
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ତାରିଖରୁ ଆରମ୍ଭ ହେଉଛି ବିଶ୍ୱକପ୍ ହକି। ଏଥିଲାଗି ଆଜିଠୁ ଆରମ୍ଭ ହୋଇଛି ୯୦ ଦିନିଆ କାଉଣ୍ଟଡାଉନ୍। ଏଥିପାଇଁ “ମାଇଁ ହାର୍ଟ ବିଟ୍ସ ଫର୍ ହକି” ନାଁରେ ଆରମ୍ଭ ହୋଇଛି ଏକ ପ୍ରଚାର ଅଭିଯାନ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ତେବେ ଏହି ସ୍ଲୋଗାନ ଇଂରାଜୀରେ ହୋଇଥିବାରୁ ଏହାକୁ କେତେକ ନାପସନ୍ଦ କରିଛନ୍ତି ଏବଂ ଏହାର ଓଡ଼ିଆ ଅନୁବାଦ କରାଯାଇଥିଲେ ଅଧିକ ଗ୍ରହଣୀୟ ହୋଇଥାନ୍ତା ବୋଲି ମତ ଦେଇଛନ୍ତି।
ସେପଟେ ବିଶ୍ୱକପ୍ ଲାଗି ଆଜିଠୁ ବିଧିବଦ୍ଧ ପ୍ରମୋସନ ମଧ୍ୟ ଆରମ୍ଭ ହୋଇଛି। ଲଣ୍ଡନ, ବେଙ୍ଗାଲୁରୁ, ପୁଣେ, ଦିଲ୍ଲୀ ଓ ମୁମ୍ବାଇ ପରେ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଚାର ଅଭିଯାନ। ତା’ସହିତ ବିଶ୍ୱକପ୍ ପୂର୍ବରୁ ରାଜଧାନୀକୁ ସଜାଇବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ଉନ୍ନତିକରଣ କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛି ହକି ଇଣ୍ଡିଆ।
ସେହିପରି ବିଶ୍ୱକପ୍ର ପ୍ରମୋସନ ଲାଗି ରାଜ୍ୟବ୍ୟାପୀ ବିଶ୍ୱକପ୍ ଟ୍ରଫି ଓ ଏକ ସ୍ୱତନ୍ତ୍ର ଧରଣର ହକି ଷ୍ଟିକ୍କୁ ପରିକ୍ରମା କରାଯିବ। ବିଶ୍ୱକପ୍ ସମୟରେ ହୋଟେଲ ରୁମ୍ ଅଭାବ ସ୍ଥିତି ଦେଖାଦେବା ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇଛନ୍ତି ଆୟୋଜକ। ଦର୍ଶକଙ୍କୁ ଲାଗି ପର୍ଯ୍ୟପ୍ତ ସଂଖ୍ୟକ ରୁମ୍ ବ୍ୟବସ୍ଥା କରିବା ପାଇଁ OYO ସହ ରାଜିନାମା କରିଛି କ୍ରୀଡ଼ା ବିଭାଗ।
from Odisha Reporter https://ift.tt/2N1jxR5
No comments:
Post a Comment