ବିଜୁଙ୍କ ନାଁରେ ଗଢ଼ା ହେବ କି ଆଉଏକ ଦଳ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ବିଜୁଙ୍କ ନାଁରେ ଗଢ଼ା ହେବ କି ଆଉଏକ ଦଳ ?

ଭୁବନେଶ୍ୱର (ପ୍ରକାଶ ସେଠୀ): ସମସ୍ତ ପ୍ରୟାସ ସତ୍ୱେ ରାଜ୍ୟରେ ବିଜେପିର ଲୋକପ୍ରିୟତା ଆଶାନୁରୂପକ ଭାବେ ବୃଦ୍ଧି ନହେବା, କଂଗ୍ରେସରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଜାରି ରହିବା ଏବଂ ବିଜେଡିରେ ବଢୁଥିବା ଅସନ୍ତୋଷ ମଧ୍ୟରେ ଓଡ଼ିଶାରେ ଆଉଏକ ନୂଆ ରାଜନୀତିକ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି।

ବିଶେଷକରି କଂଗ୍ରେସ, ବିଜେପି ଓ ବିଜେଡିକୁ ଛାଡ଼ିଦେଲେ, ରାଜ୍ୟରେ ଅନ୍ୟ ଦଳଗୁଡ଼ିକର ସ୍ଥିତି ଏବେ କେବଳ ‘ପୋଷ୍ଟର ଦଳ’ ଭାବେ ସୀମିତ ହୋଇ ରହିଥିବାରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ  ଅଣକଂଗ୍ରେସ ମାନସିକତା ଥିବା ନେତାମାନଙ୍କୁ ନେଇ ଏଭଳି ଏକ ଦଳ ଗଠନର ପରିକଳ୍ପନା ଚାଲିଥିବା ସୂଚନା ମିଳିଛି ।

ଏହି ନୂଆ ଦଳ ରାଜ୍ୟରେ ଏକ ବିକଳ୍ପ ଆଞ୍ଚଳିକ ଦଳ ଭାବେ କ୍ଷମତାସୀନ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ଆତ୍ମପ୍ରକାଶ କରିବ ବୋଲି ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ କିଛି ବରିଷ୍ଠ ନେତାମାନେ ବିଜୁ ପଟ୍ଟନାୟକଙ୍କ ନାଁ କିମ୍ବା ‘ଜନତା ଦଳ’ ଜଡ଼ିତ ଥିବା ନାଁକୁ ନେଇ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ସଜବାଜ ହେଉଛନ୍ତି।

ବିଜୁଙ୍କ ନାଁ କ’ଣ ନବୀନଙ୍କ କପିରାଇଟ୍

୧୯୯୭ ମସିହାରେ ବିଜୁ ଜନତା ଦଳ ଗଠନ ଶୈଳୀରେ ଏକ ଆଞ୍ଚଳିକ ଦଳ ଗଠନ କରିବାକୁ ଯୋଜନା ଚାଲିଛି । ଯାହାରକି ରାଜ୍ୟରେ ବିଜେପିର ସହଯୋଗୀ ଭାବେ କାର୍ଯ୍ୟ କରିବାର ଅଥବା ପ୍ରାକ ନିର୍ବାଚନ ବୁଝାମଣା କରିବାର ସମ୍ଭାବନା ରହିବ।

ସଂଘ ପରିବାର ସହ ଜଡ଼ିତ ଜଣେ ବରିଷ୍ଠ ପଦାଧିକାରୀଙ୍କ କହିବା ଅନୁସାରେ, ୨୦୧୫ ମସିହା ପରଠୁ ଓଡ଼ିଶାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଉଦ୍ୟମ କରିଆସୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ସଂଘ ପରିବାର ମଧ୍ୟ ବିଜେପିକୁ ଏଥିପାଇଁ ଆବଶ୍ୟକ ସହଯୋଗ ଦେଇଥିଲା। କିନ୍ତୁ ଯେଉଁ ଲକ୍ଷ୍ୟ ନେଇ କାମ କରାଯାଉଥିଲା ତାହା ତୃଣମୂଳସ୍ତରରେ ଲୋକଙ୍କୁ ବିଜେପି ସହ ଯୋଡ଼ିବାରେ ସକ୍ଷମ ହେଲାନି।

ବିଶେଷକରି, ରାଜ୍ୟ ବିଜେପିରେ କିଛି ନେତାଙ୍କ ସ୍ୱେଚ୍ଛାଚାରୀ ମାନସିକତା ଓ ଗୋଷ୍ଠୀବାଦ ଯୋଗୁ ଏବେ ଦଳର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ  ବିକଳ୍ପ ଦିଗ ଉପରେ ବିଚାରବିମର୍ଶ  କରୁଛନ୍ତି।

୧୯୯୭ ମସିହାରେ ବିଜେଡିକୁ ଗଢ଼ିବାରେ ବିଜେପି ଯେଭଳି ସମସ୍ତ ପ୍ରକାରର ସହଯୋଗ ଦେଇଥିଲା ସେଭଳି ପ୍ରକ୍ରିୟା ଓଡ଼ିଶାରେ ଆରମ୍ଭ କରାଯିବାର ଆବଶ୍ୟକତା ମଧ୍ୟ ଏବେ ଅନୁଭୂତ ହୋଇଛି।

ଅନ୍ୟପକ୍ଷରେ ରାଜନୀତିକ ବିଶ୍ଲେଷକଙ୍କ ମତ ହେଉଛି, କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ପ୍ରତି ଲୋକଙ୍କ ଆସ୍ଥା ରହିଥିଲେ ମଧ୍ୟ ରାଜ୍ୟରେ ବିଜେପି ଲୋକଙ୍କ ବିଶ୍ୱାସ ଜିଣିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ।

ଦଳର କର୍ମକର୍ତ୍ତାମାନେ କାମ କମ୍ ଓ କଥା ବେଶୀରେ ନିଜକୁ ନିୟୋଜିତ କରିବା ସହ ଏକଜୁଟ ମନୋଭାବ ପୋଷଣ କରିପାରୁନାହାନ୍ତି। ଯେଉଁଥିପାଇଁ କ୍ଷମତାସୀନ ବିଜେଡି ପ୍ରତି ଲୋକଙ୍କ ଆକ୍ରୋଶ ବଢ଼ିବାର ଫାଇଦା ବିଜେପି ଓଡ଼ିଶାରେ ନେଇପାରୁନି।

ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏହା ପରଖି ସାରିଲେଣି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ନିଜର ରଣନୀତିରେ ପରିବର୍ତ୍ତନ କରିପାରେ।

ସେହିପରି ବିଜେଡିର ଦଳୀୟ ସଂଗଠନ ଏବେ କର୍ପୋରେଟ୍ ଶୈଳୀରେ ଓ ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ପ୍ରାୟ ୫୦ରୁ ୬୦ ପ୍ରତିଶତ ବିଜେଡି ନେତା ଅସନ୍ତୁଷ୍ଟ ଅଛନ୍ତି।

କିନ୍ତୁ ସେମାନଙ୍କ ପାଖରେ ବିକଳ୍ପ ନଥିବାରୁ ବାଧ୍ୟ ହୋଇ କ୍ଷମତା ଲୋଭ ଓ ଟିକେଟ୍ ଆଶାରେ ବିଜେଡିରେ ପଡ଼ି ରହିଛନ୍ତି । ବିଜେପିରେ ସେମାନେ ନିଜର ଭବିଷ୍ୟତ ମଧ୍ୟ ଦେଖିପାରୁନାହାନ୍ତି।

କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଜାତୀୟସ୍ତରରେ ବିଜେପିର କିଛି ବରିଷ୍ଠ  ନେତାଙ୍କ ସହ ଥିବା ଭିତିରି ବୁଝାମଣା ମଧ୍ୟ ସେମାନଙ୍କୁ ଆଶଙ୍କିତ କରିଛି।

ସେହିପରି କଂଗ୍ରେସର ସ୍ଥିତି ମଧ୍ୟ ରାଜ୍ୟରେ ଭଲ ନାହିଁ। ଅଣକଂଗ୍ରେସ ରାଜନୀତି ସହ ଦୀର୍ଘବର୍ଷ ଧରି ଜଡ଼ିତ ଥିବାରୁ ସେମାନେ କଂଗ୍ରେସକୁ ଯିବାକୁ ମଧ୍ୟ ପସନ୍ଦ କରିବେ ନାହିଁ। ତେଣୁ ଏସବୁ ଦୃଷ୍ଟିରୁ ରାଜ୍ୟରେ ଏଭଳି ଏକ ନୂଆ ଆଞ୍ଚଳିକ ଦଳ ଗଢାଗଲେ ସେଥିପ୍ରତି ନେତାମାନେ ଅଧିକ ଆଗ୍ରହ ଦେଖାଇବାର ସମ୍ଭାବନା ରହିଛି।

ରାଜ୍ୟର ଭୌଗୋଳିକ ଓ ରାଜନୀତିକ ପାଣିପାଗକୁ ଭଲ ଭାବେ ପରଖିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ପ୍ରଫୁଲ୍ଲ ଘଡ଼େଇ, ଡାକ୍ତର ଦାମୋଦର ରାଉତଙ୍କ ଭଳି ନେତାଙ୍କ ସମ୍ମିଳିତ ପ୍ରୟାସରେ ଏଭଳି ଆଞ୍ଚଳିକ ଦଳ ଗଠନ ସମ୍ଭବପର ହୋଇପାରିବ।

ବିଜୟ ଓ ଦିଲ୍ଲୀପ ଏବେ ବିଜେପିରେ ଅଣଦେଖା ହୋଇ ରହିଥିବାବେଳେ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି। ଡାକ୍ତର ରାଉତ ବିଜେଡିରେ ଅଲୋଡ଼ା ଓ ଶ୍ରୀ ଘଡ଼େଇ ମଧ୍ୟ ବହିଷ୍କୃତ ହୋଇ ରହିଛନ୍ତି। ତେଣୁ ଏହି ପ୍ରସ୍ତାବିତ ଦଳକୁ ବିଜେପି ଓ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସାମିଲ ହେବା ପାଇଁ ସହଜରେ ଆଗ୍ରହ ବ୍ୟକ୍ତ କରିପାରନ୍ତି।

ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ସରକାର ପ୍ରତି ବଢ଼ୁଥିବା ଆକ୍ରୋଶରୁ ଏହି ନୂଆ ଦଳ ଫାଇଦା ଉଠାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତା’ଛଡ଼ା ବିଜେଡିର ଭୋଟ ବ୍ୟାଙ୍କରେ ଛିଦ୍ର ସୃଷ୍ଟି ଓ ବିଭାଜନ କରିବାରେ ଏହି ପ୍ରସ୍ତାବିତ ନୂଆ ଦଳ ମଧ୍ୟ ଅନେକାଂଶରେ ସକ୍ଷମ ହେବ।

ଯଦି ଏହି ପ୍ରସ୍ତାବିତ ଦଳ ଗଠନଠୁ ଆରମ୍ଭ କରି ନେତା ଚୟନ କାର୍ଯ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟାରେ କରାଯିବ ତା’ହେଲେ ବିଭିନ୍ନ ବର୍ଗର ନେତା ଏଥିରେ ସାମିଲ ହେବାକୁ ପସନ୍ଦ କରିବେ।

ବିଜେଡିର ବହୁ ବିଧାୟକ, ମନ୍ତ୍ରୀ ଓ  ଅନେକ ଆଶାୟୀ ଏଥର ଟିକେଟ ପାଇବାରୁ ବଞ୍ଚିତ ହେବାର ସର୍ବାଧିକ ସମ୍ଭାବନା ଥିବାରୁ, ସେମାନେ ଏହି ଦଳରେ ଯୋଗ ଦେବା କଥା ଚିନ୍ତା କରିବେ।

ବିଜେପି ସହ ଆସନ ବୁଝାମଣା କରି ଯଦି ଏହି ଦଳ ନିର୍ବାଚନକୁ ଓହ୍ଲାଇବ ତା’ହେଲେ ରାଜ୍ୟ ରାଜନୀତିରେ ତା’ର ପ୍ରଭାବ ଅନୁଭୂତ ହେବ ବୋଲି ରାଜନୀତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଯଦି ୧୯୯୭ ମସିହାରେ ବିଜେପି ସହଯୋଗରେ ବିଜେଡି ଗଠନ ହୋଇପାରିଲା ତା’ହେଲେ ଏବେ କାହିଁକି ସେଭଳି ଆଂଚଳିକ ଦଳ ଗଠନ ନହୋଇପାରିବ ?

ଏହି ଦଳର ନାଁ ତୃଣମୂଳ ଜନତା ଦଳ କିମ୍ବା ତୃଣମୂଳ ବିଜୁ ଦଳ ରଖାଗଲେ ତାହା ସହଜରେ ଲୋକଙ୍କ ପାଖରେ ଆଦୃତ ହୋଇପାରିବ । ଗଣତାନ୍ତ୍ରିକ ଉପାୟରେ ଦଳ ଗଠନ ହେଲେ ଅନେକ ବରିଷ୍ଠ ଓ ଯୁବନେତା ଏଥିରେ ସାମିଲ ହେବାକୁ ଆଗ୍ରହ ଦେଖାଇବେ।

ବିଜେଡି ଗଠନବେଳେ ସେତେବେଳେ ଆର୍ଥିକ ପ୍ରୋତ୍ସାହନ ଦେଇଥିବା ବିଜେପି ଏବେ ଅନୁରୂପ ଭୂମିକା ତୁଲାଇଲେ ତାହା ଉଭୟ ବିଜେପି ଓ ପ୍ରସ୍ତାବିତ ଆଞ୍ଚଳିକ ଦଳ ପାଇଁ ଫାଇଦାଦାୟକ ହେବା ସହ ବିଜେଡିକୁ ମଧ୍ୟ ଚେକ୍ ଦେଇପାରିବ ବୋଲି ସେ କହିଛନ୍ତି। ଏହା ମଧ୍ୟ ବିଜେପିର ଓଡ଼ିଶାରେ କ୍ଷମତା ଦଖଲ ସ୍ଵପ୍ନକୁ ଅଧିକ ଊର୍ଜା ଯୋଗାଇବ ବୋଲି କୁହାଯାଉଛି ।

(ଏହି ରାଜନୈତିକ ବିଶ୍ଳେଷଣର ଦ୍ଵିତୀୟ ଭାଗ ପଢ଼ିବେ ଆସନ୍ତାକାଲି)



from OdishaReporter https://ift.tt/2KnhW2T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages