କେମିତି ବଢ଼ିଲା ଥାର୍ଡ ଫ୍ଲୋର୍‌ର ପାୱାର୍‌ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

କେମିତି ବଢ଼ିଲା ଥାର୍ଡ ଫ୍ଲୋର୍‌ର ପାୱାର୍‌ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥାର୍ଡ ଫ୍ଲୋର୍ ! ନାଁ ଶୁଣିବା ମାତ୍ରେ ଚମକି ପଡ଼ନ୍ତି ମନ୍ତ୍ରୀଠୁ ଅଫିସର। ସେଠୁ ଡକରା ଆସିଲେ ଅଜଣା ଆଶଙ୍କାରେ ଶିହରି ଉଠନ୍ତି। ରାଜ୍ୟ ଶାସନର ଗତିପଥ ନିର୍ଦ୍ଧାରଣ ହୁଏ ଏଇଠୁ।

‘ଥାର୍ଡ ଫ୍ଲୋର’ ଏବେ ‘ହାଲୋଜେନ୍’ ବଲବ ଭଳି ଜଳୁଛି, ଆଉ ଅନ୍ୟସବୁ ଅନ୍ଧାରରେ ରହିଛନ୍ତି। ମନ୍ତ୍ରୀ ଓ ଅଫିସରଙ୍କ ନିଜସ୍ୱ ନିଷ୍ପତ୍ତି ନେବା ବା ସାଧାରଣରେ ମନ୍ତବ୍ୟ ବା ବକ୍ତବ୍ୟ ରଖିବା ଉପରେ ବି ଅଘୋଷିତ କଟକଣା ଜାରି କରିସାରିଛି ଥାର୍ଡ ଫ୍ଲୋର।

ତେବେ ଏହା ଏବେ ଏତେ ପାୱାରଫୁଲ୍ ହୋଇଛି ନା ଆଗରୁ ଥିଲା? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାବେ ପରିଚିତ ଏହି ‘ଥାର୍ଡ ଫ୍ଲୋର’ ବା ତୃତୀୟ ମହଲାର ବର୍ତ୍ତମାନ ଓ ଅତୀତର ସ୍ଥିତିକୁ ଖୋଳତାଡ଼ କରିବାକୁ ପ୍ରୟାସ କରିଛି ‘ଓଡ଼ିଶା ରିପୋର୍ଟର୍।

୨୦୦୦ ମସିହା ମାର୍ଚ୍ଚ ୫ରୁ ଏହି ତୃତୀୟ ମହଲା ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କବଜାରେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମାର୍ଚ୍ଚ୧୫ ବିଜୁ ପଟ୍ଟନାୟକ,୧୯୯୫ ମାର୍ଚ୍ଚରୁ ୧୯୯୯ ଫେବୃୟାରୀ ୧୭ ଜାନକୀ ପଟ୍ଟନାୟକ,୧୯୯୯ ଫେବୃୟାରୀରୁ ଡିସେମ୍ବର ୬ ଗିରିଧର ଗମାଙ୍ଗ ଓ ଡିସେମ୍ବରରୁ ପ୍ରାୟ ୨୦୦୦ ମାର୍ଚ୍ଚ ୫ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଭାବେ ଏହି ‘ଥାର୍ଡ ଫ୍ଲୋର’ରେ ବସି ରାଜ୍ୟ ଶାସନ କରୁଥିଲେ।

ତେବେ ଏହି ରାଜନେତାମାନେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଥିଲେ ବି ଏହାର ନିୟନ୍ତ୍ରଣ ବା ଚାବିକାଠି ସର୍ବଦା ପ୍ରଶାସନିକ ଅଧିକାରୀ ନଚେତ୍ ଅନ୍ୟ ରାଜନେତାଙ୍କ ହାତରେ ରହିଆସିଛି ।

ରାଜ୍ୟ ଶାସନର ପ୍ରମୁଖ ନିଷ୍ପତ୍ତି ଓ ନିର୍ଦ୍ଦେଶ ‘ଥାର୍ଡ ଫ୍ଲୋର୍’ରୁ ହିଁ ଯାଇଥାଏ। ଏହା ଭିନ୍ନ କଥା ଯେ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଆଉ କାହାର ପ୍ରଭାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଧିକ ଥାଏ। ମାତ୍ର ରାଜନୈତିକ ବାଧ୍ୟବାଧକତା ହେଉ ଅବା କାର୍ଯ୍ୟର ଚାପ ଯୋଗୁ ହେଉ,ମୁଖ୍ୟମନ୍ତ୍ରୀଙ୍କୁ ଟପି ବା ତାଙ୍କ ପୂର୍ବ ସମ୍ମତି ନ ନେଇ କିଛି ରାଜନେତା ଓ ପ୍ରଶାସନିକ ଅଫିସର ନିଷ୍ପତ୍ତି ନେଇଥାନ୍ତି।

ସେମାନେ କେବଳ ଥାର୍ଡ ଫ୍ଲୋରରେ ନୁହେଁ ବରଂ ସମଗ୍ର ଶାସନ ବ୍ୟବସ୍ଥାରେ ‘ହେଭିୱେଟ୍’ ଭାବେ ପରିଚିତ ହୋଇଥାନ୍ତି। ଏଇ ଯେମିତି ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଜୟ ମହାପାତ୍ର ଓ ନଳିନୀ ମହାନ୍ତି, ଜାନକୀବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବସନ୍ତ ବିଶ୍ୱାଳ ଏବଂ ନବୀନବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ୨୦୦୦ରୁ ୨୦୧୨ ଜାନୁୟାରୀ ମାସ ପର୍ଯ୍ୟନ୍ତ ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ରାଜନୈତିକ ବ୍ୟକ୍ତିଙ୍କର ପ୍ରଭାବ ଅଧିକ ରହିଥିଲା।

କିନ୍ତୁ ପରିବର୍ତିତ ପରିସ୍ଥିତିରେ ଜଣେ ଅଣଓଡ଼ିଆ ଅଫିସର୍ ହିଁ ଏବେ ଥାର୍ଡ ଫ୍ଲୋର୍’ର ସର୍ବମୟକର୍ତ୍ତା ପାଲଟିଛନ୍ତି।

ରାଜନୈତିକ ବିଶ୍ଲେଷକଙ୍କ କହିବାନୁସାରେ ବିଜୁବାବୁ ଓ ଜାନକୀବାବୁଙ୍କ ସମୟରେ ରାଜନୈତିକ ନେତା ଓ ନେତୃତ୍ୱଙ୍କ ପ୍ରଭାବ ଥାର୍ଡ ଫ୍ଲୋରରେ ରହିଥିଲା। ବିଜୁବାବୁଙ୍କ ସମୟରେ ପ୍ୟାରୀମୋହନ ମହାପାତ୍ର,ଗୌରୀ ମୋହନ ଷଡ଼ଙ୍ଗୀ ଓ ବେଣୁଧର ମିଶ୍ରଙ୍କ ଭଳି ପ୍ରଶାସକ ରହିଥିଲେ ମଧ୍ୟ ରାଜନୈତିକ ନେତୃତ୍ୱ ଓ ନେତା ଅଧିକ ପ୍ରଭାବଶାଳୀ ଥିଲେ।

ଜାନକୀବାବୁଙ୍କ ସମୟରେ ବି ଉପ-ମୁଖ୍ୟମନ୍ତ୍ରୀ ଭାବେ ବସନ୍ତ ବିଶ୍ୱାଳଙ୍କ ଅନେକ ପ୍ରଭାବ ଥିଲା । ଉଭୟଙ୍କ ସୁଦୃଢ କ୍ଷମତା ଆଗରେ କାର୍ଯ୍ୟନିର୍ବାହୀର ପ୍ରଭାବ ବିଶେଷ ଅନୁଭୂତ ହେଉନଥିଲା। ଯଦିଓ ଜାନକୀଙ୍କ ସମୟରେ ମଦନ ପଣ୍ଡା, ଗଗନ ଦାସ ଓ ସୁଧାଂଶୁ ମିଶ୍ରଙ୍କ ଭଳି ପ୍ରଶାସକଙ୍କ ପ୍ରଭାବ ଥିଲା, ତଥାପି ରାଜନୈତିକ ନେତା ଓ ନେତୃତ୍ୱ ଆଗରେ ସେମାନେ ଫିକା ପ୍ରାୟ ଥିଲେ।

ଗିରିଧାରୀ ଗମାଙ୍ଗଙ୍କ ୧୦ମାସର ମୁଖ୍ୟମନ୍ତ୍ରୀତ୍ୱ ସମୟରେ କଂଗ୍ରେସ ନେତା ପ୍ରଭାବଶାଳୀ ରହିଥିଲେ । ଯଦିଓ ପ୍ରଶାନ୍ତ ନାୟକଙ୍କ ଭଳି ଆଇଏଏସ୍ ଅଫିସରଙ୍କ ପ୍ରଭାବ ଥିଲା, କିନ୍ତୁ ରାଜନୈତିକ ନେତା ଓ ନେତୃତ୍ୱଙ୍କ ପ୍ରଭାବ ଅଧିକ ଥିବା ଜଣାପଡୁଥିଲା।

ମାତ୍ର ୨୦୦୦ ମସିହା ପରଠାରୁ ‘ଥାର୍ଡ ଫ୍ଲୋର’ରେ ଉଭୟ ‘ଭିଜନ୍ ଓ ମୋସନ୍’ ପ୍ରସ୍ତୁତି ଦାୟିତ୍ୱ କାର୍ଯ୍ୟନିର୍ବାହୀ ଉପରେ ପଡିଥିଲା । ନେତୃତ୍ୱଙ୍କ ଦୁର୍ବଳତାର ସୁଯୋଗ ଓ ଅଖଣ୍ଡ ବିଶ୍ୱାସକୁ ଆଧାର କରି ଅବସରପ୍ରାପ୍ତ ଆଇଏଏସ୍ ପ୍ୟାରୀମୋହନ ମହାପାତ୍ରଙ୍କ ପ୍ରଭାବ ‘ଥାର୍ଡ ଫ୍ଲୋର’ରେ ଅନୁଭୂତ ହେଲା। ସେ ଥାର୍ଡ ଫ୍ଲୋରରେ ଏଭଳି ଏକ ବଳୟ ତିଆରି କଲେ ଯାହାକୁ ଭେଦ କରିବା ଅନ୍ୟ ରାଜନେତାଙ୍କ ପାଇଁ ଧୀରେ ଧୀରେ କଷ୍ଟକର ହେଲା ଓ ଯାହା ଏବେ ଉଗ୍ର ରୂପରେ ପ୍ରତୀତ ହେଉଛି।

ଦୁର୍ବଳ ଓ ଅନଭିଜ୍ଞ ନେତୃତ୍ୱଙ୍କ ମୌନସମ୍ମତି ତଥା ପରିଚାଳନାଗତ ଅପାରଗତାର ସୁଯୋଗ ନେଇ ନିଜ ପୂର୍ବ ସହଯୋଗୀଙ୍କ ମାଧ୍ୟମରେ ଅବସର ପରେ ବି ଥାର୍ଡ ଫ୍ଲୋରରେ ପ୍ୟାରୀଙ୍କ ହସ୍ତକ୍ଷେପ ଆରମ୍ଭ ହୋଇଥିଲା। ନବୀନଙ୍କ ପ୍ରଥମ ଇନିଂସରେ ପ୍ରଶାସକ ଯୁଗଳ କିଶୋର ମହାପାତ୍ର ଓ ବେଣୁଧର ମିଶ୍ରଙ୍କ ଦାୟିତ୍ୱରେ ଥିବା ଥାର୍ଡ ଫ୍ଲୋରରେ ନିଜର ପ୍ରଭାବକୁ କାଏମ ରଖିବା ପାଇଁ ପ୍ୟାରୀ ଧୀରେ ଧୀରେ ଏହାକୁ ନେତା ଓ ଅଫିସରଙ୍କ ପାଇଁ ଏକ ‘ଅପହଞ୍ଚ ଅଭେଦ୍ୟ ଦୁର୍ଗ’ର ରୂପ ଦେଲେ।

ଦ୍ୱିତୀୟ ଇନିଂସର ପ୍ରଥମ ଭାଗରେ ଯୁଗଳ ମହାପାତ୍ର ଓ ପରେ ବିଜୟ କୁମାର ପଟ୍ଟନାୟକଙ୍କ ସମେତ ବେଣୁଧର ମିଶ୍ର ଓ ସନ୍ତୋଷଷଡ଼ଙ୍ଗୀଙ୍କ ପରି ଦକ୍ଷ ପ୍ରଶାସକ ଥିଲେ ବି ପ୍ୟାରୀଙ୍କ ପ୍ରଭାବ ପୂର୍ବଭଳି ବଜାୟ ରହିଥିଲା। ତେବେ ପ୍ୟାରୀ ଯେଉଁ ଅଭେଦ୍ୟ ଦୁର୍ଗ ତିଆରି କରିଥିଲେ ତାହା ତାଙ୍କ ପାଇଁ ଧୀରେଧୀରେ ବୁମେରାଂ ଭଳି କାର୍ଯ୍ୟ କରିଥିଲା। ଏହାର ମୂଳଦୁଆ ୨୦୦୬ ମସିହା ଶେଷ ଭାଗରୁ ପଡିଥିଲା,ଯାହା ୨୦୧୧ ମଧ୍ୟଭାଗରେ ସଫଳ ରୂପ ନେଇ ୨୦୧୨ ଜାନୁୟାରୀ ବେଳକୁ ସମ୍ପୂର୍ଣ୍ଣ ସଫଳ ହୋଇଥିଲା।

କେବଳ ଖାସ୍ ଏହି କାରଣ ପାଇଁ ଏକଦା ବରିଷ୍ଠ ପ୍ରଶାସକ ଥିବା ପ୍ୟାରୀ ନିଜେ ସାଂସଦ ହେବା ପରେ ‘ଅଫିସରମାନେ ଲଗାମଛଡ଼ା’ ହୋଇପଡିଛନ୍ତି ବୋଲି ବୟାନ ଦେବାକୁ ପଛାଉ ନଥିଲେ । ‘ଥାର୍ଡ ଫ୍ଲୋର’କୁ ପ୍ୟାରୀ କରିଥିବା ଅଭେଦ୍ୟ ଦୁର୍ଗ ଏବେ ତାଙ୍କର ଅବର୍ତ୍ତମାନରେ ସୁଦ୍ଧା ବଜାୟ ରହିଛି।

ଅନ୍ୟପକ୍ଷରେ, ପ୍ୟାରୀଙ୍କ ଅନୁପସ୍ଥିତିରେ ଦୁର୍ବଳ ପରିଚାଳନାଗତ ସୁଯୋଗ ନେଇ ‘ଥାର୍ଡ ଫ୍ଲୋର’ର କାର୍ଯ୍ୟନିର୍ବାହୀ ଏତେ ପାୱାରଫୁଲ୍ହୋଇଗଲେ ଯେ ଏହାର ବିନା ଇସାରାରେ ରାଜ୍ୟ ଶାସନରେ ପତ୍ରଟିଏ ଝଡ଼ିବା ମଧ୍ୟ କଷ୍ଟକର ହୋଇପଡିଛି ବୋଲି ଖୋଳତାଡ଼ରୁ ଜଣାପଡିଛି।

‘ଥାର୍ଡ ଫ୍ଲୋର’ର ରିମୋଟ୍ ଜଣେ ଅଣଓଡ଼ିଆ ଅଫିସରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି । ଅବଶ୍ୟ ନବୀନ ନିଜେ ନିଷ୍ପତ୍ତି ନେଉଛନ୍ତି ବୋଲି ଉପରକୁ ଯେତେ କୁହାଗଲେ ମଧ୍ୟ ବାସ୍ତବପକ୍ଷରେ ସମ୍ପୃକ୍ତ ଅଫିସରଙ୍କୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସୁଯୋଗ ଦିଆଯାଇଛି। ସ୍ଥିତି ଏଭଳି ହୋଇଛି ଯେ ମନ୍ତ୍ରୀମାନେ ବି ଏହି ଅଧିକାରୀଙ୍କୁ ‘ହାଁ ଜୀ ହାଁ ଜୀ’ କହିବାକୁ ବାଧ୍ୟ ହେଉଛନ୍ତି।

ନବୀନଙ୍କ ଭୟରେ ମନ୍ତ୍ରୀମାନେ ନିରବ ରହି ଜଣେ ଅଫିସରଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଥିବାବେଳେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବି ବିଭାଗୀୟ ମନ୍ତ୍ରୀଙ୍କର ଭୂମିକାକୁ ଏହି ଥାର୍ଡ ଫ୍ଲୋର ସଙ୍କୁଚିତ ଓ ଗୌଣ କରିଦେଇଛି।

ଉଦାହରଣ ସ୍ୱରୂପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଅଧିକାଂଶ ବିଭାଗର ସମୀକ୍ଷା ବୈଠକ କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଭାଗୀୟ ମନ୍ତ୍ରୀ ଅବା ସଚିବଙ୍କୁ ଡକାଯିବା ମଧ୍ୟ ‘ଥାର୍ଡ ଫ୍ଲୋର’ର କାର୍ଯ୍ୟନିର୍ବାହୀଙ୍କ ଇଚ୍ଛାଧୀନ ବ୍ୟାପାର ପାଲଟି ଯାଇଥିବା ଅଭିଯୋଗ ହେଉଛି ।

‘ଥାର୍ଡ ଫ୍ଲୋର’ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଅଣଦେଖା କରି ଅଧିକାଂଶ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନେଉଥିବା ଖୋଲାଖୋଲି ଚର୍ଚ୍ଚା ହେଉଛି।

ତେବେ ଥାର୍ଡ ଫ୍ଲୋରରେ ରାଜନୈତିକ ନେତା ଓ ନେତୃତ୍ୱଙ୍କ ସର୍ବଦା ବେଶୀ ଗୁରୁତ୍ୱ ରହିବା ଉଚିତ୍ ବୋଲି କୁହନ୍ତି ବରିଷ୍ଠ ରାଜନେତା ପଞ୍ଚାନନ କାନୁନଗୋ। ତାଙ୍କ ମତରେ ଶାସନ ବ୍ୟବସ୍ଥାରେ ଥାର୍ଡ ଫ୍ଲୋର ହେଉଛି ତ୍ରିନାଥ ମେଳାର ଛୋଟା ଓ ଅନ୍ଧର କାହାଣୀ ପରି।

‘ଏଠି ଛୋଟା ହେଉଛି ରାଜନୈତିକ ନେତା ଅବା ନେତୃତ୍ୱ। ଅନ୍ଧ ହେଉଛି କାର୍ଯ୍ୟନିର୍ବାହୀ। ଛୋଟା ‘ଭିଜନ୍’ ପ୍ରସ୍ତୁତ କରିବ,ଅନ୍ଧ ତାକୁ ‘ମୋସନ୍’ଦେବ । ଅର୍ଥାତ୍ ରାଜନୈତିକ ନେତୃତ୍ୱ ଯେଉଁ ଚିନ୍ତାଧାରା,ଯୋଜନା ଓ ନିଷ୍ପତ୍ତି ନେବେ ତାକୁ ହିଁ ପାଳନ କରିବା କାର୍ଯ୍ୟ କାର୍ଯ୍ୟନିର୍ବାହୀର।’

ଶ୍ରୀ କାନୁନଗୋ କହିଛନ୍ତି, ‘ ଅନ୍ଧର କାନ୍ଧରେ ବସି ଛୋଟା ହାଟକୁ ଯାଇପାରିବ, କିନ୍ତୁ ନବୀନଙ୍କ ଶାସନରେ ଛୋଟା କାନ୍ଧରେ ବସି ଅନ୍ଧ ହାଟକୁ ଯାଉଛି। କହିବାର ଅର୍ଥ ହେଲା, ଛୋଟା ରୂପୀ ରାଜନୀତିକ ନେତୃତ୍ୱ ଆଖି ଥାଇ ବି ଦେଖିପାରୁନଥିବାରୁ ଅନ୍ଧ ଉଭୟ କାର୍ଯ୍ୟ ତୁଲାଇବାରେ ଲାଗିଛି।’

‘ଛୋଟା ନିଜେ ଅନ୍ଧକୁ କାନ୍ଧରେ ବସାଇଥିବାରୁ ଅଙ୍କାବଙ୍କା ଚାଲୁଛି ଓ ଯାହାଫଳରେ ଅନ୍ଧ ରୂପୀ କାର୍ଯ୍ୟନିର୍ବାହୀର ଯଥେଚ୍ଛାଚାରୀ ଆଚରଣ ଏବେ ସ୍ପଷ୍ଟ ବାରି ହୋଇପଡୁଛି। ତେବେ ଅମଲାତନ୍ତ୍ରକୁ ମୁଁ ଦୋଷ ଦେଉନି। ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇବା ସମୟରେ ନିଜର ସୀମିତ ଅଭିଜ୍ଞତାରୁ ଜାଣିଛି ବଳିଷ୍ଠ ରାଜନୈତିକ ଇଚ୍ଛାଶକ୍ତି ରହିଲେ ଅମଲାତନ୍ତ୍ରର ସହଯୋଗ ମିଳେ କିନ୍ତ ଦୁର୍ବଳ ରହିଲେ ସେମାନେ ଅଧିକ ପ୍ରଭାବଶାଳୀ ହୁଅନ୍ତି।’

କ୍ଷମତାର ବିକ୍ରେନ୍ଦୀକରଣ ଉପରେ ଗୁରୁତ୍ୱ ଦେଉଥିବା ଆଜିର ଗଣତାନ୍ତ୍ରିକ ଯୁଗରେ ଓଡ଼ିଶା ଶାସନରେ ‘ଥାର୍ଡ ଫ୍ଲୋର’ ଏବେ ଏକଚ୍ଛତ୍ରବାଦୀହୋଇ ଉଠିଛି,ଯାହା ଉପରେ ଅଙ୍କୁଶ ଜରୁରୀ ବୋଲି ଶାସକ ଦଳ ମହଲରେ ଚର୍ଚ୍ଚା ଚାଲିଛି।



from OdishaReporter https://ift.tt/2vIlCaS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages