
ଇସ୍ଲାମାବାଦ୍, ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପାକିସ୍ତାନ ପୁଣିଥରେ ଭାରତକୁ ଧମକ ଦେବା ଆରମ୍ଭ କରିଛି। ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ ବନ୍ଧୁତା ସ୍ଥାପନ କରିବାକୁ କହୁଥିବା ବେଳେ ଅନ୍ୟପଟେ ଦେଶର ସେନା ମୁଖ୍ୟ ଜେନେରାଲ୍ କମର୍ ଜାଭେଦ୍ ବାଜୱା ନୂଆଦିଲ୍ଲୀଠାରୁ ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି।
ପାକିସ୍ତାନ ସେନା ମୁଖ୍ୟ ଏପରି ଧମକ ଦେଉଥିଲେ ମଧ୍ୟ ପଞ୍ଜାବର କଂଗ୍ରେସ ସରକାରଙ୍କ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍ ନଭଜୋତ୍ ସିଂହ ସିଦ୍ଧୁ ପାକ୍ ସରକାରଙ୍କୁ ଧନ୍ୟବାଦ ଦେବା ଘଟଣା ନୂଆ ବିବାଦ ସୃଷ୍ଟି କରିଛି।

“ପାକିସ୍ତାନ ସରକାର ଗୁରୁ ନାନକଜୀଙ୍କ ୫୫୦ ତମ ଜନ୍ମ ବାର୍ଷିକ ପାଳନ ପାଇଁ କର୍ତ୍ତାରପୁର ସାହିବ କରିଡର୍ ଖୋଲିବାକୁ ପ୍ରସ୍ତୁତ ଅଛନ୍ତି। ଏହାଠାରୁ ବଡ଼ ଖୁସିର କଥା କିଛି ହୋଇ ନଥାଇ ପାରେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ବୈଦେଶିକମନ୍ତ୍ରୀଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି। ତେଣୁ ଆମକୁ ମଧ୍ୟ ଶାନ୍ତି ସ୍ଥାପନ ପାଇଁ ଆଗକୁ ଆସିବାକୁ ପଡ଼ିବ। ପାକିସ୍ତାନ ଏଭଳି କାର୍ଯ୍ୟକରି ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଛି। ଏହାକୁ ଏବେ କେହି ବିରୋଧ କରିପାରିବେ ନାହିଁ” ବୋଲି ସିଦ୍ଧୁ କହିଛନ୍ତି।
ପୂର୍ବରୁ ସିଦ୍ଧୁ ପାକିସ୍ତାନ ଗସ୍ତ କରି ସେଠାରେ ବାଜୱାଙ୍କୁ ଆଲିଙ୍ଗନ୍ କରିଥିବାରୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଏବେ ପୁଣି ଏଭଳି ବୟାନ ନୂଆ ବିବାଦ ସୃଷ୍ଟି କରିଛି।

ପାକିସ୍ତାନ ସେନାମୁଖ୍ୟ ବାଜୱା ୫୩ ତମ ପ୍ରତିରକ୍ଷା ଦିବସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଥିଲେ, “ପାକିସ୍ତାନ ସେନା ସୀମା ସୁରକ୍ଷା ପାଇଁ ଯେଉଁ ବଳିଦାନ ଦେଇଛନ୍ତି, ତାହା କେବେ ହେଲେ ବେକାର ଯିବନାହିଁ। ସୀମାରେ ପାକ୍ ସେନାଙ୍କ ରକ୍ତର ବଦଲା ନିଶ୍ଚିତ ନିଆଯିବ। ଭାରତ ଅଧିକୃତ କଶ୍ମୀର ଜନସାଧାରଣ ସର୍ବଦା ପାକିସ୍ତାନ ସହ ଛିଡ଼ା ହୋଇଛନ୍ତି। ସେମାନଙ୍କୁ ଭାରତୀୟ ସେନା ନାନା ପ୍ରକାରର ନିର୍ଯାତନା ଦେଉଥିଲେ ମଧ୍ୟ ସେମାନେ ସବୁ ସହ୍ୟ କରିଛନ୍ତି। ଏଥିପାଇଁ ସେମାନଙ୍କୁ ପାକ୍ ସେନା ପକ୍ଷରୁ ଧନ୍ୟବାଦ। ଆଗକୁ ଏସବୁର ପ୍ରତିଶୋଧ ନିଆଯିବ” ବୋଲି ସେ କହିଛନ୍ତି।
from Odisha Reporter https://ift.tt/2wQigCy
No comments:
Post a Comment