
ଲଣ୍ଡନ୍: ଇଂଲଣ୍ଡ ଗସ୍ତରେ ଦମ୍ଦାର୍ ପ୍ରଦର୍ଶନ ପରେ ଏବେ ଇଂଲିଶ୍ ଗଣମାଧ୍ୟମ ଓ କ୍ରିକେଟ୍ ପଣ୍ଡିତମାନେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି। ୫ଟିକିଆ ଟେଷ୍ଟ୍ ସିରିଜ୍ ବିଶିଷ୍ଟ ଚଳିତ ଇଂଲଣ୍ଡ୍ ଗସ୍ତରେ ଏଯାଏ ଭାରତୀୟ ରନ୍ ମେସିନ୍ କୋହଲି, ୬ଟି ଇନିଂସ୍ରେ ୭୩.୩୩ ହାରରେ ସମୁଦାୟ ୪୪୦ ରନ୍ କରିଛନ୍ତି। ଏଥିରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ୍ ଅଛି।
ତେବେ ସାଉଥ୍ହ୍ୟାମ୍ପଟନ୍ରେ ସିରିଜ୍ର ଚତୁର୍ଥ ମ୍ୟାଚ୍ ପୂର୍ବରୁ ଇଂଲିଶ୍ ଦଳର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ ବିଶ୍ଳେଷକ ମାଇକେଲ୍ ଭନ୍ ବିରାଟ୍ଙ୍କ ପ୍ରଦର୍ଶନ ସମ୍ପର୍କରେ ଏପରି ଭବିଷ୍ୟବାଣୀ କରିଛନ୍ତି, ଯାହା ଟିମ୍ ଇଣ୍ଡିଆ ସମର୍ଥକ ଶିବିରକୁ ବେଶ୍ ଉତ୍ସାହିତ କରିଛି।
ଚତୁର୍ଥ ଟେଷ୍ଟରେ କୋହଲିଙ୍କ ସମ୍ଭାବ୍ୟ ପ୍ରଦର୍ଶନ ସମ୍ପର୍କରେ ଟ୍ୱିଟ୍ରରେ ଜଣେ ଫ୍ୟାନ୍ ପଚାରିଥିବା ପ୍ରଶ୍ନର ଉତ୍ତରରେ ଭନ୍ କହିଛନ୍ତି ଯେ ସାଉଥ୍ହ୍ୟାମ୍ପଟନ୍ର ରୋଜ୍ ବାଉଲ୍ ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆ ଅଧିନାୟକ ଶତକ ହାସଲ କରିବାର ‘ବିରାଟ୍’ ସମ୍ଭାବନା ରହିଛି।
ଜେମ୍ସ ଆଣ୍ଡର୍ସନ୍ ଓ ଷ୍ଟିୱାର୍ଟ୍ ବ୍ରଡ୍ଙ୍କ ସୁଇଂ ଓ ବାଉନ୍ସ୍ର ସଫଳ ମୁକାବିଲା କରି କୋହଲି ତାଙ୍କ ପୂର୍ବ ଇଂଲଣ୍ଡ୍ ଗସ୍ତର ନୈରାଶ୍ୟଜନକ ପ୍ରଦର୍ଶନରେ ପୂର୍ଣ୍ଣଚ୍ଛେଦ ଟାଣିବା ସହ ସମାଲୋଚକଙ୍କ ମୁହଁ ସିଲ୍ କରିଦେଇଛନ୍ତି।
ଟ୍ରେଣ୍ଟବ୍ରିଜ୍ର ନଟିଂହାମ୍ର ଉଭୟ ପାଳିରେ (ପ୍ରଥମ ପାଳିରେ ୯୭ ଓ ଦ୍ୱିତୀୟ ପାଳିରେ ୧୦୩) ଚମତ୍କାର ବ୍ୟାଟିଂ କରି ଭାରତୀୟ ବିଜୟର ମଙ୍ଗୁଆଳ ସାଜିଥିଲେ। ଏହି ବିଜୟ ଫଳରେ ୦-୨ରେ ସିରିଜ୍ ପଛୁଆ ଥିବା ଭାରତୀୟ ଦଳ ଏବେ ଏହାକୁ ୧-୨କୁ ଖସାଇ ଦେଇଛି।
ସେହିପରି ଏହି ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ସହ କୋହଲି ଆଇସିସି ଟେଷ୍ଟ୍ ବ୍ୟାଟିଂ ତାଲିକାର ୧ ନମ୍ବର ସ୍ଥାନକୁ ଫେରିଛନ୍ତି। ଏହା ସହ ୨୩ଟି ଟେଷ୍ଟ୍ ଶତକ ସହ ବିରାଟ୍, ବୀରେନ୍ଦ୍ର ସେହୱାଗ୍(ଭାରତ), କେଭିନ୍ ପିଟରସନ୍(ଇଂଲଣ୍ଡ), ଜଷ୍ଟିନ୍ ଲାଙ୍ଗର୍ (ଅଷ୍ଟ୍ରେଲିଆ). ଷ୍ଟିଭ୍ ସ୍ମିଥ୍(ଅଷ୍ଟ୍ରେଲିଆ) ଓ ଜାଭେଦ୍ ମିଆଁଦାଦ୍(ପାକିସ୍ତାନ୍)ଙ୍କ ସହ ସମକକ୍ଷ ହୋଇଛନ୍ତି।
ସାଉଥ୍ହ୍ୟାମ୍ପଟନ୍ର ରୋଜ୍ ବୋଲ୍ ଷ୍ଟାଡିୟମ୍ରେ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ଭାରତ ବିଜୟୀ ହେଲେ, ସିରିଜ୍ ୨-୨ରେ ବରାବର୍ ରହିବ, ଯାହା ବଡ଼ ବ୍ୟବଧାନରେ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ଘରୋଇ ଇଂଲିଶ ଦଳ ପାଇଁ ଚିନ୍ତାର କାରଣ ହେବ ବୋଲି କୁହାଯାଉଛି।
from Odisha Reporter https://ift.tt/2o9vRAT
No comments:
Post a Comment