
ନାଲଗୋଣ୍ଡା: ଅଲଗା ଜାତିରେ ବିବାହ କରିଥିବାରୁ ଝିଅର ପରିବାର ଲୋକ ନିଜ ୨୩ ବର୍ଷୀୟ ଜ୍ୱାଇଁଙ୍କୁ ହତ୍ୟା କରିବା ଘଟଣା ଆଜି ନୂଆ ମୋଡ଼ ନେଇଛି।
ଶୁକ୍ରବାର ଦିନ ତେଲେଙ୍ଗାନାର ନାଲଗୋଣ୍ଡାଠାରେ ୨୩ ବର୍ଷୀୟ ପ୍ରଣୟ କୁମାରଙ୍କୁ ଜଣେ ବ୍ୟକ୍ତି ହସ୍ପିଟାଲ୍ ସାମ୍ନାରେ ହତ୍ୟା କରିଥିଲେ। ଏହି ଘଟଣାଟି ସିସିଟିଭିରେ କଏଦ ମଧ୍ୟ ହୋଇଥିଲା। ପୁଲିସ୍ ଇତି ମଧ୍ୟରେ ମୁଖ୍ୟ ହତ୍ୟାକାରୀକୁ ବିହାରରୁ ଗିରଫ କରିଛି।
ବିହାର ଏକ ଗ୍ୟାଙ୍ଗକୁ ସୁପାରି ଦିଆଯାଇ ନାଲଗୋଣ୍ଡାକୁ ଡକା ଯାଇଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି। ଏଥିପାଇଁ କୋଟିଏ ଟଙ୍କାର ଡିଲ୍ ହୋଇଥିବା ପୁଲିସ୍ ଜାଣିବାକୁ ପାଇଛି।
ଏହାପରେ ପୁଲିସ ଅନ୍ୟ ୭ ଜଣଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଏମାନଙ୍କ ସମ୍ପର୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ରହିଥିବା ଜଣାପଡ଼ିଛି।
ପୁଲିସ୍ କହିଛି, ପ୍ରଣୟ କୁମାରଙ୍କୁ ମାରିବା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିପାଇଁ କୋଟିଏ ଟଙ୍କାରେ ଡିଲ୍ ଫାଇନାଲ୍ ହୋଇଥିଲା। ହତ୍ୟାକାରୀଙ୍କୁ ଏବାବଦରେ ୧୮ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ମଧ୍ୟ ଦିଆଯାଇଥିଲା।
ଗୁଜରାଟ୍ର ପୂର୍ବତନ ମନ୍ତ୍ରୀ ହରେନ୍ ପାଣ୍ଡ୍ୟାଙ୍କ ହତ୍ୟା ଘଟଣାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୩ରେ ଖଲାସ୍ ହୋଇଥିବା ଜଣେ ବ୍ୟକ୍ତିଙ୍କ ହାତ ମଧ୍ୟ ଏହି ହତ୍ୟାକାଣ୍ଡରେ ରହିଛି ବୋଲି ମଧ୍ୟ ପୁଲିସ୍ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ସ୍ଥାନୀୟ ଅଞ୍ଚଳର କିଛି ରାଜନେତାଙ୍କ ଉପରେ ମଧ୍ୟ ପୁଲିସ୍ ନଜର ରଖିଛି।
ପ୍ରଣୟ କୁମାର ଓ ଅମୃତା ଦର୍ଶିନୀ ସ୍କୁଲ୍ରେ ପଢ଼ିବା ବେଳୁ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ସଂପର୍କକୁ ଉଭୟଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ତେବେ କିଛିଦିନ ପରେ ପ୍ରଣୟଙ୍କ ପରିବାର ଲୋକେ ବାହାଘର ପାଇଁ ରାଜି ହୋଇଥିଲେ। ମାତ୍ର ୮ ମାସ ତଳେ ସେମାନଙ୍କ ବିବାହ ହୋଇଥିଲା।
ଅମୃତା ଏବେ ଗର୍ଭବତୀ ଥିବାରୁ ଶୁକ୍ରବାର ପ୍ରଣୟ ତାଙ୍କୁ ନେଇ ତେଲେଙ୍ଗାନାର ନାଲଗୋଣ୍ଡାର ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ପ୍ରଣୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ସିସିଟିଭିରେ ଏହି ହତ୍ୟାକାଣ୍ଡର ଦୃଶ୍ୟ କଏଦ ହୋଇଛି। ପ୍ରଣୟ ଅନୁସୂଚୀତ ଜାତିର ହୋଇଥିବା ବେଳେ ଅମୃତା ବ୍ୟାସ ଜାତିର।
ଅମୃତା କହିଛନ୍ତି, ତାଙ୍କ ବାପା ଓ ଦାଦା ହିଁ ପ୍ରଣୟଙ୍କୁ ହତ୍ୟା କରିଛନ୍ତି। ତାଙ୍କ ଘର ଲୋକେ ଏ ବାହାଘରକୁ ବିରୋଧ କରୁଥିଲେ ବୋଲି ଅମୃତା କହିଥିଲେ। ଏପରିକି ତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରୁଥିଲେ।
ଅମୃତାଙ୍କ ଅଭିଯୋଗ ପରେ ତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣଙ୍କୁ ପୁଲିସ୍ ଗିରଫ କରିଛି। ମାରୁତି ରାଓ ଜଣେ ବ୍ୟବସାୟୀ ଓ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ ଦବ୍ଦବା ରହିଛି।
from Odisha Reporter https://ift.tt/2NpEPJu
No comments:
Post a Comment