
କର୍ମଜୀବୀଙ୍କ ପାଇଁ ମାସର ଶେଷ କିଛି ଦିନ ଚଳିବା ବେଶ୍ କଷ୍ଟକର। କାରଣ ଦରମା ଯାହା ବି ହେଇଥାଉ, ପ୍ରାୟ ଅଧିକାଂଶ କର୍ମଜୀବୀ ମାସ ଶେଷକୁ ନିଅଣ୍ଟିଆ ସ୍ଥିତିରେ ପଡ଼ନ୍ତି। ଯଦି ଆପଣଙ୍କର ଏମିତି ସମସ୍ୟା ରହିଛି, ତେବେ ଏହାର ସମାଧାନ ପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ। ଏହି ଟିପ୍ସ ଆପଣାଇଲେ, ଦେଖିବେ ଆପଣ ନିଜ ଦରମାରେ ପୂରା ମାସ ଆରାମରେ ରହିବେ। ଅଭାବର କୌଣସି ସମସ୍ୟା ବି ଉପୁଜିବନାହିଁ।
୧) ଆୟ ଅଧିକ, ଖର୍ଚ୍ଚ କମ୍
ଅଧିକାଂଶଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳେ ଯେ ଆୟ ସାମାନ୍ୟ ବୃଦ୍ଧି ହେବା ମାତ୍ରେ ସେମାନଙ୍କ ଖର୍ଚ୍ଚ ଆଶାତୀତ ଭାବେ ବଢ଼ିଯାଏ। ଫଳରେ ମାସ ଶେଷ ବେଳକୁ ଦେବାଳିଆ ଅବସ୍ଥା ଉପୁଜିଥାଏ। ତେଣୁ ଆୟ ଯେତେ ବି ବଢ଼ୁ, ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ପ୍ରଥମେ ନିୟନ୍ତ୍ରଣ ରଖିବା ଉଚିତ୍।
୨) ଭବିଷ୍ୟତର ଚିନ୍ତା କରନ୍ତୁ
ଅଭାବ ଅନଟନରୁ ରକ୍ଷା ପାଇବା ପାଇଁ ଦରମା ମିଳିବା ମାତ୍ରେ ଟଙ୍କା ନ ଉଡ଼ାଇ, ଭବିଷ୍ୟତ ପାଇଁ କିଛି ସଞ୍ଚୟ କରନ୍ତୁ। ନହେଲେ ଅସୁବିଧାରେ ପଡ଼ିଯିବେ।
୩) ଆଜିଠୁ ହିଁ ସଞ୍ଚୟ କରନ୍ତୁ
ଏପରି ଆଦୌ ଭାବନ୍ତୁ ନାହିଁ ଯେ କାଲି ଯେତେବେଳେ ଦରମା ବଢ଼ିଯିବ, ସେତେବେଳେ ଟଙ୍କା ସଞ୍ଚୟ କରିବେ। ଦରମା ଯେତେ ବି ହେଉଥାଉ ନା କାହିଁକି, ସବୁବେଳେ ଦରମାର କିଛି ଅଂଶ ଭବିଷ୍ୟତ ପାଇଁ ସଞ୍ଚୟ କରି ରଖିବା ଉଚିତ୍। ଏହି ଉପାୟ ଆଜି ହିଁ ଆପଣାନ୍ତୁ।
୪) ଖର୍ଚ୍ଚର ହିସାବ ରଖନ୍ତୁ
ସବୁବେଳେ ନିଜ ଖର୍ଚ୍ଚର ହିସାବ ରଖନ୍ତୁ। ଏଭଳି କଲେ ଆପଣ ଜାଣିପାରିବେ, କେଉଁଠି ଓ କେତେ ଖର୍ଚ୍ଚ ହେଉଛି? ଏହା ବ୍ୟତୀତ ଦରକାରୀ ଖର୍ଚ୍ଚ କେତେ ଓ ବାଜେ ଖର୍ଚ୍ଚ କେତେ, ସେ ବିଷୟରେ ବି ଜାଣିପାରିବେ। ଏହାପରେ ଆପଣ ବାଜେ ଖର୍ଚ୍ଚରୁ ବର୍ତ୍ତି ଯାଇପାରିବେ।
୫) ବଜେଟ୍ ପ୍ରସ୍ତୁତ କରନ୍ତୁ
ପ୍ରତି ମାସରେ ଏକ ବଜେଟ୍ ତିଆରି କରନ୍ତୁ। ସାରା ମାସ ସେହି ବଜେଟ୍ ହିସାବରେ ହିଁ ଚଳନ୍ତୁ। କିନ୍ତୁ ଅଧିକାଂଶ ଲୋକ ବଜେଟ୍ ତିଆରି କରନ୍ତି, ହେଲେ ପରେ ଏଠି ସେଠି, ବହୁତ ବାଜେ ଖର୍ଚ୍ଚ କରିଥାନ୍ତି। ବଜେଟ୍ ହିସାବରେ ଚାଲନ୍ତୁ, ଦେଖିବେ ପକେଟ୍ କେବେ ଫାଙ୍କା ହେବ ନାହିଁ।
୬) ଆବଶ୍ୟକତା ଓ ଇଚ୍ଛା
ପ୍ରଥମେ ଯେଉଁ ଜିନିଷଗୁଡ଼ିକର ନିହାତି ଆବଶ୍ୟକତା ରହିଛି, ପ୍ରଥମେ ସେଗୁଡ଼ିକ ପୂରା କରନ୍ତୁ। ଏହାପରେ ଯେଉଁ ସବୁ ଇଚ୍ଛା ରହିଛି, ସେଗୁଡ଼ିକୁ ଧୀରେ ଧୀରେ ପୂରା କରିବାକୁ ଚେଷ୍ଟା କରନ୍ତୁ। ଏକା ଥରକରେ ସବୁ ଇଚ୍ଛା ପୂରଣ ନକରି ନିଜର ଇଚ୍ଛାଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଏହି ତାଲିକା ଅନୁଯାୟୀ, ପ୍ରତି ମାସରେ ଧୀରେ ଧୀରେ ଗୋଟିଏ ପୂରା କରନ୍ତୁ।
୭) ଧାର କରଜ ଶୁଝି ଦିଅନ୍ତୁ
ଯଦି କାହାଠୁ କିଛି ଧାର କରଜ କରିଛନ୍ତି, ତେବେ ଦରମା ଆସିବା ମାତ୍ରେ ପ୍ରଥମେ ତାକୁ ଶୁଝାଇ ଦିଅନ୍ତୁ। ସେ ସମୟରେ ସପିଂ, ମୁଭି ଓ ମସ୍ତି ସବୁ ଭୁଲିଯାଆନ୍ତୁ। କାରଣ ମୁଣ୍ଡ ଉପରେ ଯଦି ଧାର କରଜର ବୋଝ ଅଛି, ପ୍ରଥମେ ତାକୁ ନ ଶୁଝିଲେ, ଆଗକୁ ଋଣଭାର ବଢ଼ିବା ନିଶ୍ଚୟ।
from OdishaReporter https://ift.tt/2M5ELNv
No comments:
Post a Comment