
ନୂଆଦିଲ୍ଲୀ: ବିହାର ଶେଲଟର୍ ହୋମରେ ନାବାଳିକାମାନଙ୍କୁ ଦୁଷ୍କର୍ମ କରାଯିବା ଘଟଣାକୁ କେନ୍ଦ୍ର କରି ଆଜି ଆର୍ଜେଡି ନେତା ତେଜସ୍ୱୀ ଯାଦବ ଦିଲ୍ଲୀର ଯନ୍ତରମନ୍ତରଠାରେ ଏକ ବିକ୍ଷୋଭ ସଭା ଆୟୋଜନ କରିଥିଲେ। ତେବେ ଏହି ସଭାରେ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇ ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି।
୨୦୧୯ରେ ମୋଦି ସରକାରଙ୍କ ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ପାଇଁ ଯୋଜନା କରୁଥିବା ଏକାଧିକ ଅଣ ବିଜେପି ଦଳର ନେତା ଆଜି ଏଠାରେ ଏକାଠି ହୋଇଥିଲେ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଥିରେ ଯୋଗଦେଇ ଉଭୟ ବିଜେପି ଓ ବିହାରର କ୍ଷମତାସୀନ ନୀତୀଶ କୁମାର ସରକାରଙ୍କ ଉପରେ ବର୍ଷିଥିଲେ।
ସେ କହିଥିଲେ, ଯଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଶେଲଟ୍ର ହୋମ ଘଟଣାକୁ ନେଇ ଲଜ୍ଜାବୋଧ କରୁଛନ୍ତି, ତା’ହେଲେ ସେ ଦୋଷୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆମେ ଆଜି ଦେଶର ପ୍ରତିଟି ମହିଳା, ଝିଅ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ପାଇଁ ଏକାଠି ହୋଇଛୁ। କେନ୍ଦ୍ର ସରକାର ଆମ ଉପରେ ଯେତେ ଆକ୍ରମଣ କଲେ ମଧ୍ୟ ଆମେ ଗୋଟିଏ ଇଞ୍ଚ ବି ପଛକୁ ଘୁଞ୍ଚିବୁ ନାହିଁ। ଗୋଟିଏ ପଟେ ବିଜେପି ଓ ଆର୍ଏସ୍ଏସ୍ ଥିବା ବେଳେ ଅନ୍ୟ ପଟେ ସାରା ଦେଶ ରହିଛି ବୋଲି ଶ୍ରୀ ଗାନ୍ଧି କହିଛନ୍ତି।
ଆଜିର ସଭାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଟିଏମ୍ସି ନେତା ଦୀନେଶ ତ୍ରିବେଦୀ, ସିପିଆଇର ଡି ରାଜା ଓ ଅତୁଲ କୁମାର ଅଞ୍ଜନ ଏବଂ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।
ଏମାନେ ଯନ୍ତରମନ୍ତରଠାରୁ ଏକ ମହବତୀ ଶୋଭାଯାତ୍ରାରେ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯାଇଥିଲେ।
from OdishaReporter https://ift.tt/2AFMnBM

No comments:
Post a Comment