
ଲଣ୍ଡନ୍: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଆସନ୍ତାକାଲି ଟ୍ରେଣ୍ଟ ବ୍ରିଜ୍ର ନଟିଂହାମ ପଡ଼ିଆକୁ ଓହ୍ଲାଇବ। ୫ଟିକିଆ ସିରିଜ୍ରେ ୦-୨ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ପାଇଁ କମ୍-ବ୍ୟାକ୍ କରିବାର ଏହା ଶେଷ ସୁଯୋଗ।
ନଟିଂହାମ୍ର ଟର୍ଣ୍ଣିଂ ପିଚ୍ରେ ଭାରତ ମଧ୍ୟ ନିଜ ଭାଗ୍ୟକୁ ବଦଳାଇବାକୁ ପୂରା ଦମ୍ ଲଗାଇବ। ଯଦି ଏହି ମ୍ୟାଚ୍ରେ ଭାରତ ହାରିଯାଏ, ତା’ହେଲେ ଦଳର ହାତରୁ ସିରିଜ୍ ଚାଲିଯିବ। ତେଣୁ ବିରାଟ୍ ଆଣ୍ଡ କୋ ଏଥିପାଇଁ ବେଶ ଚାପରେ ରହିବେ।
ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ନ ୩.୩୦ରେ ମ୍ୟାଚ୍ ଆରମ୍ଭ ହେବ।

ହୋଇପାରେ ଏକାଧିକ ପରିବର୍ତ୍ତନ
ପ୍ରଥମ ଦୁଇଟି ଟେଷ୍ଟରେ ଦୟନୀୟ ଭାବେ ପରାସ୍ତ ହୋଇ ଚାପରେ ଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିବାର ସଙ୍କେତ ମିଳିଛି। ଏକଥାକୁ ଅଧିନାୟକ ବିରାଟ୍ କୋହଲି ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି।
ଆଘାତ ଯୋଗୁ ଗତ ଦୁଇଟି ମ୍ୟାଚ୍ରୁ ବାଦ୍ ପଡ଼ିଥିବା ଯଶ୍ପ୍ରୀତ୍ ବୁମରା ଆସନ୍ତାକାଲି ମ୍ୟାଚ୍ରେ ଖେଳିବା ଏକ ପ୍ରକାରର ନିଶ୍ଚିତ। ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସ୍ଥାନ ମିଳିପାରେ।
ସେହିପରି ଦୁଇଟି ଯାକ ଟେଷ୍ଟରେ ବିଫଳ ହୋଇଥିବା ଟିମ୍ ଇଣ୍ଡିଆର ୱିକେଟ୍କିପର୍-ବ୍ୟାଟସ୍ମ୍ୟାନ୍ ଦୀନେଶ କାର୍ତ୍ତିକଙ୍କ ବଦଳରେ ଯୁବ ତାରକା ରିଷଭ୍ ପନ୍ଥଙ୍କୁ ଟିମ୍ ମ୍ୟାନେଜ୍ମେଣ୍ଟ୍ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବା ନେଇ ଚିନ୍ତା କରୁଛି।
ନଟିଂହାମ୍ ଉଭୟ ପେସ୍ ଓ ସ୍ପିନ୍ ବୋଲରଙ୍କୁ ସୁହାଉଥିବାରୁ ଦ୍ୱିତୀୟ ଟେଷ୍ଟ୍ ଭଳି ଟିମ୍ ଇଣ୍ଡିଆ ଏଥର ଦୁଇ ଜଣ ସ୍ପିନର୍ଙ୍କୁ ନେଇ ମଇଦାନକୁ ଓହ୍ଲାଇବ। ଦ୍ୱିତୀୟ ଟେଷ୍ଟରେ ନିରାଶ କରିଥିବା ଚାଇନାମ୍ୟାନ୍ କୁଲଦୀପ ଯାଦବଙ୍କୁ ପୁଣି ଥରେ ସୁଯୋଗ ଦେବାକୁ ଟିମ୍ ଇଣ୍ଡିଆ ମ୍ୟାନେଜ୍ମେଣ୍ଟ ଚିନ୍ତା କରୁଛି। ତାଙ୍କ ସହ ଟିମ୍ ଇଣ୍ଡିଆର ସଙ୍କଟମୋଚନକାରୀ ସାଜିଥିବା ରବିଚନ୍ଦ୍ରନ ଅଶ୍ୱିନ୍ ସ୍ପିନ୍ ଆକ୍ରମଣ ସମ୍ଭାଳିବେ।

ତେବେ ଟିମ୍ ଇଣ୍ଡିଆର ଓପନିଂ ଯୋଡ଼ି ବାରମ୍ବାର ଫେଲ୍ ମାରିବା ଟିମ୍ ମ୍ୟାନେଜ୍ମେଣ୍ଟକୁ ଚିନ୍ତାରେ ପକାଇଛି। ଦଳ ଆସନ୍ତାକାଲି ମ୍ୟାଚ୍ରେ ଲର୍ଡସ୍ ଟେଷ୍ଟରେ ବେଞ୍ଚରେ ବସିଥିବା ନିୟମିତ ଓପନର୍ ଶିଖର ଧୱନ୍ଙ୍କୁ ମୁରଲୀ ବିଜୟଙ୍କ ସ୍ଥାନରେ ଖେଳାଇବାର ସମ୍ଭାବନା ରହିଛି।
ଇଂଲଣ୍ଡ ଦଳ ଚୟନରେ ବି ଦ୍ଵନ୍ଦ୍ଵ
ଅନ୍ୟପକ୍ଷରେ ଟିମ୍ ଇଂଲଣ୍ଡ ଚୂଡ଼ାନ୍ତ ୧୧କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ମାରପିଟ୍ ଘଟଣାରେ ଦୋଷମୁକ୍ତ ହୋଇଥିବା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏବେ ଦଳକୁ ଫେରିଛନ୍ତି।
ପ୍ରଥମ ଟେଷ୍ଟରେ ସେ ହିଁ ଭାରତ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। କିନ୍ତୁ ଦ୍ୱିତୀୟ ଟେଷ୍ଟରେ କୋର୍ଟରେ ମାମଲା ଥିବା ଯୋଗୁ ଷ୍ଟୋକ୍ସଙ୍କ ବଦଳରେ କ୍ରିସ୍ ୱକ୍ସଙ୍କୁ ସ୍ଥାନ ମିଳିଥିଲା। ସେ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ବୋଲିଂରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତେଣୁ ଏବେ ଷ୍ଟୋକ୍ସଙ୍କୁ କାହା ସ୍ଥାନରେ ଖେଳାଯିବ, ତାକୁ ନେଇ ଇଂଲଣ୍ଡ ଟିମ୍ ମ୍ୟାନେଜ୍ମେଣ୍ଟ୍ ଦ୍ୱନ୍ଦ୍ୱରେ ପଡ଼ିଛି।

ତେବେ ଆସନ୍ତାକାଲି ପରିସ୍ଥିତିକୁ ଦେଖି ଟିମ୍ ଘୋଷଣା କରାଯିବ ବୋଲି କୋଚ୍ କହିଛନ୍ତି।
ଆଉ ଏକ ସୂଚନା ମୁତାବକ ନବାଗତ ସାମ କରାନ୍ଙ୍କ ବଦଳରେ ଷ୍ଟୋକ୍ସଙ୍କୁ ଟିମ୍ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।

from Odisha Reporter https://ift.tt/2nIquZ0
No comments:
Post a Comment