
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଦାନ-ଦକ୍ଷିଣା ବନ୍ଦ, ପରେ ସିସିଟିଭି ବ୍ୟବସ୍ଥାର ପ୍ରଚଳନ । ଆଉ ଏବେ ମହାପ୍ରସାଦ ସେବାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସେବାୟତ ଗୋଷ୍ଠୀ। ପେଟ ପାଟଣା ପ୍ରତି ଆଞ୍ଚ ଆସିଲେ ଗଜପତିଙ୍କୁ ଚାବି ହସ୍ତାନ୍ତର କରି ସବୁ ସେବାନୀତିରୁ ନିବୃତ୍ତ ରହିବେ ବୋଲି ସିଧାସଳଖ ଧମକ ଦେଇଛନ୍ତି କିଛି ସେବାୟତ।
ଏପଟେ ରଥଯାତ୍ରା ସରିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନେଇ ତତ୍ପରତା ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରସାଦ ବିକ୍ରି ପାଇଁ ଉଚିତ୍ ମୂଲ୍ୟ ନିର୍ଦ୍ଧାରିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ଚିନ୍ତାରେ ପଡିଛନ୍ତି କିଛି ସେବାୟତ।
ସୁପ୍ରିମ୍କୋର୍ଟଙ୍କ ଶୃଙ୍ଖଳା ଛାଟ ପରେ ଏବେ ଏ ଦୁଇଟି ଦିଗ ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ପ୍ରଥମ ପର୍ଯ୍ୟାୟରେ ଭକ୍ତଙ୍କଠାରୁ ଦକ୍ଷିଣା ଆଦାୟ ବନ୍ଦ ସହ ଶ୍ରୀମନ୍ଦିର ପରିସରରେ ସିସିଟିଭି ଲଗାଯାଇ ସେବାୟତଙ୍କ ଗତିବିଧି ଉପରେ ନଜର ରଖାଯାଉଛି।
ଏହାପରେ ସୁଆର ଓ ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ରୋଷଶାଳା ଲିଜ୍ ଦେବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଶନିବାର ବିଭିନ୍ନ ନିଯୋଗ ଓ ସେବାୟତଙ୍କ ମଧ୍ୟରେ ଏ ନେଇ ଆଲୋଚନା କରିଛି। ସେହିଭଳି ସିଂହଦ୍ୱାର, ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଓ ଭିତର କାଠ ପାଖ ଥାଳି ଓ ଗଡୁ ଝରି ମାଧ୍ୟମରେ ଦାନ ଦକ୍ଷିଣା ଓ ଅନ୍ନଦାନ ଆଟିକା ବ୍ୟବସ୍ଥା ବନ୍ଦ କରାଯିବାକୁ ବି ନିଷ୍ପତ୍ତି ହୋଇଛି ।
ଏପଟେ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ସେବାୟତ କିନ୍ତୁ ଏହି ପ୍ରସ୍ତାବରେ ଆଦୌ ଖୁସି ନାହାନ୍ତି। ବର୍ଷ ବର୍ଷ ଧରି ଚାଲି ଆସିଥିବା ଶ୍ରୀମନ୍ଦିର ପରମ୍ପରାରେ ଏହା ପ୍ରଶାସନର ଅଯଥା ହସ୍ତକ୍ଷେପ ବୋଲି ଅଭିଯୋଗ କରିଛନ୍ତି ।
ଶ୍ରୀମନ୍ଦିରରେ ସଂସ୍କାର ଲାଗି ଗତ ଜୁନ୍ ୮ରେ ୧୨ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ କୋର୍ଟ ଦେଇଥିବା ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହୋଇଛି, ସେ ନେଇ ଚଳିତ ମାସ ଶେଷ ସୁଦ୍ଧା ସତ୍ୟପାଠ ଦାଖଲ କରିବ ଶ୍ରୀମନ୍ଦିର ପ୍ରଶାସନ। ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ପୁରୀ ଆସି ବିଭିନ୍ନ ପକ୍ଷର ମତାମତ ନେବେ।
from OdishaReporter https://ift.tt/2Kt5KxB
No comments:
Post a Comment