
ମୁମ୍ବାଇ: ଯଦି ଫୋନ୍ ହଜି ଯାଉଛି କି ଚୋରି ହୋଇଯାଉଛି, ଆପଣ କ’ଣ କରୁଛନ୍ତି। ନିକଟସ୍ଥ ପୁଲିସ୍ ଷ୍ଟେସନ୍ରେ ଏତଲା ଦେଇ, ସିମ୍ ବ୍ଲକ୍ କରି ବସି ଯାଉଛନ୍ତି। ପୁଲିସ୍ ଏତଲା ରଖୁଛି, ହେଲେ ଫୋନ୍ଟିକୁ ଟ୍ରାକ୍ କରି ଖୋଜି ବାହାର କରିବାକୁ କୌଣସି ପଦକ୍ଷେପ ନେଉନାହିଁ। ଏହା ଏକ ସାଧାରଣ ଅଭିଯୋଗ।
ହେଲେ ଜଣେ ୧୯ ବର୍ଷୀୟା ଝିଅ ନିଜ ହଜିଲା ସ୍ମାର୍ଟଫୋନ୍କୁ ମାତ୍ର ଗୋଟିଏ ଦିନରେ ନିଜେ ଖୋଜି ବାହାର କରିଛନ୍ତି। ସେ ଖାଲି ଖୋଜିବାରେ ସଫଳ ହୋଇନାହାଁନ୍ତି, ଚୋରକୁ ଧରି ପୁଲିସ୍ ଜିମା ମଧ୍ୟ ଦେଇଛନ୍ତି। ଏପରି ଘଟଣା ଘଟିଛି ମୁମ୍ବାଇରେ। ପଢ଼ନ୍ତୁ ପୂରା ଘଟଣା।
ମୁମ୍ବାଇର ଅନ୍ଧେରୀରେ ରହୁଥିବା ୧୯ ବର୍ଷୀୟା ଜୀନତ୍ ବାନୁ ହକ୍ଙ୍କ Shaomi 4a ସ୍ମାର୍ଟଫୋନ୍ ଚୋରି ହୋଇଯାଇଥିଲା। ତତ୍କ୍ଷଣାତ୍ ସେ ଆରମ୍ଭ କରିଦେଲେ ଫୋନ୍ ଖୋଜିବାର ଅଭିଯାନ। ସେ ଅନ୍ଲାଇନ୍ ରହି ଚୋରଟି ଫୋନ୍କୁ ନେଇ କୁଆଡ଼େ କୁଆଡ଼େ ଯାଉଛି ତା ଗତିବିଧି ଉପରେ ନଜର ରଖିଲେ।
ଏହାପରେ ସେ ଜାଣିବାକୁ ପାଇଲେ ଯେ, ଦାଦର୍ ରେଲୱେ ଷ୍ଟେସନ୍ରେ ଏକ ଟ୍ରେନ୍ ଭିତରେ ଚୋର ବସିଛି। ତତ୍କ୍ଷଣାତ ସେ ପୁଲିସ୍କୁ ଡାକି ତାକୁ ଧରାଇ ଦେବାସହ ନିଜ ଫୋନ୍ଟିକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତର ନାଁ ସେଲ୍ୱରାଜ ସେଟ୍ଟୀ, ବୟସ ୩୨ ବର୍ଷ।
ଜୀନତ୍ ଏକ ପ୍ରି-ସ୍କୁଲ୍ରେ ଶିକ୍ଷକତା କରୁଛନ୍ତି। ସେ ରବିବାର ମଲାଡ଼ ଯାଇଥିଲେ। ଘରକୁ ଫେରିବା ବେଳେ ଟ୍ରେନ୍ରେ ତାଙ୍କ ଫୋନ୍ ଚୋରି ହୋଇଯାଇଥିଲା।
କେମିତି କରିଥିଲେ ଫୋନ୍ ଟ୍ରାକ୍
ଜୀନତ୍ ଅନ୍ୟଏକ ସ୍ମାର୍ଟଫୋନ୍ରେ ନିଜ ଗୁଗଲ୍ ଆକାଉଣ୍ଟ ଖୋଲି ଚୋରି ହୋଇଥିବା ଫୋନ୍ର ଲୋକେସନ୍ ଦେଖିବାକୁ ଲାଗିଲେ। ଗୁଗଲ୍ ଆକାଉଣ୍ଟରେ ‘ମାଇଁ ଆକ୍ଟିଭିଟି’ ସେକ୍ସନ୍ରେ ତାଙ୍କୁ ଚୋରି ମୋବାଇଲ୍ର ପ୍ରତିଟି ଖବର ମିଳୁଥିଲା। ଏଥିରେ ସେ ଜାଣିବାକୁ ପାଇଥିଲେ, ଚୋର ପ୍ରଥମେ ମୋବାଇଲ୍ରେ ରଜନୀକାନ୍ତଙ୍କ ଗୀତ ଶୁଣିଥିଲା। ଏହାପରେ ସେୟାର୍ ଇଟ୍, ହ୍ୱାଟ୍ସଆପ୍ ଓ ଫେସ୍ବୁକ୍ ବ୍ୟବହାର କରିଥିଲା।
ରେଲୱେ ଟିକେଟ୍ରୁ ଧରାପଡ଼ିଲା
ଅଭିଯୁକ୍ତ ମୋବାଇଲ୍ରେ ରେଲୱେ ଟିକେଟ୍ ବୁକିଂ ଆପ୍ ଡାଇନ୍ଲୋଡ଼ କରି ଦାଦର୍-ଥିରୁଅନନ୍ତପୁରମ୍କୁ ଟିକେଟ୍ ବୁକ୍ କରିଥିଲା। ଜୀନତ୍ ଟିକେଟ୍ର PNR ନମ୍ବରରୁ ଟ୍ରେନ୍ ବିଷୟରେ ସୂଚନା ଯୋଗାଡ଼ କରିବା ପରେ ସୋମବାର ସକାଳେ ଦାଦର୍ ଷ୍ଟେସନ୍ରେ ପହଞ୍ଚି ଯାଇଥିଲେ। ସେଠାରେ ଆର୍ପିଏଫ୍ ସହାୟତାରେ ସେ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇଥିଲେ।
from OdishaReporter https://ift.tt/2AWTdTH

No comments:
Post a Comment