
ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଏଚ୍ଡି ରେଭାନା ବନ୍ୟା ପୀଡ଼ିତଙ୍କୁ ବିସ୍କୁଟ୍ ପ୍ୟାକେଟ୍ ଫୋପାଡ଼ୁଥିବାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଦେଶବ୍ୟାପୀ ଏହାକୁ ନିନ୍ଦା କରାଯାଇଛି।
କର୍ଣ୍ଣାଟକର ପୂର୍ତ୍ତ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ଭାଇ, ଏଚ୍ଡି ରେଭାନା ସୋମବାର ହସନ୍ ଜିଲ୍ଲାରେ ବନ୍ୟା ପୀଡ଼ତଙ୍କୁ ବିସ୍କୁଟ୍ ଫୋପାଡ଼ୁଥିବାର ଦୃଶ୍ୟ ବିଭିନ୍ନ ଟିଭି ଚ୍ୟାନେଲ୍ରେ ପ୍ରସାରିତ ହୋଇଥିଲା। ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଦେଶର ବିଭିନ୍ନ ମହଲ ମନ୍ତ୍ରୀ ରେଭାନାଙ୍କ ଏହି କାର୍ଯ୍ୟକୁ ‘ସମ୍ବେଦନହୀନ’ ବୋଲି ଟିପ୍ପଣୀ ଦେଇଛନ୍ତି।
ନିଜ ଭାଇ ତଥା କ୍ୟାବିନେଟ୍ ସହଯୋଗୀଙ୍କ ଏପରି ଆଚରଣ ପାଇଁ ସୋଶାଲ୍ ମିଡିଆରେ କେହି କେହି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ମନ୍ତ୍ରୀଙ୍କ ଏପରି ଆଚରଣକୁ ଲଜ୍ଜାଜନକ ବୋଲି ସେମାନେ ଦର୍ଶାଇଛନ୍ତି।
ସେହିପରି ବିଜେପି ମଧ୍ୟ କର୍ଣ୍ଣାଟକ ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ‘ଅହଂକାରୀ ଓ ଅସଭ୍ୟ ଆଚରଣ’ ବୋଲି କହିଛି।
ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କିନ୍ତୁ ନିଜ ଭାଇ ତଥା କ୍ୟାବିନେଟ୍ ସହଯୋଗୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଥିଲା ଏବଂ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ମନ୍ତ୍ରୀଙ୍କ ପାଖରେ ସୁଯୋଗ ନଥିଲା। ସେ ଟିଭିରେ ଏହି ଭିଡିଓ ଦେଖିବା ପରେ ଏହାର ପୁନଃସମୀକ୍ଷା ମଧ୍ୟ କରିଛନ୍ତି ଏବଂ ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି।
ସେହିପରି ମନ୍ତ୍ରୀ ରେଭାନା କହିଛନ୍ତି ଯେ ଘଟଣାସ୍ଥଳରେ ପରିସ୍ଥିତି କିଛି ଭିନ୍ନ ଥିଲା। ତେବେ ଗଣମାଧ୍ୟମରେ ଏହାକୁ କଦର୍ଥ କରି ପ୍ରସାରିତ କରାଯାଇଥିବାରୁ ଏହା ତାଙ୍କୁ ଆଘାତ ଦେଇଛି।
from Odisha Reporter https://ift.tt/2Po2WVY
No comments:
Post a Comment