
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ଜାନୁଆରୀ ୪ ତାରିଖ ପୂର୍ବରୁ ରାଜ୍ୟରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିବା ସତ୍ୱେ ବିଜେଡି ନିଜର ଗେମ୍ ପ୍ଲାନକୁ ପୂର୍ବଭଳି କାର୍ଯ୍ୟକାରୀ କରିବା ଚକ୍କରରେ ଥିବା ଚର୍ଚ୍ଚା ହେଉଛି।
ଶୁଣିବାକୁ ମିଳୁଛି, କ୍ଷମତାସୀନ ବିଜେଡି ସରକାର, ଯେଉଁ ଢଙ୍ଗରେ ନୂଆ ଯୋଜନା ସବୁ ଘୋଷଣା କରୁଛି ଓ ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି, ତଥା ଅଫିସର୍ମାନଙ୍କୁ ଟାର୍ଗେଟ୍ ଦେଉଛି, ତାହା ସରକାରୀ ଅଫିସରମାନଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି।
ତୃତୀୟ ମହଲାର ମତିଗତି ସମ୍ପର୍କରେ ରାଜନେତା ଓ ଅଫିସର୍ମାନେ ଟେର୍ ପାଉନଥିଲେ ମଧ୍ୟ, ବିଭିନ୍ନ ବିଭାଗର ସଚିବମାନଙ୍କୁ କୁଆଡ଼େ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ନିର୍ବାଚନ ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ୍ ଦିଆଯାଇଛି।
ବାସହୀନଙ୍କୁ ଘରଡିହ, ନୂଆ ହିତାଧିକାରୀଙ୍କୁ ଚାଉଳ ଓ ଗହମ, ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ସହ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନାରେ ରାସ୍ତାଘାଟ ନିର୍ମାଣ, ବିଦ୍ୟୁତିକରଣ, ଡ୍ରେନ୍ ଓ ପୋଖରୀ ଖୋଳା ଆଦି କାର୍ଯ୍ୟକୁ ଅତିବେଶୀରେ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଶେଷ କରିବାକୁ କୁଆଡ଼େ ମୌଖିକ ଭାବେ ଜଣାଇ ଦିଆଯାଇଛି। ଏହି କାରଣରୁ ବିଭାଗଗୁଡ଼ିକର କାର୍ଯ୍ୟ ଏବେ କୁଆଡ଼େ ନିର୍ବାଚନଭିତ୍ତିକ ହେବାରେ ଲାଗିଛି।
ଚର୍ଚ୍ଚା ହେଉଛି, ବିଜେଡି କୁଆଡ଼େ ଏବେ ରାଜ୍ୟରେ ବିଜେପିକୁ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁଛି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ଉପରେ ଅଧିକ ଫୋକସ୍ କରିବେ ବୋଲି ବିଜେଡି ଆଶଙ୍କା କରୁଛି।
ବିଜେଡି ପାଖରେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ସରକାରର ବିଭିନ୍ନ କଲ୍ୟାଣମୂଳକ ଯୋଜନା ହିଁ ଭୋଟରଙ୍କୁ ଆକୃଷ୍ଟ କରିବାର ଏକମାତ୍ର ସାଧନ ହୋଇଥିବାରୁ, ଦଳ କୁଆଡ଼େ ବିରୋଧୀଙ୍କୁ ଚକିତ କରିବା ଭଳି ରଣନୀତି ଉପରେ କାର୍ଯ୍ୟ କରୁଛି।
ଶୁଣିବାକୁ ମିଳୁଛି, କ୍ଷମତାବିରୋଧୀ ହାୱା ଓ ବିଜେପିର କଡ଼ା ଟକ୍କରର ମୁକାବିଲା ପାଇଁ ଦଳ କୁଆଡ଼େ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ବିଜେପି ଶାସିତ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ୨୦୧୯ ଜାନୁୟାରୀ ମାସରେ ଶେଷ ହେବ। ସେହିପରି ମିଜୋରାମ୍ର ଡିସେମ୍ବର ମାସରେ।
ଚର୍ଚ୍ଚା ହେଉଛି, ବିଜେଡି କୁଆଡ଼େ ଆଗୁଆ ୬ ମାସ ପୂର୍ବରୁ ବିଧାନସଭାକୁ ଭଙ୍ଗ କରି ଏହି ୪ ରାଜ୍ୟର ବିଧାନସଭା ସହ ନିର୍ବାଚନକୁ ଯାଇପାରେ। ବିଜେପିର ଜାତୀୟ ନେତାମାନେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଉପରେ ଅଧିକ ଫୋକସ୍ ଦେବାର ଥିବାରୁ, ବିଜେଡି ଏଠାରେ ନିଜର ସମ୍ବଳ ଓ ନେତାମାନଙ୍କୁ ଠିକଣା ଭାବେ ନିର୍ବାଚନମଣ୍ଡଳୀ ସ୍ତରରେ ଉପଯୋଗ କରିପାରିବ। ଆଉ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପିକୁ କଡ଼ା ଟକ୍କର ଦେଇ ନବୀନଙ୍କ ନାଁରେ ଭୋଟ୍ ସଂଗ୍ରହ କରିପାରିବ ବୋଲି ଚର୍ଚ୍ଚା।
from OdishaReporter https://ift.tt/2LHSPgE
No comments:
Post a Comment