
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ବିରୋଧ କରି ସମାନ୍ତରାଳ ଭାବେ ଅଗଷ୍ଟ ୧୫ ତାରିଖରୁ ସମଗ୍ର ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ବିଜେଡି ସରକାର ଭୋଟ୍ ବ୍ୟାଙ୍କ ଖସିଯିବା ଭୟରେ ଏବେ ୬୯.୭୦ ଲକ୍ଷ ହିତାଧିକାରୀ ପରିବାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତଲେଖା ଚିଠି ପହଞ୍ଚାଇବେ।
ଏ ଚିଠିରେ କଣ ଲେଖା ରହିବ, ତାହା ସ୍ପଷ୍ଟ ହୋଇନଥିଲେ ହେଁ, ସରକାରୀ କଳର ବ୍ୟାପକ ଉପଯୋଗ କରି ପ୍ରତ୍ୟେକ ପରିବାର ପାଖରେ କେମିତି ମୁଖ୍ୟମନ୍ତ୍ରୀଙ୍କ ଚିଠି ପହଞ୍ଚାଇ ଯାଇପାରିବ, ସେଥିପାଇଁ ଏକ ବିସ୍ତୃତ ଗାଇଡ୍ଲାଇନ୍ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଜାରି ହୋଇଛି। ଯାହାକୁ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ବିରୋଧ କରିଛନ୍ତି।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ୪୪.୦୮ ଲକ୍ଷ ହିତାଧିକାରୀ ପରିବାର ଓ ବିଜୁ କୃଷକ କଲ୍ୟାଣ ଯୋଜନାର ୨୫.୬୧ ଲକ୍ଷ ହିତାଧିକାରୀ ପରିବାରଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ପହଞ୍ଚାଇବା ନିମନ୍ତେ ଗାଁରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ କିଭଳି କାର୍ଯ୍ୟ କରିବେ ସେ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ଡା। ପି.କେ.ମେହେର୍ଦ୍ଦା ସମସ୍ତ ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ୍ ଜାରି କରିଛନ୍ତି।
ଅଗଷ୍ଟ ୧୫ରୁ ଆରମ୍ଭ କରି ୭ ଦିନ ମଧ୍ୟରେ ଏହି ଚିଠି ବଣ୍ଟନ କାର୍ଯ୍ୟ ଶେଷ କରିବାକୁ କୁହାଯାଇଥିବା ବେଳେ ପ୍ରତିଦିନ କେତେ ଚିଠି ବଣ୍ଟାଗଲା, ସେନେଇ ବିଡିଓ ଓ ଜିଲ୍ଲାପାଳମାନେ ରାଜ୍ୟ ସରକାରଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ବରିଷ୍ଠ ନେତା ତଥା ମୁଖପାତ୍ର ଡା.ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆଳ କରି ଭୋଟରଙ୍କୁ କରାୟତ୍ତ କରିବା ପାଇଁ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ହୀନ ଉଦ୍ୟମ କରିଛନ୍ତି। ଏହା ଆଜି ସ୍ପଷ୍ଟ ପ୍ରମାଣିତ ହୋଇଛି।
ସେ କହିଛନ୍ତି, “ଏହି ଯୋଜନା କିଭଳି କାର୍ଯ୍ୟ କରିବ ତା’ର ରୂପରେଖ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତେଣେ ରାଜ୍ୟତମାମ୍ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଉପକରଣର ଘୋର ଅଭାବ ରହିଛି। ଯୋଜନାକୁ ସରକାରୀସ୍ତରରେ ବିଜ୍ଞାପନ ଦିଆଯାଇ ପ୍ରଚାର କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଚିଠି ବ୍ୟକ୍ତିଗତ ଭାବେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାର କ’ଣ ଆବଶ୍ୟକତା ରହିଛି” ବୋଲି ସେ ପ୍ରଶ୍ନ କରିଛନ୍ତି।
“ନିଜର ଭୋଟ୍ ଲାଳସାକୁ ଚରିତାର୍ଥ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଲଗାଇ ଭୋଟରଙ୍କୁ ଆକର୍ଷିତ କରିବାକୁ ଏଭଳି ଅଭିନବ ଯୋଜନା ହୋଇଛି । ଭୋଟ୍ ପାଇଁ ଯେକୌଣସି ସ୍ତରକୁ ଏମାନେ ଯାଇପାରିବେ” ବୋଲି ଡାକ୍ତର ମହାପାତ୍ର କହିଛନ୍ତି।
ସେହିପରି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, “୧୯ ବର୍ଷ ଧରି ଶାସନରେ ରହି ଏପର୍ଯ୍ୟନ୍ତ ଲୋକଙ୍କୁ ସାମାନ୍ୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏ ସରକାର ବିଫଳ ରହିଛି। ରାସ୍ତାଘାଟରେ ମହିଳା ପ୍ରସବ କରୁଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି। ସରକାରର ସ୍ଥାଣୁତା ଜଳଜଳ ହୋଇ ଦିଶୁଛି। ସ୍ୱାସ୍ଥ୍ୟ ଯୋଜନା ଲାଗୁ ହେବ, ଏହାକୁ ନେଇ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ନିହାତି ହାସ୍ୟାସ୍ପଦ କଥା।“
ସେ ଆହୁରି କହିଛନ୍ତି, “ସରକାରୀ ପାଣ୍ଠିରେ ନିଜ ଦଳ ପାଇଁ ପ୍ରଚାର ଅଭିଯାନର ନୂଆ ବାଟ ବାହାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଏବେ ଚିଠି ଭେଳିକି ଆରମ୍ଭ ହୋଇଛି। ଏହା ଏକ ରାଜନୀତିକ ଷଡ଼ଯନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କଠୁ ଚିଠି ଆସିଛି ବୋଲି କହି ଗାଁ ଗହଳିର ଲୋକଙ୍କ ସମ୍ବେଦନାକୁ ହାସଲ କରିବାକୁ ଏଭଳି ଭାଣ୍ଡାମୀ ଚାଲିଛି।“
“ତୃଣମୂଳସ୍ତରରେ ବିଜେଡିର ସାଂଗଠନିକ କାର୍ଯ୍ୟକର୍ତ୍ତା କହିଲେ ଗୁଣ୍ଡା, ଦଲାଲ ଓ ପେଟି ଠିକାଦାର। ସେମାନେ ତ ଯୋଜନା କଥା ପ୍ରଚାର କରିବେନି। ତେଣୁ ସରକାରୀ କର୍ମଚାରୀଙ୍କ ତଣ୍ଟିରେ ଛୁରୀ ରଖି ନବୀନଙ୍କ ଚିଠି ବାଣ୍ଟିବା କାର୍ଯ୍ୟ ସେମାନଙ୍କ ଉପରେ ଲଦି ଦିଆଯାଇଛି । ଏହା କେବଳ ଭୋଟ୍ ହାତେଇବା ପାଇଁ” ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଚିଠି ବାଣ୍ଟିବା ପାଇଁ ଗାଁ ଗହଳିର ପ୍ରତ୍ୟେକ କର୍ମଚାରୀଙ୍କୁ ଚିଠି ପିଛା ଏକ ଟଙ୍କା ଦିଆଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଚାର ନିମନ୍ତେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରାଜ୍ୟର ଚାରିଆଡ଼େ ହୋର୍ଡିଂ ବୋର୍ଡ ସବୁକୁ ବୁକ୍ କରି ରଖିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ସାରିଛନ୍ତି।
from OdishaReporter https://ift.tt/2OTGdkw
No comments:
Post a Comment