
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ୨୮ଟି ଜିଲ୍ଲା ଡେଙ୍ଗୁ କବଳକୁ ଚାଲିଯାଇଛି।
କଳାହାଣ୍ଡି ଜିଲ୍ଲା ଲଡୁଗାଁରେ ଭୟରେ ତାଟିକବାଟ ପଡ଼ିଗଲାଣି। ଜଗତସିଂହପୁର କନାଗୁଳି ଗାଁରେ ଡେଙ୍ଗୁ ପ୍ରକୋପରୁ ବର୍ତ୍ତିବା ପାଇଁ ଲୋକେ ଠାକୁରାଣୀଙ୍କ ଶରଣ ପଶିଛନ୍ତି। ଏଥିରୁ ରାଜଧାନୀ ଭୁବନେଶ୍ୱର ମଧ୍ୟ ବାଦ ପଡ଼ିନି। ସଚେତନତା ସତ୍ତ୍ୱେ ରାଜ୍ୟରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି।
ଚଳିତବର୍ଷ ଏଯାଏ ସାରା ରାଜ୍ୟରେ ୯ ହଜାର ୭୯୪ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୧ ହଜାର ୮୪୧ ଜଣଙ୍କର ନମୁନା ପଜିଟିଭ୍ ବାହାରିଛି। ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ୩ ଜଣଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି।
ଡେଙ୍ଗୁ ଭୟରେ କଳାହାଣ୍ଡି ଜିଲ୍ଲାର ଅନ୍ଯତମ ବ୍ୟବସାୟିକ ପେଣ୍ଠସ୍ଥଳୀ ଲଡୁଗାଁ ବଜାର ଖାଁ ଖାଁ ଲାଗୁଛି। ସାପ୍ତାହିକ ହାଟ ଏକ ପ୍ରକାର ବସୁନି। ସ୍କୁଲକୁ ପିଲାମାନେ ଆସୁନାହାନ୍ତି। ଖାଲି ଖାଲି ପଡ଼ିଛି ସ୍କୁଲ। ଗତ ୧୫ ଦିନ ଧରି ଲଡୁଗାଁରେ ଏଇଭଳି ସ୍ଥିତି ଦେଖିବାକୁ ମିଳିଛି।
ସରକାରୀ ଆକଳନରେ ଲଡୁଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦ ଟପିଛି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ୨୦୦ରୁ ଅଧିକ ହେବ। ଲଡୁଗାଁରୁ ପ୍ରଥମେ ଦେଖା ଦେଇଥିବା ଡେଙ୍ଗୁ ଜ୍ୱର ଏବେ ଆଖପାଖ ୭ ଖଣ୍ଡ ଗାଁକୁ ବ୍ୟାପିବାରେ ଲାଗିଛି। ରୋଗ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତମାମ ପଦକ୍ଷେପ, ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଭୟର ବଳୟରୁ ବାହାରି ପାରୁନାହାନ୍ତି ଲୋକେ। ଠପ୍ ହେବାରେ ଲାଗିଛି ସ୍ଵାଭାବିକ ଜୀବନ।
ସମାନ ସ୍ଥିତି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କନାଗୁଳି ଗାଁରେ। ସାରା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଥିବା ବେଳେ କେବଳ କନାଗୁଳି ଗାଁରେ ୫୫ ଜଣ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି କ୍ୟାମ୍ପ କରାଯାଇ ରକ୍ତନମୁନା ସଂଗ୍ରହ ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ରୋଗ ନିୟନ୍ତ୍ରଣକୁ ଆସୁନାହିଁ। ଫଳରେ ଭୟଭୀତ ହୋଇ ଗାଁ ଲୋକେ ଠାକୁରାଣୀଙ୍କ ଶରଣ ପଶିଛନ୍ତି।
ଏପଟେ ରାଜଧାନୀ ଭୁବନେଶ୍ୱର ସମେତ ପୂରା ଖୋର୍ଦ୍ଧା ଜିଲ୍ଲା ଡେଙ୍ଗୁ କବଳରେ। ଜିଲ୍ଲାରେ ସର୍ବାଧିକ ୫୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ରାଜଧାନୀର ବିଏମ୍ସି ଅଞ୍ଚଳରେ ୪୯୨ ଜଣ ଆକ୍ରାନ୍ତ ହୋଇଛନ୍ତି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ସାଲିଆ ସାହି ଭଳି ବସ୍ତିଗୁଡ଼ିକରେ ରୋଗ ବ୍ୟାପିବାରେ ଲାଗିଛି।
from Odisha Reporter https://ift.tt/2Mzl29J
No comments:
Post a Comment