
ଥିରୁଅନନ୍ତପୁରମ୍: କେରଳରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ବନ୍ୟା ଜଳରେ ଏକାଧିକ ଲୋକ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଇଡ୍ଡୁକି ଜିଲ୍ଲାରେ ଭୂସ୍ଖଳନ ଯୋଗୁ ୧୧ ଜଣ, ମାଲାପୁରମ୍ମରେ ୬, କୋଝିକୋଡ଼ିରେ ୨ ଓ ୱାୟାଣ୍ଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ପାଲାକ୍କଡ଼୍,ୱାୟାଣ୍ଡା ଓ କୋଝିକୋଡ୍ରେ ଏକାଧିକ ଲୋକ ନିଖୋଜ ଅଛନ୍ତି।
ଇଡ୍ଡୁକି ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍ପାସନ ହେଉଥିବାରୁ କୋଚି ବିମାନବନ୍ଦର ରନ୍ୱେରେ ପାଣି ଲହଡ଼ୀ ମାରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଏଠାକୁ ଆସିବାକୁ ଥିବା ସମସ୍ତ ବିମାନର ଗତିପଥ ବଦଳାଇ ଦିଆଯାଇଛି।
କିନ୍ତୁ କୋଚି ବିମାନବନ୍ଦରରୁ ଉଡ଼ାଣ ଉପରେ ବର୍ଷା କିମ୍ବା ବନ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଏହାର କର୍ତ୍ତୃପକ୍ଷ କହିଛନ୍ତି।
ଅବିଶ୍ରାନ୍ତ ବର୍ଷା ଓ ଛେରୁଥନି ଡ୍ୟାମ୍ରୁ ନିଷ୍କାସିତ ଜଳ ପେରିୟାର ନଦୀରେ ପହଞ୍ଚୁଥିବାରୁ ଏହାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ବନ୍ୟା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଝିକୋଡ୍ରେ ଜଳବନ୍ଦୀ ହୋଇଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି।
ଏହାବାଦ୍ ବିଭିନ୍ନ ସ୍ଥାନରେ ନୌସେନା ଓ ଏନ୍ଡିଆର୍ଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୫୪୭ଟି ରିଲିଫ କ୍ୟାମ୍ପରେ ଲୋକଙ୍କୁ ରଖାଯାଇ ଖାଦ୍ୟ ଓ ଜଳ ଯୋଗାଇ ଦିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର କେରଳରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଉ ୨ଟି ଏନ୍ଡିଆର୍ଏଫ୍ ଟିମ୍ ଯୋଗାଇ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି।
ଇଡ୍ଠୁକି ଓ ୱାୟାଣ୍ଡାରେ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ସେନାର ସହଯୋଗ ଲୋଡ଼ିଛନ୍ତି।
ଦୀର୍ଘ ୨୬ ବର୍ଷ ପରେ କେରଳରେ ବର୍ତ୍ତମାନ ୨୨ଟି ଡ୍ୟାମ୍ରୁ ଏକ କାଳୀନ ବନ୍ୟା ଜଳ ନିଷ୍କାସିତ ହେଉଛି।
from OdishaReporter https://ift.tt/2OWT5WS

No comments:
Post a Comment