
ଥିରୁଅନନ୍ତପୁରମ: କେରଳରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ସେନା ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।
ସପ୍ତାହକ ମଧ୍ୟରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁ ରାଜ୍ୟରେ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରିସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଥିବାରୁ ବାୟୁସେନା ପକ୍ଷରୁ ୧୮ଟି ବିମାନ ଓ ୧୨ଟି ହେଲିକପ୍ଟର ଯୋଗେ ଜଳବନ୍ଦୀ ଲୋକମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଉଦ୍ଧାର କାର୍ଯ୍ୟରେ ୩ ସେନାର ଯବାନମାନଙ୍କ ସହ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧିକ ଉଦ୍ଧାରକାରୀ ଦଳ କେରଳକୁ ପଠାଇଛନ୍ତି। ବର୍ଷାଜନିତ ଅଘଟଣରେ କେବଳ ଗତକାଲି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପରିସ୍ଥିତି ସମ୍ପର୍କରେ ପୁଣି କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟନ୍ କହିଛନ୍ତି, କେରଳ ପରିସ୍ଥିତି ଏବେ ଅଣାୟତ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥଳ,ଜଳ ଓ ବାୟୁ ସେନା, ତଟରକ୍ଷୀ ବାହିନୀ ଏବଂ ଏନ୍ଡିଆର୍ଏଫ୍ର ୫୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ଆଜି ଆହୁରି ଅଧିକ ଟିମ୍ ଏଠାରେ ପହଞ୍ଚିଛନ୍ତି। ଏହାଦ୍ୱାରା ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି।
ବର୍ଷା ଯୋଗୁ କେରଳର ସଡ଼କ, ରେଳ ଓ ଆକାଶ ପଥରେ ଯାତାୟାତ ମଧ୍ୟ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁ କୋଚି ମେଟ୍ରୋ ଟ୍ରେନ୍ ସେବାକୁ ବନ୍ଦ ରଖାଯାଇଛି। ଥିରୁଅନନ୍ତପୁରମ ଓ କନ୍ୟାକୁମାରୀ ମଧ୍ୟରେ ଥିବା ମୁଖ୍ୟ ବ୍ରିଜ୍ ଭାସିଯିବାରୁ ଆଜି ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରତିଟି ଟ୍ରେନ୍ ୩୦ କିମି ବେଗରୁ ଅଧିକ ଜୋରରେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ଆସନ୍ତା ଶନିବାର ଯାଏ କୋଚି ଏୟାର୍ପୋର୍ଟରେ ବିମାନ ସେବାକୁ ବନ୍ଦ ରଖାଯାଇଛି। ବର୍ଷା ଜାରି ରହିଥିବାରୁ ରାଜ୍ୟର ୩୯ ଡ୍ୟାମ୍ରୁ ୩୫ଟିର ଗେଟ୍ ଖୋଲା ଯାଇଛି।
ବନ୍ୟା ଓ ବର୍ଷା ଯୋଗୁ ଇଡ୍ଡୁକି, ଏର୍ଣ୍ଣାକୁଲମ ଓ ପାଥନ୍ମ୍ଥିଟ୍ଟା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ଆସନ୍ତା ୨ ଦିନ ଯାଏ ବର୍ଷା ଲାଗି ରହିବାର ଆଶଙ୍କା ଥିବାରୁ ପରିସ୍ଥିତି ଆହୁରି ଜଟିଳ ରୂପ ନେବ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି ହୋଇଛି।
from OdishaReporter https://ift.tt/2MWQCKE




No comments:
Post a Comment