେଷକୃତ୍ୟ କରାଯାଇଛି । ମାରିନା ବିଚ୍‌ସ୍ଥିତ ଆନ୍ନାଦୁରାଇଙ୍କ ସ୍ମୃତିସ୍ଥଳ ନିକଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ତାମିଲନାଡ଼ୁ ରାଜ୍ୟପାଳ ବନୱାରୀ ଲାଲ୍ ପୁରୋହିତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଦିବଂଗତ ନେତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କରୁଣାନଧିଙ୍କ ପୁଅ ଏମ୍‌କେ ଷ୍ଟାଲିନ୍, ପୁଅ ତାମିଲଆରସୁଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ। ସେହିଭଳି  ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଡିଏମ୍‌କେ ନେତା ଏ.ରାଜା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। କରୁଣାନିଧିଙ୍କୁ ଆନ୍ନା ସଲାଇ କମ୍ପ୍ଲେକ୍ସ୍‌ରେ ସମାଧି ଦିଆଯାଇଛି। ପୂର୍ବରୁ ଏଠାରେ ଡିଏମ୍‌କେ ପ୍ରତିଷ୍ଠାତା ସି.ଏନ୍. ଆନ୍ନାଦୁରାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ଜି ରାମଚନ୍ଦ୍ରନ ଓ ଜୟଲଳିତାଙ୍କୁ ସମାଧି ଦିଆଯାଇଥିଲା।

କରୁଣାନିଧିଙ୍କ ନିଧନରେ ତାମିଲନାଡୁ ସ୍ତବ୍ଧ ହୋଇଯାଇଛି। ଦୀର୍ଘ ୬ ଦଶନ୍ଧି ଧରି ରାଜ୍ୟ ଓ ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ଥିବା ଏହି ଦକ୍ଷ ରାଜନେତାଙ୍କୁ ହରାଇ ନିରବି ଯାଇଛି ପୂରା ରାଜ୍ୟ। ତାମିଲନାଡୁ ରାଜନୀତିର ଯୁଗପୁରୁଷ ଏମ୍. କରୁଣାନିଧିଙ୍କ ଶେଷ ଝଲକ ଟିକକ ପାଇବାକୁ ସତେ ଯେମିତି ଜନସମୁଦ୍ର ପାଲଟିଥିଲା ଚେନ୍ନାଇର ମାରିନା ବିଚ୍‌ ଓ ଐତିହାସିକ ରାଜାଜୀ ହଲ୍‌। ଦୀର୍ଘ ୩ କିଲୋମିଟର ରାସ୍ତାର ଅନ୍ତିମ ଶୋଭାଯାତ୍ରାରେ କେଉଁଠି ବି ସୋରିଷ ପକାଇବାକୁ ଜାଗା ନ ଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଲକ୍ଷ ଲକ୍ଷ ସମର୍ଥକ ଓ ପ୍ରଶଂସକ।

ମଙ୍ଗଳବାର ସନ୍ଧ୍ୟାରେ କରୁଣାନିଧିଙ୍କ ପରଲୋକ ପରେ ଶେଷଦର୍ଶନ ଲାଗି ସକାଳୁ ଚେନ୍ନାଇର ଗୋପାଳପୁରମ୍‌ସ୍ଥିତ ବାସଭବନରୁ ସେନାର ଏକ ସୁସଜ୍ଜିତ ଗାଡ଼ିରେ ରାଜାଜୀ ହଲ୍‌କୁ ଅଣାଯାଇଥିଲା ପାର୍ଥିବ ଶରୀର। ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କରୁଣାନିଧିଙ୍କ ଶେଷଦର୍ଶନ କରିଥିଲେ। ତେବେ ରାଜାଜୀ ହଲ୍ ଆଗରେ କରୁଣାନିଧିଙ୍କ ଅନ୍ତିମ ଦର୍ଶନ ପାଇଁ ସାଧାରଣ ଲୋକେ ବିକଳ ହୋଇଥିଲେ। ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍  ହୋଇଥିଲା ପୋଲିସ୍ । ଯିଏ ଭିଡ଼ କାଟି ଯାଇପାରୁ ନ ଥିଲେ, ସେମାନେ କାନ୍ଥ କି ଛାତ ଉପରେ ଚଢ଼ି ଯାଇଥିଲେ।

ଅପ୍ରତିଦ୍ୱନ୍ଦ୍ୱୀ ନେତା ଥିଲେ କରୁଣାନିଧି

ଉଭୟ ତାମିଲନାଡୁ ଓ ଜାତୀୟ ରାଜନୀତିରେ ଦୀର୍ଘ ୬ ଦଶନ୍ଧି ଧରି ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ପ୍ରମାଣିତ କରିଥିଲେ ଏମ୍. କରୁଣାନିଧି । ଜଣେ ବାଗ୍ମୀ, ଚିନ୍ତା ନାୟକ ଓ ସୁଲେଖକ ଭାବେ ତାଙ୍କର ପ୍ରତିଷ୍ଠା ଥିଲା। କଳା ଓ ସଂସ୍କୃତି  ପ୍ରତି ଅନବଦ୍ୟ ଅବଦାନ ପାଇଁ ତାଙ୍କୁ ମିଳିଥିଲା କଲାନର ବା କଳାର ପୂଜାରୀ ସମ୍ମାନ। ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କରୁଣାନିଧିଙ୍କ ନାଁରେ ରହିଛି କ୍ରମାଗତ ୧୩ ଥର ବିଧାନସଭାକୁ ନିର୍ବାଚିତ ହେବାର ଗୌରବ । ଏହି ଜନନାୟକଙ୍କ ଶେଷକୃତ୍ୟ ପୂର୍ବରୁ ଆଜି ଅନେକ ପ୍ରଶଂସଙ୍କୁ ଲଣ୍ଡିତ  ମସ୍ତକରେ ମଧ୍ୟ ଦେଖିବାକୁ ମିଳିଥିଲା।

ଅନ୍ତିମ ସଂସ୍କାରକୁ ନେଇ ବିବାଦ

କେଉଁଠି ହେବ କୁରଣାନିଧିଙ୍କ ଅନ୍ତିମ ସଂସ୍କାର, ତାକୁ ନେଇ ଗତକାଲିଠୁ ବିବାଦ ଲାଗି ରହିଥିବା ବେଳେ ଦିନ ସାଢେ ୧୧ଟାରେ ମାଡ୍ରାସ ହାଇକୋର୍ଟ ଶୁଣାଇଥିଲେ ରାୟ। ଚେନ୍ନାଇର ମାରିନା ବିଚ୍‌ରେ ଆନ୍ନାଦୁରାଇଙ୍କ ସମାଧି ନିକଟରେ କରୁଣାନିଧିଙ୍କ  ସମାଧି ପାଇଁ ଡିଏମ୍‌କେର ଦାବିକୁ କୋର୍ଟ ଅନୁମତି ଦେବା ପରେ ପରିବାର ଲୋକ ଓ ସମର୍ଥକଙ୍କୁ ଆଶ୍ୱସ୍ତି ମିଳିଥିଲା।



from OdishaReporter https://ift.tt/2vSDb7A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages