
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଣାର୍କ ମନ୍ଦିର, ଜଗନ୍ନାଥ ମହାପ୍ରଭୁ ଏବଂ ଓଡ଼ିଆଙ୍କ ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ସୋଶାଲ ମିଡିଆରେ ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ନେଇ ରାଜ୍ୟ ରାଜନୀତି ଗତ ଦୁଇଦିନ ଧରି ସରଗରମ ରହିଛି। ତେବେ ଓଡ଼ିଶାର ମହାନ୍ କଳା,ସଂସ୍କୃତି ଓ ଐତିହ୍ୟକୁ କଦର୍ଥ କରିଥିବା ଶ୍ରୀ ଆୟର ମିତ୍ରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ରାଜନୀତିକ ଡ୍ରାମାବାଜି କରି ତାଙ୍କୁ ରାତାରାତି ରାଜ୍ୟରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ କାହିଁକି କରାଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜନୀତିକ ବିଶ୍ଲେଷକଙ୍କ ମତରେ କୋୖଣଶ ରାଜ୍ୟର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ଅସମ୍ମାନ କରିବା ଭଳି ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ କେହି ଦେଲେ ତା’ବିରୁଦ୍ଧରେ ପୁଲିସ୍ ଆଇପିସିର ବିଭିନ୍ନ ଧାରା ଓ ଆଇଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇପାରିବ। ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ମିତ୍ରଙ୍କ ଏଭଳି ରୁଚିହୀନ ଓ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଓଡ଼ିଶା ପୁଲିସ୍ ସେଭଳି ପଦକ୍ଷେପ ନେଇପାରିଥାନ୍ତା। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ପୁଲିସ୍ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେବାରେ ଆଇନଗତ ସମସ୍ୟା ନଥିଲା।
ଅଭିଜିତ୍ ସୋଶାଲ ମିଡିଆରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ଅସମ୍ମାନ କରିବା ଭଳି ଦେଇଥିବା ମନ୍ତବ୍ୟ ଉପରେ ଓଡ଼ିଶା ପୁଲିସ୍ ଚାହିଁଥିଲେ ସଙ୍ଗେସଙ୍ଗେ କଟକଣା ଜାରି କରି ତା’ର ପ୍ରସାରଣକୁ ରୋକିପାରିଥାନ୍ତା କିମ୍ବା କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିଥାନ୍ତା। ମାତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଏହି ପ୍ରସଙ୍ଗରେ ସେଭଳି ପଦକ୍ଷେପ ନନେଇ ଏହାକୁ ରାଜନୀତିକ ରୂପ ଦେଇ ଗତ ଦୁଇଦିନ ଧରି ଯେଉଁ ଡ୍ରାମାବାଜି କଲେ ତାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି।
ଅଭିଜିତ୍ ଯାହା କହିଛନ୍ତି ତାହା ନିଶ୍ଚିତ ଭାବେ ପ୍ରତ୍ୟେକ ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେବ ଓ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆ ଚାହିଁବେ।
କିନ୍ତୁ ବିଜେଡିର ସଦସ୍ୟମାନେ ଗତ ଦୁଇଦିନ ଧରି ଯେଉଁ ଢଙ୍ଗରେ ବିଧାନସଭା ଭିତରେ ଓ ବାହାରେ ଅଭିଜିତ୍ ମିତ୍ର ନାମକ ବ୍ୟକ୍ତିକୁ ଚର୍ଚ୍ଚାରେ ରଖିଛନ୍ତି ତାହା ଶାସକ ଦଳର ହୀନ ରାଜନୀତିକୁ ପଦାରେ ପକାଇଛି। ସୋଶାଲ ମିଡିଆରେ ପ୍ରସାରିତ ହୋଇଥିବା ଅଭିଜିଟଙ୍କ ଭିଡିଓ ଓ ଟ୍ୱିଟ୍ ଉପରେ ତତ୍କାଳ କଟକଣା ଜାରି କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେବା ବଦଳରେ ବିଜେଡି ଏହି ପ୍ରସଙ୍ଗକୁ ଆତ୍ମରକ୍ଷା ଭାବେ ଉପଯୋଗ କରିଥିଲା।
ଡାକ୍ତର ଦାମୋଦର ରାଉତ ଆଣିଥିବା ଦୁର୍ନୀତି ଅଭିଯୋଗକୁ ବାଟବଣା କରିବା ପାଇଁ ଓ ବିଜେଡି ନିଜର ପାରିବାପଣିଆ ଦେଖାଇବାକୁ ଯାଇ ନିଜ ମୁଖିଆଙ୍କ ନେତୃତ୍ୱାଧୀନ ସରକାରର ଅପାରଗତାକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା।
୧୨୦କୋଟିରୁ ଉର୍ଦ୍ଧ୍ବ ଲୋକ ବାସ କରୁଥିବା ଭାରତରେ ପ୍ରତ୍ୟେକ ଦିନ ଅନେକ ଲୋକ ନିଜର ବାକ୍ ସ୍ୱାଧୀନତା ଆଳରେ ଅନେକ ମନ୍ତବ୍ୟ ଦେଇଥାନ୍ତି। କିନ୍ତୁ ସେମାନଙ୍କର ମତ ଓ ମନ୍ତବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଆଇନଗତ ବ୍ୟବସ୍ଥା ରହିଛି।
ମାତ୍ର ଅଭିଜିତ୍ ଆୟାରଙ୍କ ଭଳି ଜଣେ ଦାୟିତ୍ୱହୀନ ବ୍ୟକ୍ତି କ’ଣ କହିଲେ ତାକୁ ବିଧାନସଭା ଭଳି ପବିତ୍ର ସ୍ଥାନରେ ଆଲୋଚନା କରି ସେସବୁକୁ ସବୁଦିନ ପାଇଁ ରେକର୍ଡ କରି ରଖିବା ଦ୍ୱାରା ବିଜେଡି କ’ଣ ପ୍ରମାଣ କରିବାକୁ ଚାହିଁଛି ଯେ ରାଜ୍ୟରେ ଦଳର ନେତୃତ୍ୱାଧୀନ ସରକାର ଅପାରଗ? ଅଭିଜିତଙ୍କ ଭଳି ବ୍ୟକ୍ତିଙ୍କୁ ଗିରଫ ପାଇଁ ବିଧାନସଭାରେ ସ୍ୱାଧିକାର ପ୍ରସ୍ତାବ ଆଗତ ହେବା ଓ ଶାସକ ଦଳର ସଦସ୍ୟମାନେ ଧାରଣାରେ ବସିବା କ’ଣ ନିହାତି ଆବଶ୍ୟକ ଥିଲା ? ଏହି ପ୍ରସଙ୍ଗକୁ ଦୁଇଦିନ ଧରି ଶାସକ ବିଜେଡି ଯେଉଁ ଢଙ୍ଗରେ ପରିଚାଳନା କରିଛି ତାହା ଦଳର ମାନସିକତା ଓ ଶାସନ ବ୍ୟବସ୍ଥା ପ୍ରତି ଆସ୍ଥା ନଥିବା କଥାକୁ ପ୍ରକଟ କରିଛି ବୋଲି ସାଧାରଣରେ ଚର୍ଚ୍ଚା ।
କନ୍ଧମାଳ ଦଙ୍ଗା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ କହିଥିଲେ ଯେ “ତାଙ୍କ ଶରୀରର ପ୍ରତ୍ୟେକଟି ଅସ୍ଥି ହେଉଛି ଧର୍ମନିରପେକ୍ଷ। ସମସ୍ତ ଅସ୍ଥି ତାଙ୍କର ଠିକ୍ ଅଛି ବୋଲି ସେ ଭାବୁଛନ୍ତି ।” ଯଦି ନବୀନଙ୍କ ଏହି ମନ୍ତବ୍ୟ ସତ ହୋଇଥାଏ ତା’ହେଲେ ଗତ ଦଶନ୍ଧି ମଧ୍ୟରେ ତାଙ୍କର ଧର୍ମନିରପେକ୍ଷତାକୁ ନେଇ ରହିଥିବା ଆସ୍ଥା ବଦଳି ଯାଇଛି। ଯାହାଫଳରେ ଅଭିଜିତଙ୍କ ଭଳି ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟକୁ ତାଙ୍କ ଦଳ ସାମ୍ପ୍ରଦାୟିକତାର ଖୋଳପା ପିନ୍ଧାଇବାକୁ ପ୍ରୟାସ କଲା।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଦିଲ୍ଲୀ ଯାଇ ଅଭିଜିତକୁ ଗିରଫ କରିଥିବା ଓଡ଼ିଶା ପୁଲିସ୍ ବଳିଷ୍ଠ ତଥ୍ୟପ୍ରମାଣ ଦେଇନପାରିବାରୁ କୋର୍ଟରେ ତାଙ୍କୁ ଜାମିନ ମିଳିଯାଇଥିଲା। କୋଣାର୍କ ଥାନା ଓ ଭୁବନେଶ୍ୱରର ଶହୀଦନଗର ଥାନାରେ ରୁଜୁ ହୋଇଥିବା ୨ଟି ମାମଲାକୁ ବି ବଳିଷ୍ଠ ଢଙ୍ଗରେ କୋର୍ଟରେ ଉପସ୍ଥାପନ କରି ଅଭିଜିତଙ୍କ ଜାମିନ ଆବେଦନକୁ ଖାରଜ କରିବାରେ ଓଡ଼ିଶା ପୁଲିସ ସକ୍ଷମ ହୋଇପାରିଲାନି। ଏହା କ’ଣ ନବୀନଙ୍କ ଗୃହ ବିଭାଗର ପାରିବାପଣିଆକୁ ପଦାରେ ପକାଇ ନାହିଁ କି ବୋଲି ପ୍ରଶ୍ନ ଉଠିଛି।.
ଓଡ଼ିଶା ପୁଲିସ ୨ଟି ଯାକ ମାମଲାରେ ଅଭିଜିତଙ୍କ ବିରୁଦ୍ଧରେ ଆଇପିସିର ୧୫୩-କ,୨୯୫-କ,୨୯୪,୨୯୮,୩୯୫-କ ଓ ଆଇଟି ଆକ୍ଟର ଧାରା ୬୬ରେ ମାମଲା ରୁଜୁ କରିଛି।
ଓଡ଼ିଶା ପୁଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଯାହା କହିଛନ୍ତି ସେଥିରେ ପୁଲିସର ଅସହାୟତା ମଧ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି।
ତେଣୁ ଏସବୁ ପ୍ରସଙ୍ଗକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଅଭିଜିତ ମାମଲାକୁ ରାଜନୀତିକ ଓ ସାମ୍ପ୍ରଦାୟିକ ଖୋଳପା ପିନ୍ଧାଇ ବିଜେଡି ସରକାର ଚର୍ଚ୍ଚାରେ ରହିଥିବା ଦୁର୍ନୀତି ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ରଣନୀତି ପ୍ରସ୍ତୁତ କରିଥିଲା। ଆଉ ରାଜ୍ୟର ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ସେହି ଜାଲରେ ଫସି ବିଜେଡିକୁ ସୁହାଇବା ଭଳି କାର୍ଯ୍ୟ କରିଥିଲା ବୋଲି ସାଧାରଣରେ ଚର୍ଚ୍ଚା।
from Odisha Reporter https://ift.tt/2MPAOsn
No comments:
Post a Comment