
ବାଲିଗୁଡ଼ା (ଅଜିତ କୁମାର ନାୟକ): ସ୍ୱାମୀ ଓ ସ୍ତ୍ରୀ ବାହା ହୋଇ ନୂଆ ଜୀବନ ଆରମ୍ଭ କରୁଥିଲେ। ହେଲେ ସଂସାର ଗଢ଼ିବା ଆଗରୁ ଅଲଗା ହୋଇଗଲେ ଦମ୍ପତି। ଶେଷରେ ପରିସ୍ଥିତି ଏମିତି ହେଲା ସ୍ତ୍ରୀକୁ ଅପହରଣ କରି ଗିରଫ ହେଲେ ସ୍ୱାମୀ। ଘଟଣା ବାଲିଗୁଡ଼ା ଅଞ୍ଚଳରେ ଘଟିଛି। ତା’ହେଲେ ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ।
ତୁମୁଡ଼ିବନ୍ଧ ଥାନା ବାଡ଼ିପାଙ୍ଗା ୟୁପି ସ୍କୁଲର ଶିକ୍ଷକ ଶ୍ରୀକାନ୍ତ ମାଝୀ ୨୦୧୫ ମସିହାରେ ଡାଙ୍ଗେସିଗୁଡ଼ା ୟୁପି ସ୍କୁଲର ଶିକ୍ଷୟିତ୍ରୀ ସୁପ୍ରଭା ମାଝୀଙ୍କୁ ବିବାହ କରିଥିଲେ। ଆଦିବାସୀ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ହୋଇଥିଲା। ମାତ୍ର ସେମାନଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା। ବାହାଘରର କିଛି ଦିନ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଫଳରେ ଉଭୟ ଅଲଗା ଅଲଗା ରହୁଥିଲେ।
ଗତକାଲି ସୁପ୍ରଭା ଡାଙ୍ଗେସିଗୁଡ଼ା ୟୁପି ସ୍କୁଲରେ ବସିଥିଲେ। ଏହି ସମୟରେ ଶ୍ରୀକାନ୍ତ ୪ ଜଣ ସାଙ୍ଗଙ୍କୁ ଧରି ସ୍କୁଲରେ ପହଞ୍ଚିଥିଲେ। ଜୋର ଜବରଦସ୍ତ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଇଯାଇଥିଲେ। ସନ୍ଧ୍ୟାବେଳେ ପ୍ରଧାନଶିକ୍ଷକ ଏନେଇ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ମାମଲା ରୁଜୁ କରି ଅପହରଣ ହୋଇଥିବା ଶିକ୍ଷୟିତ୍ରୀଙ୍କୁ ସ୍ୱାମୀଙ୍କ ଗାଁ ଦଣ୍ଡଡିବାଲିରୁ ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଶ୍ରୀକାନ୍ତ ଗିରଫ କରିଛି। ଏହାଛଡ଼ା ଦୁଇ ସହଯୋଗୀ ବଗୁଲା ମାଝି ଓ ନଶରୀ ମାଝିଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
from OdishaReporter https://ift.tt/2vwL6rJ
No comments:
Post a Comment