
ବାଙ୍କୀ (ସଞ୍ଜିବ କୁମାର ନାୟକ): ଯୌତୁକ ଜୁଈରେ ବଧୂ! ବିବାହର ୫ ବର୍ଷ ପରେ ଆଖି ବୁଜିଲେ ଜଣେ ବଧୂ। ଆଜି ଏପରି ଅଭିଯୋଗ ଆସିଛି ବାଙ୍କୀ ଅଞ୍ଚଳରୁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
୫ ବର୍ଷ ତଳେ ଖଣ୍ଡପଡ଼ା ଥାନା ଟିକିଲିପଡ଼ା ଗାଁର ଗୀତାଞ୍ଜଳି ମନ୍ତ୍ରୀ ବାଙ୍କୀ ଥାନା ଅନ୍ତର୍ଗତ ଭେଡାରାମପୁର ଗାଁର କାହ୍ନୁଚରଣ ମନ୍ତ୍ରୀଙ୍କ ପୁଅ ପ୍ରଶାନ୍ତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ପ୍ରଶାନ୍ତ ଓ ତାଙ୍କ ମାଆ ସେଥିରେ ସନ୍ତୁଷ୍ଟ ନଥିଲେ। ସେଥିପାଇଁ ବାରମ୍ୱାର ଗୀତାଞ୍ଜଳିଙ୍କୁ ଦେଉଥିଲେ ନିର୍ଯାତନା।
ଗୀତାଞ୍ଜଳି ଏନେଇ ବାପଘର ଲୋକଙ୍କୁ କହିଥିଲେ। ପରେ ଗ୍ରାମସଭା ମାଧ୍ୟମରେ ମାମଲାର ସମାଧାନ ହୋଇଥିଲା। ଏହା ସତ୍ତ୍ୱେ ୮ ଦିନ ତଳେ ଗୀତାଞ୍ଜଳିଙ୍କୁ ହତ୍ୟା କରିବା ନେଇ ପ୍ରଶାନ୍ତ ଶ୍ୱଶୁରଘର ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଆଜି ସକାଳେ ପରିବାର ଲୋକ ଫୋନ୍ କଲ୍ ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳକୁ ଗୀତାଞ୍ଜଳି ଆଖି ବୁଜି ଦେଇଥିଲେ। ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ମାତ୍ର ଗୀତାଞ୍ଜଳିଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ମାରିବା ପରେ ବିଷ ପିଆଇ ଦିଆଯାଇଛି।
from Odisha Reporter https://ift.tt/2LWWqCH
No comments:
Post a Comment