ଧୀରେ ଧୀରେ କାର୍ଡ ଖୋଲୁଛନ୍ତି ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଧୀରେ ଧୀରେ କାର୍ଡ ଖୋଲୁଛନ୍ତି ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେବାର ୩ମାସ ପରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ନିଜର ପରବର୍ତ୍ତୀ କାର୍ଯ୍ୟପନ୍ଥାକୁ ନେଇ ସମ୍ୟକ ଆଭାସ ଦେଇଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜନୀତିରେ ଥିବାରୁ ସେ ରାଜନୀତି ମାଧ୍ୟମରେ ହିଁ ଲୋକଙ୍କ ସେବା କରିବେ ବୋଲି କହିବା ସଙ୍ଗେସଙ୍ଗେ ନିର୍ବାଚନରେ ଭାଗ ନେବାକୁ ହେଲେ ନିର୍ବାଚନ ପୂର୍ବରୁ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆଜି କହିଛନ୍ତି।

ତେବେ ଶ୍ରୀ ପଣ୍ଡା ଏଭଳି ମତ ରଖିବା ପରେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଆଜି ମାହାଙ୍ଗା ଗସ୍ତରେ ଯାଇଥିବା ଅବସରରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ସେ କେବଳ ମାହାଙ୍ଗା କିମ୍ବା କେନ୍ଦ୍ରାପଡ଼ା ନୁହେଁ ବରଂ ସମଗ୍ର ଓଡ଼ିଶାର ଲୋକଙ୍କ ସେବା କରିବାକୁ ଚାହାନ୍ତି। ସେଥିପାଇଁ ତାଙ୍କର ଉଦ୍ୟମ ଅବ୍ୟାହତ ରହିବ।

ଆଗାମୀ ଦିନରେ ସେ କେଉଁ ଦଳରେ ସାମିଲ ହେବେ ନା ନିଜେ କିଛି ନୂଆ ଆରମ୍ଭ କରିବେ ସେ ସମ୍ପର୍କରେ ଚିନ୍ତା କରୁଛନ୍ତି। ନୂଆ ଆରମ୍ଭ କରିବା ପାଇଁ ବି କିଛି ଲୋକ ପରାମର୍ଶ ଦେଉଛନ୍ତି। ସବୁ ବିକଳ୍ପ ଓ ସମ୍ଭାବନା ସମ୍ପର୍କରେ ସେ ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର କିଛି ନିଷ୍ପତ୍ତି ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏପର୍ଯ୍ୟନ୍ତ ନିଜର ରାଜନୀତିକ କାର୍ଯ୍ୟପନ୍ଥା ସମ୍ପର୍କରେ ମୁହଁ ନଖୋଲି ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ଚା’ ଖଟିରେ ଲୋକମାନଙ୍କ ସହ ଭାବ ବିନିମୟ କରୁଥିବା ଶ୍ରୀ ପଣ୍ଡା ଆଜି ମାହାଙ୍ଗାରେ ଦେଇଥିବା ବୟାନରୁ ସେ ଆଗାମୀ ଦିନରେ ରାଜନେତା ଭୂମିକାରେ ହିଁ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

ଧୀରେଧୀରେ ନିଜର ରାଜନୀତିକ ଗୋଟିଚାଳନା କରୁଥିବା ଶ୍ରୀ ପଣ୍ଡା ଏବେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ନିଜର ପରବର୍ତ୍ତୀ ରଣନୀତିକୁ ଚୂଡ଼ାନ୍ତ ରୂପ ଦେଉଥିବା ଜଣାପଡ଼ିଛି। ତେବେ ରାଜନୀତିରେ ରହି ନୂଆ କିଛି କରିବା ପାଇଁ ଲୋକମାନେ ପ୍ରୋତ୍ସାହନ ଦେଉଥିବା ଏବଂ ସାରା ଓଡ଼ିଶା ନିମନ୍ତେ ସେ କିଛି କରିବାକୁ ଚାହାନ୍ତି ବୋଲି କହି ଶ୍ରୀ ପଣ୍ଡା ରାଜ୍ୟରେ ଏକ ନୂଆ ରାଜନୀତିକ ସମୀକରଣ ଆଡ଼କୁ ଇଙ୍ଗିତ କରିଛନ୍ତି।

ବିଜେଡି ଓ ବିଜେପି ନେତୃତ୍ୱଙ୍କ ଲୁଚକାଳି ମଧ୍ୟରେ ଶ୍ରୀ ପଣ୍ଡା ବିଜେପି କିମ୍ବା ଅନ୍ୟ କୌଣସି ଦଳରେ ସାମିଲ ହେବା ପରିବର୍ତ୍ତେ ନିଜେ ନୂଆ କିଛି କରିବାର ସମ୍ଭାବନା ଥିବାର ସୂଚନା ଦେଇ ଏହି ଦୁଇ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି।

ଶ୍ରୀ ପଣ୍ଡାଙ୍କ ମତ ଉପରେ ପ୍ରତିକ୍ରିୟା ରଖି ବିଜେଡିର ପ୍ରତିଷ୍ଠାତା ସଦସ୍ୟ (ଏବେ ଦଳରେ ନାହାନ୍ତି) ତଥା ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଓଡ଼ିଶାର ରାଜନୀତିକ ଦୃଶ୍ୟ ଏବେ ଯାହା, ବୈଜୟନ୍ତ ବାବୁ କୌଣସି ଦଳରେ ସାମିଲ ହେବା ପରିବର୍ତ୍ତେ ନିଜେ ନୂଆ ସଂଗଠନ ଗଢ଼ିବା ଉଚିତ୍ ହେବ। ସେ ନିଜକୁ କେବଳ ଗୋଟିଏ ସଂସଦୀୟ କ୍ଷେତ୍ର ମଧ୍ୟରେ ସୀମିତ ନରଖି ଯଦି ଓଡ଼ିଶାର ନେତୃତ୍ୱ ନେବା ପାଇଁ ଇଚ୍ଛା କରୁଥାନ୍ତି ଓ ସେ ଦିଗରେ ଆଗଉଥାନ୍ତି ତା’ହେଲେ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ।

ସେହିପରି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ, “ବୈଜୟନ୍ତ ପଣ୍ଡା ବିଜୁ ପରିବାରର ଲୋକ । ଏବେ ସେ କେଉଁଠି? ମୁଁ ବିଜୁ ଛଡ଼ା କିଛି ଜାଣେନି, ମୁଁ ଏବେ କେଉଁଠି ଅଛି । ସେ ବିଜେଡିରେ ଅଛନ୍ତି ବୋଲି ତ କାହିଁ ଭାବୁନାହାନ୍ତି । ଯିଏ ବିଜୁଙ୍କ ସଭାରେ ଖଣ୍ଡା ବୁଲାଉଥିଲେ, ସେ ଏବେ ଆଗରେ। ବିଜୁଙ୍କ ଆଦର୍ଶ ଜାଣିନଥିବା ଲୋକ ଏବେ ଦଳର ପ୍ରବକ୍ତା ଓ ଆଗଧାଡ଼ିରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭଲ କିନ୍ତୁ ତାଙ୍କୁ ଯେଉଁମାନେ ଚକ୍ରବ୍ୟୁହରେ ରଖିଛନ୍ତି ଭଗବାନ ସେମାନଙ୍କୁ ସହାୟ ହୁଅନ୍ତୁ । ସେମାନଙ୍କ ପାଇଁ ଗାଁ ଗହଳିରେ ଲୋକ ଏବେ ଭିନ୍ନ ମତ ଦେଲେଣି । ସେମାନେ ଦୋଷ କରିବେ, ଆଉ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଶ୍ଚାତାପ କରିବେ। ସେହିମାନଙ୍କ ପାଇଁ  ହିଁ  ଏବେ ଦଳର ଏଭଳି ସ୍ଥିତି ।”

କୁହାଯାଉଛି, ଯଦି ବୈଜୟନ୍ତ ଏକ ନୂଆ ଦଳ ବା ମଞ୍ଚ ଗଠନ କରନ୍ତି, ତାହା ସାଂପ୍ରତିକ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିବା ସଙ୍ଗେସଙ୍ଗେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ ନେତାଙ୍କ ପାଇଁ ଏକ ବିକଳ୍ପ ପ୍ଲାଟଫର୍ମ ଛିଡ଼ା କରିଦେବ। ଯାହା ପ୍ରମୁଖ ଦଳଗୁଡ଼ିକର ବିଶେଷକରି ଶାସକ ବିଜେଡିର ଚିନ୍ତା ବଢ଼ାଇ ପାରେ। ନବୀନଙ୍କ ପରେ ବିଜୁ ଜନତା ଦଳର ବିଲୟ ଘଟିବା ଅନିବାର୍ଯ୍ୟ ହୋଇଥିବାରୁ ବହୁ ଅସନ୍ତୁଷ୍ଟ ଏବଂ ଦୂରଦର୍ଶୀ ନେତା ଆଗରୁ ନିଜ ନିଜ ବାଟ ଖୋଜିବାକୁ ଚାହିଁବେ ବୋଲି ମଧ୍ୟ ରାଜନୀତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ଅବଶ୍ୟ ନବୀନଙ୍କ ଭଳି ବୈଜୟନ୍ତ ହାତେ ମାପି ଚାଖଣ୍ଡେ ଚାଲୁଥିବାରୁ, ତାଙ୍କ ଗେମ୍ ପ୍ଳାନ ପୂର୍ବରୁ ଠଉରାଇବା ସହଜ ନୁହେଁ ବୋଲି ନାମକୁ ଗୋପନ ରଖି ବିଜେଡିର ଜଣେ ପୁରୁଖା ନେତା କହିଛନ୍ତି। କିନ୍ତୁ ମାଷ୍ଟରଷ୍ଟ୍ରୋକ୍ ମାରିବାର ଉଭୟ କ୍ଷମତା ଓ ଦକ୍ଷତା ବୈଜୟନ୍ତଙ୍କ ପାଖରେ ମହଜୁଦ ଅଛି ବୋଲି ସମ୍ପୃକ୍ତ ନେତା ସ୍ଵୀକାର କରିଛନ୍ତି।



from Odisha Reporter https://ift.tt/2Q0wxoQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages