ପିତୃ ଅଭିଶାପରେ ଜଳିଗଲେଣି ଦେବଦତ୍ତ, ଚେତା ପଶୁଛି ଏବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ପିତୃ ଅଭିଶାପରେ ଜଳିଗଲେଣି ଦେବଦତ୍ତ, ଚେତା ପଶୁଛି ଏବେ

srory

(ଓମ୍‌ପ୍ରକାଶ ସାହୁ)

ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମଂ ତପ
ପିତରି ପ୍ରିତିମା ପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ

ସଂସ୍କୃତରେ କୁହାଯାଏ ପିତା ହେଉଛନ୍ତି ସ୍ୱର୍ଗ, ସେ ହେଉଛନ୍ତି ଧର୍ମ। ସେ ସବୁ ଦେବଦେବୀଙ୍କ ଠାରୁ ଊର୍ଦ୍ଧ୍ୱରେ। ବାପା ହେଉଛନ୍ତି ଦୟାସାଗର। ଉପରେ ଉପରେ ଯେତେ ଗାଳିଗୁଲଜ କରୁଥିଲେ ମଧ୍ୟ ବାପାଙ୍କ ହୃଦୟର ସ୍ନେହ ଓ ଭଲ ପାଇବାକୁ ମାପିବାକୁ କିଛି ମାପକାଠି ନାହିଁ। ତାଙ୍କର ବିକଳ୍ପ କେହି ବି ହୋଇପାରିବେ ନାହିଁ।

ପିଲାମାନେ ବଡ଼ ହେଲା ପରେ ଭୁଲିଯାଆନ୍ତି ବାପା ମା’ଙ୍କ ସେବା ଯତ୍ନ । କିଛି ମୂଢ଼ ବି ଯୁକ୍ତି କରନ୍ତି, କହନ୍ତି “ସବୁ ବାପା ମା’ ଯାହା କରନ୍ତି ଆପଣ ତ ସେୟା କରିଛନ୍ତି, ଅଧିକା କ’ଣ କରିଛନ୍ତି ?” ବାପା ମା’ଙ୍କ ଆଖିରେ ଲୁହ ଦେଲେ ଫଳ ମାରାତ୍ମକ ହୋଇଥାଏ । ଆଉ ସେ ପାପର ପ୍ରାୟଶ୍ଚିତ ଏତେ ସହଜ ନୁହେଁ।

ପଢ଼ନ୍ତୁ ଏହି ଗଳ୍ପ ଆଉ ଜାଣନ୍ତୁ କେମିତି ବାପା-ମା’ଙ୍କ ଆଖିର ଲୁହ କେତେ ମାରାତ୍ମକ ହୋଇପାରେ।

ଦେବଦତ୍ତ ପିଲାବେଳୁ ଭଲ ପାଠ ପଢ଼ୁଥିଲେ। ବାପା ସଦାନନ୍ଦ ବାବୁ ନିଷ୍ପତ୍ତି ନେଲେ ପୁଅକୁ ଇଞ୍ଜିନିୟର କରିବେ। ମ୍ୟାଟ୍ରିକ୍‌ ପାସ୍‌ କରିବା ପରେ ବାପା ସଦାନନ୍ଦ ପୁଅକୁ ଇଞ୍ଜିନିୟରିଂ କୋର୍ସରେ ଆଡ୍‌ମିଶନ୍‌ କରାଇଦେଲେ।

ହେଲେ ପୁଅ ଫୁଲ୍‌ ପ୍ୟାଣ୍ଟ ପିନ୍ଧୁ ପିନ୍ଧୁ ଭୁଲ୍‌ ରାସ୍ତାରେ ଚାଲିଲା। ଅସ୍ମିତା ବୋଲି ଗୋଟିଏ ଝିଅ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ବଡ଼ କଥା ହେଉଛି ଅସ୍ମିତାର ବୟସ ଦେବଦତ୍ତଙ୍କଠାରୁ ବଡ଼ ଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ।

ଇଞ୍ଜିନିୟରିଂ ପାଠ ସରୁ ସରୁ ଭଲ ଚାକିରି ଖଣ୍ଡେ ପାଇଗଲେ ଦେବଦତ୍ତ। ଚାକିରି କରିବା ପରେ ଅସ୍ମିତା ଦେବଦତ୍ତଙ୍କୁ ବାହା ହେବାକୁ ଜିଦ୍‌ ଧରିଲା। କାରଣ ଦେବଦତ୍ତଙ୍କର ସିନା ବୟସ ଥିଲା ହେଲେ ଅସ୍ମିତା ପାଖରେ ସମୟ ନ ଥିଲା କାରଣ ତା’ ବୟସ ଗଡ଼ିଯାଉଥିଲା।

ଅସ୍ମିତା ଦେବଦତ୍ତଙ୍କୁ ‘ତୁରନ୍ତ ବାହାହୁଅ, ନହେଲେ ମୋ ମଲା ମୁହଁ ଦେଖିବ’ ବୋଲି କହି ବ୍ଲାକ୍‌ମେଲ୍‌ କରିବାକୁ ଲାଗିଲା। ବାସ୍‌ ପ୍ରେମାନ୍ଧ ଆଉ ଅପରିପକ୍ୱ ଦେବଦତ୍ତ ଘରେ ଜିଦ୍‌ ଧରିଲେ ତୁରନ୍ତ ତାଙ୍କ ବାହାଘର କରିଦେବାକୁ।

ବାପା ସଦାନନ୍ଦବାବୁ ପଢ଼ୁଆ ପୁଅର ଜିଦ୍‌ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ସଦାନନ୍ଦ ସପତ୍ନିକ ଅସ୍ମିତାଙ୍କୁ ଦେଖିବାକୁ ଗଲେ ଆଉ ପୁଅ ଏକ ବଡ଼ ଭୁଲ୍‌ ନିଷ୍ପତ୍ତି ନେଇଛି ବୋଲି ଉଭୟ ଅନୁଭବ କଲେ। ଯାହାକୁ ସେ ଜନ୍ମ ଦେଇଛନ୍ତି ସିଏ ଏମିତି ଅସଂସ୍କୃତ ଓ ବିନାଶକ ନିଷ୍ପତ୍ତି ନେବ ତାହା ତାଙ୍କ କଳ୍ପନା ବାହାରେ ଥିଲା।

ସଦାନନ୍ଦବାବୁ ଓ ପତ୍ନୀ ଉଭୟ ଦେବଦତ୍ତଙ୍କୁ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ଦେବଦତ୍ତ ବୁଝି ନ ଥିଲେ। ଏଥର ସଦାନନ୍ଦ ବାବୁ ଦେବଦତ୍ତକୁ ବୁଝାଇବାକୁ ଚେଷ୍ଟା କଲେ ନିଜ ଜୀବନକୁ ବାଜି ଲଗାଇ। ପଚାରିଲେ, ‘ତୋର କିଏ ଦରକାର, ଅସ୍ମିତା ନା ତୋ ବାପା ?’

ଦେବଦତ୍ତ କହୁ କହୁ କହିଦେଲେ ‘ମୋର ଅସ୍ମିତା ଦରକାର’।

sroryଆଉ ତା ପରେ କ’ଣ ହେଲା ପଢ଼ନ୍ତୁ…….

ଏତକ ଶୁଣୁ ଶୁଣୁ ସଦାନନ୍ଦ ବାବୁଙ୍କ ପାଦ ତଳୁ ଯେମିତି ମାଟି ଖସିବାକୁ ଲାଗିଲା। ସେ ଏମିତି ପୁଅର ବାପ ହୋଇ ବଞ୍ଚିବା ଅପେକ୍ଷା ଆତ୍ମହତ୍ୟା କରିବାକୁ ଶ୍ରେୟ ମଣିଲେ। ଆତ୍ମହତ୍ୟା ନ କରିବାକୁ ନିଜକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ସମ୍ଭବ ହେଲା ନାହିଁ। ନିଜକୁ ଧିକ୍କାର କରି ଚାଲିଲେ।

ଦେବଦତ୍ତଙ୍କ ଗୋଟିଏ ବାକ୍ୟ ‘ମୋର ଅସ୍ମିତା ଦରକାର’ ବାରମ୍ବାର ସଦାନନ୍ଦ ବାବୁଙ୍କ କାନରେ ପ୍ରତିଧ୍ୱନିତ ହେବାକୁ ଲାଗିଲା। ସଦାନନ୍ଦ ବାବୁ କେବଳ ଏକ ନିସ୍ତବ୍ଧ ରାତିକୁ ଅପେକ୍ଷା କଲେ।

ଯେତେବେଳେ ସମସ୍ତେ ଶୋଇଗଲେ ସଦାନନ୍ଦ ବାବୁ ରେଳଧାରଣାରେ ଶୋଇଯିବାକୁ ନିଷ୍ପତ୍ତି ନେଇ ଘରୁ ଗୋଡ଼ କାଢ଼ିଲେ। ବାଟରେ ତାଙ୍କୁ ଶୁଭିଲା ‘ବାପା ମୋର ଭୁଲ୍‌ ହୋଇଯାଇଛି’ । ପଛକୁ ଫେରି ଚାହିଁଲା ବେଳକୁ କିନ୍ତୁ କେହି ନ ଥିଲେ। ସଦାନନ୍ଦ ବାବୁ ବୁଝିଗଲେ ଯେ ଏ କେବଳ ତାଙ୍କ ଚଞ୍ଚଳ ମନର ପ୍ରତିକ୍ରିୟା ଆଉ ବଞ୍ଚି ରହିବାର ବାହାନା।

‘ନା’ ଆଉ ନୁହେଁ, ବଞ୍ଚି କିଛି ଲାଭ ହେବନି। ସେ ପିଲାଟା ବୁଝିବା ସ୍ଥିତିରେ ନାହିଁ। ଘର ଭାଙ୍ଗିଯିବା ଦେଖିବା ପୂର୍ବରୁ ମରିଯିବା ହିଁ ଭଲ ।

ଏତିକି ଭାବୁ ଭାବୁ ସେପଟୁ ଶୁଭିଲା ଲୌହ ଦାନବର ଗର୍ଜନ। ସେଇ ଗର୍ଜନ ଭିତରେ ସଦାନନ୍ଦ ବାବୁ ଖୋଜିବାକୁ ବିକଳ ହୋଇପଡ଼ିଲେ ସେଇ ଶବ୍ଦପୁଞ୍ଜ- ‘ବାପା ମୋର ଭୁଲ୍‌ ହୋଇଯାଇଛି’ । କିନ୍ତୁ କାନକୁ ଶୁଭିଲା କେବଳ ଚିଙ୍ଗାରୀର ଶବ୍ଦ ଆଉ ସେଇ କର୍କଶ ଲୌହ ଦାନବର ଗର୍ଜନ।

‘ବାପା ମୋର ଭୁଲ୍‌ ହୋଯାଇଛି’ ଆଉ ‘ମୋର ଅସ୍ମିତା ଦରକାର’ର ଯୁଦ୍ଧ ଭିତରେ ପରାଜିତ ସୈନିକ ଭଳି କେତେବେଳେ ରେଳଧାରଣା ଉପରେ ଶୋଇଯାଇଥିଲେ ସଦାନନ୍ଦ ବାବୁ । ନିମିଷକ ମଧ୍ୟରେ ସବୁ କିଛି ଶେଷ।

ଆଉ ଏପଟେ ଦେବଦତ୍ତ କ’ଣ କରିବ, କିଛି ବୁଝିପାରୁ ନ ଥିଲେ। ସେ ମନକୁ ବୁଝାଇଲେ ଯେ ବାପା ତ ଅଫେରନ୍ତା ରାଇଜକୁ ଚାଲିଗଲେ। ଅସ୍ମିତାକୁ ଛାଡ଼ିଦେଲେ ଦୁଇ ଦୁଇଟା କ୍ଷତି। ବାପାଙ୍କର କ୍ରିୟାକର୍ମ ସରି ନ ଥିବାରୁ କୋର୍ଟରେ ଅସ୍ମିତାକୁ ବାହା ହୋଇ ପତ୍ନୀର ମର୍ଯାଦା ଦେଲେ ଦେବଦତ୍ତ। ଏହା ଥିଲା ତାଙ୍କର ଦ୍ୱିତୀୟ ଭୁଲ୍। ବାପାଙ୍କ ବଳିଦାନର ମହତ୍ତ୍ୱ ବୁଝିପାରି ନ ଥିଲେ ଦେବଦତ୍ତ।

sroryବାସ୍‌ ଏଇଠୁ ଆରମ୍ଭ ହେଲା ଦେବଦତ୍ତଙ୍କର ପତନ।

ଭଲ ଦରମାରେ ଚାକିରିଟିଏ କରିଥିଲେ ଦେବଦତ୍ତ। ପତ୍ନୀ କଥାରେ ପଡ଼ି ତାକୁ ଛାଡ଼ିଲେ ଓ ଘର ପାଖକୁ ଆସିଲେ। ସେତିକି ଦରମା ଦୂରର କଥା, ତା’ର ଅଧାରେ ବି ଚାକିରି ମିଳିଲା ନାହିଁ। ସେତେବଳକୁ ପୁଅଟିଏ ଜନ୍ମ ହୋଇସାରିଥାଏ। ସମ୍ମାନ ବାଞ୍ଛାଇବାକୁ ଅଳ୍ପ ଦରମାରେ ଚାକିରି କଲେ।

ସେପଟେ ଅସ୍ମିତାଙ୍କର ମଧ୍ୟ ଚାକିରି ହୋଇଗଲା। ବାହା ହୋଇଗଲା ପରେ ଦେବଦତ୍ତଙ୍କ ଉପରେ ଚାଲିଲା ଅସ୍ମିତାର ହାକିମଗିରି। ଧୀରେ ଧୀରେ ଅସ୍ମିତାର ବାପ ଘର ଲୋକେ ବି ଦେବଦତ୍ତଙ୍କୁ ଶାସନ କରିବାକୁ ଲାଗିଲେ।

ଦାମ୍ପତ୍ୟ ଅଶାନ୍ତି ଏତେ ବଢ଼ିଗଲା ଯେ କେହି କାହାକୁ ସହିବା ସ୍ଥିତିରେ ନ ଥିଲେ। ଯାହା ପାଇଁ ଦେବଦତ୍ତ ନିଜ ବାପାଙ୍କୁ ଠୋକର ମାରିଥିଲେ ସେଇ ଅସ୍ମିତା ପୁଅକୁ ସାଙ୍ଗରେ ଧରି ପଳାଇଗଲା ବାପ ଘର।

ଦେବଦତ୍ତ ନିଜ ଭୁଲ୍‌ ବୁଝିପାରୁଥିଲେ। କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିଲା। ପୁଅ ଧୀରେ ଧୀରେ ବଡ଼ ହେଉଛି। ବିଡ଼ମ୍ବନା ହେଉଛି ପୁଅ ବାପାକୁ ଚିହ୍ନିବା ପୂର୍ବରୁ ଅସ୍ମିତା ତା’ର ନୂଆ ବାପା ସହ ଲିଭ୍‌ ଇନ୍‌ ରିଲେଶନ୍‌ ପାଇଁ ସଜ ହେଲେଣି।

ଦେବଦତ୍ତଙ୍କ ପାଇଁ ବାପାଙ୍କ ଆଖିର ଲୁହ ଯେମିତି ଅଭିଶାପ ହୋଇଗଲା। ଘାତକ ହୋଇଗଲା ଅପରିପକ୍ୱ ନିଷ୍ପତ୍ତି। ଦେବଦତ୍ତଙ୍କ ଜୀବନରେ ଅନ୍ଧକାର ଘୋଟିଆସିଲା।
ସ୍ତ୍ରୀଠାରୁ ସିନା ଅଲଗା ହୋଇଗଲେ, ଦେବଦତ୍ତ ବୁଝିଗଲେଣି ପୁଅର ବିଚ୍ଛେଦ ବାପାକୁ କେତେ ବାଧେ।

ଦେବଦତ୍ତ ଏବେ ଖୋଜୁଛନ୍ତି ତାଙ୍କ ବାପାଙ୍କୁ ….ଖୋଜୁଛନ୍ତି ସେହି ପିଲା ଦିନ….. ବାପାଙ୍କର ସେହି ସ୍ନେହ ମମତା….. ଇଚ୍ଛା ହେଉଛି ବାପାଙ୍କ ବାଇକ୍‌ ପଛରେ ବସି ନଈକୂଳ ରାସ୍ତାରେ ବୁଲିବାକୁ। କିନ୍ତୁ କ’ଣ କରିବେ? ଆପଣା କର୍ମର ଫଳ ତ ନିଜକୁ ହିଁ ଭୋଗିବାକୁ ପଡ଼ିବ। ଦେବଦତ୍ତ ନିଷ୍ପତ୍ତି ନେଇଛନ୍ତି ବାପାଙ୍କ ଭଳି ହାରି ନ ଯିବାକୁ । କାରଣ ଦଣ୍ଡ ଭୋଗିଲେ ହିଁ ବାପାଙ୍କ ଆତ୍ମାକୁ ଶାନ୍ତି ମିଳିବ।

ଏହି ଗଳ୍ପର ସାରମର୍ମ କ’ଣ ହୋଇପାରେ ତାହା ପାଠକେ ବୁଝିପାରୁଥିବେ।



from Odisha Reporter https://ift.tt/2MOboQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages