
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶର ଗ୍ୱାଲିୟର ବଟେଶ୍ୱର ଗାଁରୁ ଆରମ୍ଭ ହୋଇଥିବା ଜୀବନଯାତ୍ରା ନୂଆଦିଲ୍ଲୀରେ ସରିଗଲା। ଜୀବନର ଗୀତ ଗାଉଥିବା ମଣିଷଟି ସବୁଦିନ ପାଇଁ ନିରବି ଯାଇଛି। ଆମେ କହୁଛୁ ମହାନ ଜନନାୟକ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କଥା।
ନୂଆଦିଲ୍ଲୀର ସ୍ମୃତିସ୍ଥଳରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ମୁଖାଗ୍ନି ଦେଇଛନ୍ତି ଅଟଳଙ୍କ ପାଳିତା କନ୍ୟା ନମିତା। ଆଉ ଜାତୀୟ ପତାକା ଗ୍ରହଣ କରିଛନ୍ତି ନାତୁଣୀ ନିହାରିକା।
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କିଏ ଏହି ନମିତା? ସାରା ଜୀବନ ଅବିବାହିତ ରହିଥିବା ବାଜପେୟୀ ଜୀ’ ନମିତାଙ୍କୁ କାହିଁକି ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ? ତା ହେଲେ ଆସନ୍ତୁ ଜାଣିବା ଶ୍ରୀ ବାଜପେୟୀଙ୍କ ଜୀବନ ସହ ଜଡ଼ିତ ଏହି ଅନାଲୋଚିତ ଘଟଣା ସମ୍ପର୍କରେ।
କଲେଜରେ ପାଠ ପଢ଼ିବା ବେଳେ ବାଜପେୟୀଙ୍କ ସହପାଠୀ ଥିଲେ ରାଜକୁମାରୀ କୌଲ୍। ଦୁହେଁ ଏକାଠି ଗ୍ୱାଲିୟର କଲେଜରେ ପାଠ ପଢୁଥିଲେ। ବନ୍ଧୁତା ବି ଥିଲା ଅତ୍ୟନ୍ତ ନିବିଡ଼। ସମୟ ସହ ତାଳ ଦେଇ ଉଭୟଙ୍କ ସମ୍ପର୍କ ବର୍ଷ ବର୍ଷ ଧରି ସେମିତି ରହିଥିଲା ଅତୁଟ। ଏପଟେ ରାଜନିତୀରେ ବ୍ୟସ୍ତ ଜୀବନ କାଟନ୍ତି ଅଟଳଜୀ। ଆଉ ସେପଟେ ରାଜକୁମାରୀଙ୍କ ପିତା ଝିଅର ବିବାହ କରିଦିଅନ୍ତି ପ୍ରଫେସର୍ ବ୍ରଜ ନାରାୟଣ କୌଲ୍ଙ୍କ ସହ।
ବିବାହ ପରେ ରାଜକୁମାରୀ କୌର୍ ଓ ତାଙ୍କ ସ୍ୱାମୀ ଦୁହେଁ ପରିବାର ନେଇ ରହନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ। ତେବେ ଉଭୟଙ୍କ ମଧ୍ୟରେ ଦୂରରେ ଥିଲାବେଳେ ଯେମିତି ଥିଲା, ପାଖକୁ ଆସିଲା ପରେ ବି ସେମିତି ରହିଥିଲା। ଶେଷରେ ଅଟଳଜୀଙ୍କୁ ବନ୍ଧୁଶୂନ୍ୟ କରିଦେଲା ସମୟ। ୨୦୧୪ରେ ରାଜକୁମାରୀଙ୍କ ମୃତ୍ୟୁ ହୁଏ। ସେତେବେଳକୁ ଭାରତୀୟ ରାଜନୀତିରେ ବାଜପେୟୀ ପାଲଟି ସାରିଥାନ୍ତି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ।
ପ୍ରଥମଥର ପାଇଁ ରାଜକୁମାରୀଙ୍କ ମୃତ୍ୟୁ ଖବର ତମାମ ଖବରକାଗଜ ଓ ଟେଲିଭିଜନରେ ପ୍ରସାରିତ ହୋଇଥିଲା। ଉଭୟଙ୍କ ବନ୍ଧୁତ୍ୱ ବିଷୟରେ ଏକ ଟେଲିଭିଜନ ସାକ୍ଷାତକାରରେ ନିଜେ କହିଥିଲେ ରାଜକୁମାରୀ। ବନ୍ଧୁତ୍ୱ ଏତେ ନିବିଡ଼ ଓ ନିର୍ମଳ ଥିଲା ଯେ, ତାଙ୍କ ସମ୍ପର୍କ ବିଷୟରେ ସ୍ୱାମୀଙ୍କ ପାଖରେ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେବାକୁ ପଡ଼ି ନଥିଲା ବୋଲି ସେ କହିଥିଲେ।
ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ରାଜକୁମାରୀ ନିଜ ଝିଅ ନମିତା ଓ ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ସହ ସରକାରୀ ଘରେ ରହୁଥିଲେ। ଏହି ସମୟରେ ନିଜେ ବାଜପେୟୀ ଜୀ’ ନମିତାଙ୍କୁ ନିଜ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ କୌଲ୍ ପରିବାର ହିଁ ବାଜପେୟୀଙ୍କ ଦେଖାଶୁଣା କରୁଥିଲେ।
ଜୀବନ, ରାଜନୀତି ଆଉ କବିତାକୁ ସମାନ୍ତରାଳ ଭାବେ ନିଜ ଜୀବନର ବ୍ରତ କରିଥିବା ଏହି ମହାନ୍ ବ୍ୟକ୍ତିତ୍ୱ, ଆଜୀବନ ଅବିବାହିତ ରହିଥିବାରୁ ତାଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିଥିଲା। ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ଥଟ୍ଟା ମଜାରେ ଅନେକଥର ତାଙ୍କୁ ଏ ପ୍ରଶ୍ନ ପଚାରା ଯାଇଛି। ଯାହାର ଉତ୍ତର ଦେଇ ସେ କେବଳ ଏତିକି ହିଁ କହିଛନ୍ତି- ‘ମୁଁ ଅବିବାହିତ ନିଶ୍ଚୟ, ହେଲେ କୁଆଁରା ନୁହେଁ।’ ଏ ଉତ୍ତର ଶୁଣିବା ପରେ ସବୁବେଳେ ହାସ୍ୟରୋଳ ସୃଷ୍ଟି ହେଉଥିଲା।
ହେଲେ ଆଜି ଏ କଥା ଭାବି ତାଙ୍କର ଅନେକ ସହଯୋଗୀ କାନ୍ଦି ପକାଇଥିଲେ। କାରଣ ସେମାନେ ଜାଣିଥିଲେ ଏ ଚର୍ଚ୍ଚା ଏଣିକି ଇତିହାସ ପାଲଟିଯିବ।
from Odisha Reporter https://ift.tt/2OM4Z5l
No comments:
Post a Comment