
ଗଞ୍ଜାମ (ଓଡ଼ିଶା ରିପୋର୍ଟର): ଯେତେବେଳେ ଯନ୍ତ୍ରଣା ସୀମା ଲଙ୍ଘେ, ଆତ୍ମୀୟ ଧୋକ୍କା ଦିଅନ୍ତି, ସେତେବେଳେ ଜୀବନ ପ୍ରତି ମୋହ ତୁଟିଯାଏ। ଏମିତି ସ୍ଥିତିର ସମ୍ମୁଖୀନ ହୋଇ, ଜୀବନ ହାରିଛନ୍ତି ଜଣେ ନବ ବିବାହିତା ମହିଳା ଡାକ୍ତର।
ଗଞ୍ଜାମ ଜିଲ୍ଲାର ଛତ୍ରପୁର ଷ୍ଟେସନ୍ ନିକଟରେ ଟ୍ରେନ୍ ଆଗକୁ ଡେଇଁ, ସବୁ ନିର୍ଯାତନା ଓ ଲାଞ୍ଛନାରୁ ନିଜକୁ ମୁକ୍ତ କରିଦେଇଛନ୍ତି ଏହି ଡାକ୍ତର।

ଗଞ୍ଜାମର ଡାକ୍ତର ଅର୍ଚ୍ଚନା ଦାସ, ସ୍ୱାମୀ ଓ ଶାଶୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ବାପା ରଘୁନାଥ। ପୋଲିସ୍ ମୃତଦେହ ଜବତ କରିବା ସହ ଅଭିଯୋଗର ଖୋଳତାଡ଼ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ରେଳ ଲାଇନ୍ ଉପରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ପରେ ଏହା ଅର୍ଚ୍ଚନାଙ୍କ ଶବ ବୋଲି ଜଣା ପଡ଼ିଥିଲା।

୫ ବର୍ଷ ତଳେ ଅର୍ଚ୍ଚନା ଡାକ୍ତର ଅଞ୍ଜନ ଦାସଙ୍କୁ ବିବାହ କରିଥିଲେ। ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଦୁହେଁ କାର୍ଯ୍ୟରତ ଥିଲେ। ଏ ପର୍ଯ୍ୟନ୍ତ ପୁଲିସ୍ ଘଟଣାର ଅସଲ ଗୁମର ଫିଟାଇ ନଥିବା ବେଳେ, ମୃତକଙ୍କ ପିତାଙ୍କ ବୟାନକୁ ଆଧାର କରି ତଦନ୍ତ ଚଳାଇଛି।
ଅର୍ଚ୍ଚନାଙ୍କ ବାପା ରଘୁନାଥ ଅଭିଯୋଗ କରିଛନ୍ତି, ତାଙ୍କ ଝିଅକୁ ରୀତିମତ ନିର୍ଯାତନା ଦିଆଯାଉଥିଲା। ସ୍ୱାମୀ ଅଞ୍ଜନ ଓ ତାଙ୍କ ମାଆ ଅତ୍ୟଧିକ ମାନସିକ ଚାପ ପକାଉଥିବା ଯୋଗୁ କିଛିଦିନ ତଳେ ଅର୍ଚ୍ଚନା ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇଥିଲେ। ତେବେ ଶାଶୂଘର ଲୋକ ଉପଯୁକ୍ତ ଚିକିତ୍ସା ନ କରାଇବାରୁ ସେ ଝିଅକୁ ଘରକୁ ନେଇଆସିଥିଲେ।

ଏହାସତ୍ତ୍ୱେ କମି ନଥିଲା ନିର୍ଯାତନା। କିଛିଦିନ ତଳେ ଅଞ୍ଜନ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ। ତେବେ ଏଥିରେ ଲେଖାଥିବା କପୋଳକଳ୍ପିତ ଅଭିଯୋଗକୁ ଦେଖି ଅର୍ଚ୍ଚନା ଅତ୍ୟନ୍ତ ମର୍ମାହତ ହୋଇପଡ଼ିଥିଲେ ବୋଲି କହିଛନ୍ତି ରଘୁନାଥ।

from Odisha Reporter https://ift.tt/2vT2jf1
No comments:
Post a Comment