ମୋଦି, ନବୀନ ଔର ‘ୱହ’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ମୋଦି, ନବୀନ ଔର ‘ୱହ’!

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରୁ ଅପ୍ରତ୍ୟାଶିତ ଦୂରେଇ ରହିବା ହେଉ କି ଏନଡିଏ ମେଣ୍ଟର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ ଦେବା ହେଉ, ଏହା ପଛରେ ଏକ ଅଦୃଶ୍ୟ ଶକ୍ତିର ପ୍ରମୁଖ ଭୂମିକା ରହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।
ପ୍ରଧାନମନ୍ତ୍ରୀ ମୋଦି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିକଟତର କରାଇବାରେ ଜଣେ ତୃତୀୟ ବ୍ୟକ୍ତିଙ୍କ ସଫଳ ଗୋଟିଚାଳନା ବେଶ୍ କାମ ଦେଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।
ୟୁପିଏ ଓ ଏନଡିଏଠୁ ସମଦୂରତ୍ୱ ବଜାୟ ରଖିବା ନୀତିରେ ଦୀର୍ଘ ୯ବର୍ଷ ଧରି କାଏମ ଥିବା ନବୀନ ପଟ୍ଟନାୟକ ବୁଧବାର ଅଚାନକ ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରି ରାଜନୀତିକ ହଟଚମଟ ସୃଷ୍ଟି କରିଛନ୍ତି।
କେହି ଏହାକୁ ନବୀନଙ୍କ ସୁବିଧାବାଦୀ ରଣନୀତିର ଅଂଶବିଶେଷ କହୁଥିବାବେଳେ କେତେକ ଏନଡିଏ ମେଣ୍ଟ ଆଡ଼କୁ ବିଜେଡି ଢଳୁଥିବା କହୁଛନ୍ତି। କିନ୍ତୁ ଯଦି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ବିଶ୍ୱାସ କରାଯାଏ, ତା’ହେଲେ ମୋଦି ସରକାର ଓ ବିଜେପି ପ୍ରତି ବିଜେଡି ସୁପ୍ରିମୋ ନବୀନଙ୍କର ଅହେତୁକ ଦୁର୍ବଳତା ପ୍ରଦର୍ଶନ କରିବା ପଛରେ ଏକ ବଳିଷ୍ଠ କାରଣ ପଦାକୁ ଆସିଛି।
ଜୁଲାଇ ୧୫ ତାରିଖ ପରଠୁ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଟେଲିଫୋନରେ ପ୍ରାୟ ୩ଥର କଥାବାର୍ତ୍ତା ହୋଇଛି।
ଜୁଲାଇ ୨୨ତାରିଖରେ ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ପ୍ରକାଶିତ ଖବର ଅନୁସାରେ,  ମୋଦି ସରକାର ବିରୋଧରେ ସଂସଦରେ ଜୁଲାଇ ୨୦ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ଠିକ୍ ଦିନକ ପୂର୍ବରୁ ଆମେରିକାରେ ରହୁଥିବା ପ୍ରତିଷ୍ଠିତ ପବ୍ଲିଶର ସନ୍ନି ମେହଟ୍ଟା ଓ ତାଙ୍କ ଲେଖିକା ପତ୍ନୀ ଗୀତା ମେହଟ୍ଟାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଚା’ପାନ ପାଇଁ ଆମନ୍ତ୍ରଣ କରିଥିଲେ।
ଏହି ମେହଟ୍ଟା ଦମ୍ପତି ମଧ୍ୟ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ଆସ୍ଥା ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ଚା’ପାନ- ଡିପ୍ଲୋମାସୀ’ କାର୍ଡ ଖେଳି ବିଜେଡିକୁ ନିଜ ସପକ୍ଷକୁ ନେବାରେ ସକ୍ଷମ ହୋଇଥିବା କୁହାଯାଉଛି।
କାରଣ ଲେଖିକା ଗୀତା ମେହଟ୍ଟା ହେଉଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ଭଉଣୀ। ଆଉ ଗୀତାଙ୍କ କଥାକୁ ନବୀନ ଯଥେଷ୍ଟ ସମ୍ମାନ ଦିଅନ୍ତି ବୋଲି ଚର୍ଚ୍ଚା ହୁଏ।
ଅନ୍ୟ ଏକ ଜାତୀୟ ପତ୍ରିକା ‘ଆଉଟଲୁକ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ‘ଫୋନ୍-ଏ-ଫ୍ରେଣ୍ଡ ଡିପ୍ଲୋମାସୀ’ କାର୍ଡ ଖେଳିଛନ୍ତି। ଅବଶ୍ୟ ନବୀନଙ୍କ ସାଂସଦମାନେ ମୋଦି କିମ୍ବା ବିଜେପିକୁ ସମର୍ଥନ କରିନାହାନ୍ତି ବରଂ ସେମାନେ ନୀତୀଶ କୁମାରଙ୍କ ଜେଡିୟୁର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା କହିଛନ୍ତି।
ମାତ୍ର ମୋଦି-ନବୀନଙ୍କ ମଧ୍ୟରେ ଏହା  ଏକ ଗୋପନ ବୁଝାମଣାର ଅଂଶବିଶେଷ ବୋଲି ରାଜନୀତିକ ମହଲରେ ମତ ପ୍ରକାଶ ପାଇଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ ମୋଦି ସଂସଦରେ ଆସ୍ଥା ଭୋଟ ଲୋଡ଼ିବାବେଳେ ନବୀନଙ୍କ ଦଳର ସାଂସଦମାନଙ୍କୁ ଆଲୋଚନାରେ ଭାଗ ନେବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। କିନ୍ତୁ ସକାଳ ହେବାବେଳକୁ ଚିତ୍ର ବଦଳିଥିଲା ଓ ଦଳର ସାଂସଦମାନେ ଏହି ଆସ୍ଥାଭୋଟ୍ ସହ ‘ଓଡ଼ିଶାର ସ୍ୱାର୍ଥ ଜଡ଼ିତ ନାହିଁ’ ବୋଲି କହି କକ୍ଷତ୍ୟାଗ କରିଥିଲେ।ଯାହାକି ପରୋକ୍ଷରେ ବିଜେପିକୁ ସୁହାଇଥିଲା।
ତେବେ ପ୍ରଶ୍ନ ଉଠୁଛି, ବିଜେଡି ଓ ନବୀନଙ୍କର ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ପଛରେ କ’ଣ ରହସ୍ୟ ରହିଛି?
କ୍ରମବର୍ଦ୍ଧିଷ୍ଣୁ କ୍ଷମତାବିରୋଧୀ ହାୱା,ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ସୁଦୃଢ଼ ହେଉଥିବା ଓ ୨୦୧୯ରେ ବିଜେପି ପୁନର୍ବାର କେନ୍ଦ୍ରରେ କ୍ଷମତାସୀନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନବୀନ ଏଭଳି ରଣନୀତି ଆପଣାଇଥିବା କୁହାଯାଉଛି।
ସେପଟେ ବିଜେପି ମଧ୍ୟ ଆଶଙ୍କା କରୁଛି ଯେ ୨୦୧୯ ନିର୍ବାଚନରେ ବିଜେଡି ଏକ ଭରସାଯୋଗ୍ୟ ସହଯୋଗୀ ହୋଇପାରିବ। ନବୀନଙ୍କୁ ରାଜ୍ୟରେ ଏତେଶୀଘ୍ର କ୍ଷମତାରୁ ହଟାଇବା ସହଜ ନୁହେଁ। ଏସବୁ ପ୍ରସଙ୍ଗକୁ ନେଇ ଭଉଣୀ ଗୀତା କିଛି ପରାମର୍ଶ ଦେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅବଶ୍ୟ ମୋଦି ଓ ମେହଟ୍ଟା ଦମ୍ପତିଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ଏହି ଭେଟଘାଟ ହିଁ ଓଡ଼ିଶାରେ ବିଜେଡିର ଭାଗ୍ୟ ନିର୍ଦ୍ଧାରଣ କରିବ। ଆଉ ପରସ୍ପରର ଆବଶ୍ୟକତା ହିଁ ଉଭୟ ଦଳକୁ ଏକ ଗୁପ୍ତ ବୁଝାମଣା ଆଧାରରେ କାର୍ଯ୍ୟ କରିବା ନିମନ୍ତେ ବାଧ୍ୟ କରିବ ବୋଲି ଚର୍ଚ୍ଚା।


from OdishaReporter https://ift.tt/2Om1imI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages