
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ୨୦ ହଜାରରୁ ଅଧିକ ଟିଏମ୍ସି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ଘଟଣାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି।
ସୁପ୍ରିମକୋର୍ଟ ଏହି ଫଳାଫଳକୁ ରଦ୍ଦ କରିବାକୁ ମନା କରିବା ସହ ବିଜୟୀ ପ୍ରାର୍ଥୀଙ୍କ ସଭ୍ୟପଦ କାଏମ ରଖିଛନ୍ତି।
ତେବେ ଅଭିଯୋଗକାରୀମାନେ ବ୍ୟକ୍ତିଗତ ଭାବେ ୩୦ ଦିନ ମଧ୍ୟରେ ଏହି ଫଳାଫଳକୁ ଚାହିଁଲେ ଚ୍ୟାଲେଞ୍ଜ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ଏଭଳି ରୁଲିଂ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିଛି।
ପଞ୍ଚାୟତ ନିର୍ବାଚନରେ ଟିଏମ୍ସି ପ୍ରାର୍ଥୀମାନେ ସେମାନଙ୍କ ବିରୋଧୀ ଦଳର ପ୍ରାର୍ଥୀମାନଙ୍କୁ ନାମାଙ୍କନ ଦାଖଲ ପାଇଁ ସୁଯୋଗ ଦେଇ ନଥିବା ଅଭିଯୋଗ ହୋଇଥିଲା।
ପାଖାପାଖି ୨୦ ହଜାରରୁ ଅଧିକ ଆସନରୁ ଏଭଳି ଅଭିଯୋଗ ଆସିଥିଲା।
ଏହା ବିରୋଧରେ ବିଜେପି ଓ ସିପିଆଇ ଭଳି ଦଳ ଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ନିର୍ବାଚନକୁ ରଦ୍ଦ କରିବାକୁ ଦାବି କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲକର ଶୁଣାଣି କରି ଟିଏମ୍ସି ସପକ୍ଷରେ ରାୟ ଦେଇଛନ୍ତି।
ପଶ୍ଚିମବଙ୍ଗର ୫୮,୬୯୨ଟି ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ଆସନରୁ ୨୦,୧୧୫ଟି ଆସନରେ ଟିଏମ୍ସି ପ୍ରାର୍ଥୀମାନେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ।
from Odisha Reporter https://ift.tt/2Nf1lk1
No comments:
Post a Comment