
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବ୍ୟବହୃତ ପାନୀୟ ଜଳ କେତେ ବିଶୁଦ୍ଧ? ଏହି ପାନୀୟ ଜଳର ଶୁଦ୍ଧତା ଯାଞ୍ଚ କରିବାକୁ ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ ସହ ଏମ୍ଓୟୁ କରିଥିଲେ ରାଜ୍ୟ ସରକାର। କିନ୍ତୁ ଏହାମଧ୍ୟରେ ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍କୁ ମଲ୍ଟି ନ୍ୟାସନାଲ୍ କମ୍ପାନୀ ୟୁରୋଫିନ୍ସ ସାଇଣ୍ଟିଫିକ୍ ଅଧିଗ୍ରହଣ କରିସାରିଛି। ଫଳରେ ଯେଉଁ କମ୍ପାନୀ ସହ ରାଜ୍ୟ ସରକାର ଏମ୍ଓୟୁ କରିଥିଲେ, ତାହା ଏବେ ବଦଳି ଯାଇଛି। ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ପାନୀୟ ଜଳର ଶୁଦ୍ଧତା କେତେ ଦୂର ଯାଞ୍ଚ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ।
ରାଜ୍ୟର ସହରାଞ୍ଚଳରେ ପାଣିର ଶୁଦ୍ଧତା ଯାଞ୍ଚ କରିବା ପାଇଁ ୨୦୧୬ ଡିସେମ୍ବରରେ ରାଜ୍ୟ ସରକାର ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ ସହ ଏମ୍ଓୟୁ ସ୍ୱାକ୍ଷର କରିଥିଲେ। ୧୦ ବର୍ଷ ପର୍ଯ୍ୟନ୍ତ ଜଳ ନମୁନା ଯାଞ୍ଚ କରିବାକୁ ଏହି ସଂସ୍ଥାକୁ ପ୍ରାୟ ୬୭ କୋଟି ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୧୭ ଅକ୍ଟୋବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ସଂସ୍ଥାର ଲ୍ୟାବ୍କୁ ଉଦ୍ଘାଟନ କରିଥିଲେ।
ଚୁକ୍ତିର ୬ ମାସ ମଧ୍ୟରେ ସଂପୃକ୍ତ ସଂସ୍ଥା କାମ ଆରମ୍ଭ କରିବା କଥା। କିନ୍ତୁ ଏହାର ପ୍ରାୟ ଦେଢ଼ବର୍ଷ ପରେ ଅର୍ଥାତ୍ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ସଂସ୍ଥା ଏହି ଶୁଦ୍ଧତା ଯାଞ୍ଚ କାମ ଆରମ୍ଭ କରିଥିଲା। ୨୦୧୭ ନଭେମ୍ବର ୧୬ ତାରିଖରେ କମ୍ପାନୀ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍କୁ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ୟୁରୋଫିନ୍ ସାଇଣ୍ଟିଫିକ୍ ଅଧିଗ୍ରହଣ କରି ନେଇଥିବା ଦର୍ଶାଯାଇଥିଲା। ଏହା ସତ୍ତ୍ୱେ ଏବେ ବି ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ ଓଡ଼ିଶାରେ କାର୍ଯ୍ୟରତ ଥିବା ରାଜ୍ୟ ସରକାରଙ୍କ କାଗଜପତ୍ରରୁ ଜଣାପଡିଛି।
ଏମ୍ଓୟୁ ହୋଇଥିବା କମ୍ପାନୀକୁ ଅନ୍ୟ କମ୍ପାନୀ ଅଧିଗ୍ରହଣ କରିବା ପରେ କିଭଳି ପୁରୁଣା ସଂସ୍ଥା କାମ କରୁଛି, ତାହା ହିଁ ପ୍ରଶ୍ନ। ତେବେ ଏନେଇ ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ର ଓଡ଼ିଶା କର୍ତ୍ତୃପକ୍ଷ ମଧ୍ୟ ଅଧିଗ୍ରହଣକୁ ସ୍ୱୀକାର କରିଛନ୍ତି। କିନ୍ତୁ ରାଜ୍ୟର ସହରାଞ୍ଚଳରେ ପାନୀୟ ଜଳର ଶୁଦ୍ଧତା ଯାଞ୍ଚ ସେମାନେ ଠିକ୍ ଭାବେ ନିର୍ବାହ କରୁଥିବା କମ୍ପାନୀର ପଦାଧିକାରୀ ଅଜୟ ଶଙ୍କର ଠାକୁର ସୂଚନା ଦେଇଛନ୍ତି।
ଅମୃତ ଯୋଜନାରେ ରାଜ୍ୟର କଟକ, ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ପୁରୀ, ବାଲେଶ୍ୱର, ସମ୍ବଲପୁର, ବାରିପଦା ଓ ଭଦ୍ରକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଯୋଜନା ହୋଇଥିଲା। ଯୋଜନା ଅନୁଯାୟୀ, ସ୍ପେକ୍ଟ୍ରୋ ଆନାଲିଟିକାଲ୍ ଲ୍ୟାବ୍ ଏହିସବୁ ସହରରେ ଜଳର ମାନ ପରୀକ୍ଷା କରିବା କଥା। ରାଜ୍ୟ ସରକାରଙ୍କର ମଧ୍ୟ ଏକ ନିଜସ୍ୱ ବିଜ୍ଞାନାଗାର ରହିଛି। ବୋଧହୁଏ ଏହି ନିଜସ୍ୱ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କର ଭରସା ନଥିବାରୁ ବେସରକାରୀ ସଂସ୍ଥାକୁ ପାନୀୟ ଜଳର ମାନ ଯାଞ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୂଳ କମ୍ପାନୀ ଅଧିଗୃହୀତ ହୋଇଯିବା ପରେ ରାଜ୍ୟର ସହରାଞ୍ଚଳରେ ପାନୀୟ ଜଳର ଶୁଦ୍ଧତା ଯାଞ୍ଚ କାମ ଠିକଠାକ୍ ଚାଲିଛି ତ ? ସହରୀ ଲୋକେ ଯେଉଁ ପାଣି ପିଉଛନ୍ତି, ତାହା ବିଶୁଦ୍ଧ ତ ? ନିଜ ସଂସ୍ଥା ଥାଉ ଥାଉ ଏକ ବେସରକାରୀ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବା ପଛରେ କିଛି ଭିତିରି ଉଦ୍ଦେଶ୍ୟ ରହିଛି କି ? ରାଜ୍ୟ ସରକାର ଚୁକ୍ତି କରିଥିବା ମୂଳ କମ୍ପାନୀ ଅଧିଗୃହୀତ ହୋଇଯିବା ପରେ ସାଧାରଣ ଏଭଲି ବହୁ ପ୍ରଶ୍ନ ଉଙ୍କି ମାରିଛି ।
from OdishaReporter https://ift.tt/2M7wKrh
No comments:
Post a Comment