ସାକାର ହେଲା ସ୍ୱପ୍ନ: ଗୁପ୍‌ଚୁପ୍‌ ବିକି ବନିଗଲେ କ୍ରିକେଟ୍ ଷ୍ଟାର୍‌, ଜାଣନ୍ତୁ କିଏ ଓ କେମିତି ?   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ସାକାର ହେଲା ସ୍ୱପ୍ନ: ଗୁପ୍‌ଚୁପ୍‌ ବିକି ବନିଗଲେ କ୍ରିକେଟ୍ ଷ୍ଟାର୍‌, ଜାଣନ୍ତୁ କିଏ ଓ କେମିତି ?  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦେଶ ପାଇଁ କ୍ରିକେଟ୍ ଖେଳିବାର ସ୍ୱପ୍ନ ଦେଖି ଗାଁ ଛାଡ଼ି ଚାଲି ଆସିଥିଲେ ମାୟାନଗରୀ ମୁମ୍ବାଇ। ଏତେବଡ଼ ସହରରେ ତିଷ୍ଠି ରହିବା ପାଇଁ ଗୁପ୍‌ଚୁପ୍‌ ବିକି ପେଟ ପୋଷିଲେ, ତମ୍ବୁ ତଳେ ରାତି ବି କାଟିଲେ। କେବେ ଅଧା ପେଟ ତ ଆଉ କେବେ ସାରା ଦିନ ଉପାସ। ଏମିତି ସଂଘର୍ଷରୁ ଶେଷରେ ମିଳିଲା ମିଠା ଫଳ। ଆଉ ଦେଶ ପାଇଁ ଖେଳିବାର ସ୍ୱପ୍ନ କିଶୋର ବୟସରେ ହିଁ ହେଲା ସାକାର।


ଆମେ କହୁଛୁ, ୧୯ ବର୍ଷରୁ କମ୍ ଭାରତୀୟ ଦିନିକିଆ ଦଳର ସଦସ୍ୟ ତଥା ବାମହାତୀ ବ୍ୟାଟ୍‌ସ୍‌ମ୍ୟାନ୍ ଯଶଶ୍ୱୀ ଜୟସ୍ୱାଲ୍‌ଙ୍କ ସଂଘର୍ଷ ଓ ସଫଳତାର କାହାଣୀ।


ଉତ୍ତରପ୍ରଦେଶ ଭାଦୋହି ଅଞ୍ଚଳର ଏକ ଛୋଟିଆ ଦୋକାନୀଙ୍କ ପୁଅ ହେଉଛନ୍ତି ଯଶସ୍ୱୀ। ପିଲାବେଳୁ ସେ ଦେଖିଥିଲେ ଦେଶ ପାଇଁ କ୍ରିକେଟ ଖେଳିବାର ସ୍ୱପ୍ନ। ଖାସ୍ ଏଥିପାଇଁ ମାତ୍ର ୧୧ ବର୍ଷ ବୟସରେ ୨୦୧୨ରେ ଯଶସ୍ୱୀ ଗାଁ’ ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇରେ ମୁସ୍‌ଲିମ୍‌ ୟୁନାଇଟେଡ୍‌ ସ୍ପୋର୍ଟ୍‌ସ୍‌ କ୍ଲବ୍‌ରେ କାମ କରୁଥିବା ଜଣେ ମାମୁଁ ହିଁ ଥିଲେ ଯଶ୍ୱସୀଙ୍କ ପାଇଁ ସବୁକିଛି। ତେବେ ମାମୁଁ ଯେଉଁଠି ରହୁଥିଲେ, ସେଠାରେ ଦୁଇ ଜଣ ରହିବା ପାଇଁ ଜାଗା ନଥିଲା। ଏଣୁ ମାମୁଁ ସ୍ପୋର୍ଟ୍‌ସ୍‌ କ୍ଲବ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ଗ୍ରାଉଣ୍ଡ୍‌ସ୍‌ମ୍ୟାନ୍‌ ରହୁଥିବା ତମ୍ବୁରେ ଯଶସ୍ୱୀଙ୍କ ରହିବା ବ୍ୟବସ୍ଥା କରାଇଦେଲେ। ବାସ୍‌ ଏଇଠୁ ହିଁ ଆରମ୍ଭ ହେଲା ଯଶସ୍ୱୀଙ୍କ ଯାତ୍ରା।

ତମ୍ବୁରେ କଟିଲା ୩ ବର୍ଷ

ତମ୍ବୁ ତଳେ ସିନା ରହିବାର ବ୍ୟବସ୍ଥା ହୋଇଗଲା, କିନ୍ତୁ ମୁମ୍ବାଇ ଭଳି ମହଙ୍ଗା ସହରରେ ନିଜକୁ ବଞ୍ଚାଇ ରଖିବା ସହଜ ନଥିଲା। କ୍ରିକେଟ୍ ପାଇଁ ପ୍ରାକ୍ଟିସ୍ ସହ ପେଟ ପୋଷିବାକୁ ଆଜାଦ୍‌ ମୈଦାନ୍‌ରେ ଗୁପ୍‌ଚୁପ୍‌ ବିକ୍ରି କରିବା ଆରମ୍ଭ କରିଥିଲେ ଯଶସ୍ୱୀ। ଏହା ସହ ଏକ ଫଳ ଦୋକାନରେ ମଧ୍ୟ କାମ କଲେ। କଅଁଳ ବୟସରେ ଦିନସାରା ଖଟି ରୋଜଗାର ସହ ପ୍ରାକ୍ଟିସ୍ ସମୟରେ ଗ୍ରାଉଣ୍ଡ୍‌ରେ କଠିନ୍ ପରିଶ୍ରମ। ତା ସାଙ୍ଗକୁ ରାତିରେ ତମ୍ବୁ ତଳେ ଶୋଇ ଜାତୀୟ ଦଳର କ୍ରିକେଟର୍‌ ହେବାର ଅସୁମାରୀ ସ୍ୱପ୍ନ ଦେଖା। ବାସ୍‌ ଏମିତି କଟିଗଲା ୩ ବର୍ଷ।


ଜୀବନର ମୋଡ଼ ବଦଳାଇ ଦେଲା ଜ୍ୱାଲାଙ୍କ ସହ ଭେଟ

ମୁମ୍ବାଇରେ ନିଜସ୍ୱ ଏକ କ୍ରିକେଟ୍‌ ଏକାଡେମୀ କରିଛନ୍ତି କୋଚ୍ ଜ୍ୱାଲା ସିଂହ। ଏହି ଜ୍ୱାଲାଙ୍କ ସହ ଭେଟ ହେବା ପରେ ହିଁ ଯଶସ୍ୱୀଙ୍କ ଜୀବନର ଗତିପଥ ସଂପୂର୍ଣ୍ଣ ବଦଳି ଯାଇଥିଲା। କୈଶୋରରେ ଢେର ସଂଘର୍ଷ କରି ସଫଳତା ପାଇଥିବା ଜ୍ୱାଲା ହିଁ ଯଶସ୍ୱୀଙ୍କ ସ୍ୱପ୍ନ ଓ ବେଦନା ବୁଝିପାରି ତାଙ୍କୁ ଟ୍ରେନିଂ ଦେବା ଆରମ୍ଭ କଲେ। ଜ୍ୱାଲାଙ୍କ କୋଚିଂ ଆଉ ନିଜସ୍ୱ ଅଧ୍ୟବସାୟ ବଳରେ ଯଶସ୍ୱୀଙ୍କ ଭିତରେ ଲୁଚିଥିବା ପ୍ରତିଭା ପ୍ରସ୍ଫୁଟିତ ହେଲା। ଶେଷରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପାଇଁ ୧୯ ବର୍ଷରୁ କମ୍ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିରକୁ ଡାକାର ମିଳିଲା. ଆଉ ପରେ ଯାହା ସବୁ ଘଟିଲା, ସେସବୁ ହାସଲ କରିବା ପାଇଁ କୋମଳ ବୟସରୁ ସ୍ୱପ୍ନ ଦେଖିଥିଲେ ଯଶସ୍ୱୀ।


ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲ୍‌କର ଦିନେ କହିଥିଲେ, “ଯୁବକମାନେ ଥକି ନ ପଡ଼ି ସଂଘର୍ଷ କରିବା ଦରକାର”।  ‘କ୍ରିକେଟ୍‌ ଗଡ୍‌’ଙ୍କ ଏହି କଥା ହିଁ ଯଶସ୍ୱୀଙ୍କୁ ଆଗକୁ ବଢ଼ିବାକୁ ଯଥେଷ୍ଟ ପ୍ରେରଣା ଦେଉଥିଲା।


ସଚିନ୍‌ ଦେଇଥିଲେ ସ୍ମରଣୀୟ ଉପହାର: ଶ୍ରୀଲଙ୍କା ବିପକ୍ଷ ଅଣ୍ଡର୍‌ ନାଇଣ୍ଟିନ୍‌ ମ୍ୟାଚ୍‌ ପାଇଁ ଯଶସ୍ୱୀ ବେଙ୍ଗାଲୁରୁର ଏନ୍‌ସିଏ(ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମୀ)ରେ ପ୍ରଶିକ୍ଷଣ ନେଉଥିଲେ। ସେଠାରେ ସଚିନ୍‌ଙ୍କ ପୁଅ ଅର୍ଜୁନ୍‌ ତେନ୍ଦୁଲକର୍‌ଙ୍କ ସହ ସେ ଗୋଟିଏ ରୁମ୍‌ରେ ରହୁଥିଲେ। ଯଶସ୍ୱୀ ଥରେ ଅର୍ଜୁନ୍‌ଙ୍କୁ ତାଙ୍କ ବାପା ସଚିନ୍‌ଙ୍କ ସହ ଦେଖା କରାଇଦେବାକୁ ଅନୁରୋଧ କରିଥିଲେ। ଯଶସ୍ୱୀଙ୍କ ଏହି ସ୍ୱପ୍ନ ମଧ୍ୟ ସତ ହେଲା। ‘କ୍ରିକେଟ୍‌ ଗଡ୍‌’ ସଚିନ୍‌ ତେନ୍ଦୁଲକର୍‌ ନିଜେ ଆସି ତାଙ୍କୁ ଦେଖା କଲେ  ଓ ନିଜ ଅଟୋଗ୍ରାଫ୍‌ ଥିବା ଏକ ବ୍ୟାଟ୍‌ ଉପହାର ମଧ୍ୟ ଦେଲେ।


ନିଜ ସଂଘର୍ଷର ଦିନଗୁଡ଼ିକ ଏବେ ମନେ ପକାଇ ଯଶସ୍ୱୀ କୁହନ୍ତି, ” ମୁମ୍ବାଇ ଆସିବାର ପ୍ରଥମ ତିନି ବର୍ଷର ପ୍ରାକ୍ଟିସ୍‌ବେଳେ ସାଙ୍ଗମାନଙ୍କ ବାପା, ମା’ ସେମାନଙ୍କ ପିଲାଙ୍କ ପାଇଁ ବହୁ ଦାମୀ ଖାଦ୍ୟ ଆଣୁଥିଲେ, କିନ୍ତୁ ମୁଁ ନିଜେ ମୋ ପାଇଁ ଖାଇବା ବନାଉଥିଲି। ଡେରି ହୋଇଗଲେ ପୁଣି ଉପାସ ରହିବାକୁ ପଡ଼ୁଥିଲା।”


ଜୀବନ ସବୁବେଳେ ସଂଘର୍ଷ ମୟ। ହେଲେ ଏହି ସଂଘର୍ଷକୁ କେବେ ବି ନିଜର ଦୁର୍ବଳତା ବୋଲି ଭାବି ନାହାନ୍ତି ଯଶସ୍ୱୀ ବରଂ ଏହାକୁ ସମ୍ବଳ କରି ସେ ଆଗେଇ ଚାଲିଛନ୍ତି। ଏହିସବୁ ସଂଘର୍ଷ ଭବିଷ୍ୟତରେ ତାଙ୍କୁ ଜଣେ ଭଲ କ୍ରିକେଟର୍‌ କରି ଗଢ଼ି ତୋଳିବ ବୋଲି  ସେ ବିଶ୍ୱାସ ରଖନ୍ତି



from OdishaReporter https://ift.tt/2OORUsL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages