
ଅନୁଗୋଳ (ବିରଜା ଦାସ): ସ୍ୱାମୀ ଓ ନିଜ ଜନ୍ମ କଲା ପିଲାଙ୍କୁ ଛାଡ଼ି ଆଉ କାହାର ହାତ ଧରି ଚାଲି ଯାଇଥିଲେ। ହେଲେ ବେଶୀ ଦିନ ଶାନ୍ତିରେ ରହିପାରିଲେ ନାହିଁ। ଘରେ ନିଆଁ ଲାଗିବାରୁ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି ଜଣେ ମହିଳା। ପରିବାର ଛାଡ଼ି ଯାହାଙ୍କ ହାତ ଧରିଥିଲେ, ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ରାତିରେ ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମଝିଗାଁର ବିବାହିତା ମହିଳା ନିରାଶ ସୁରି (୫୫)। ସ୍ୱାମୀ ଓ ୪ ପୁଅ-ଝିଅଙ୍କୁ ନେଇ ଥିଲା ତାଙ୍କ ପରିବାର। ସାନ ପୁଅକୁ ଛାଡ଼ିଦେଲେ ସବୁ ପୁଅ ଓ ଝିଅ ବାହା ହୋଇସାରିଛନ୍ତି। ହେଲେ ଏହି ପରିଣତ ବୟସରେ ସେ କରିବସିଲେ ଏକ ଅପ୍ରୀତିକର ଭୁଲ୍। ସ୍ୱାମୀ ଓ ବଡ଼ ବଡ଼ ପିଲାଙ୍କୁ ଛାଡ଼ି ସେ ଆଉ ଜଣେ ପୁରୁଷଙ୍କ ସହ ଘର କରିବାକୁ ତାଙ୍କ ସହିତ ପଳାଇ ଯାଇଥିଲେ। ସେମାନେ ବେଣାଗାଡ଼ିଆ ରେଲୱେ ଟ୍ରକ୍ ପାଖରେ ଝୁମ୍ପୁଡି କରି ରହୁଥିଲେ। ଘରକୁ ହୁକ୍ ପକାଇ ବିଦ୍ୟୁତ୍ ଲାଇନ୍ ନେଇଥିଲେ।
ଗତକାଲି ରାତିରେ ଉକ୍ତ ଝୁମ୍ପୁଡ଼ି ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଆଜି ମଧ୍ୟାହ୍ନରେ ନିରାଶଙ୍କ ପୁଅ ହାଟକୁ ଗଲାବେଳେ ଘର ପୋଡ଼ି ଯାଇଥିବା ଦେଖିବାକୁ ପାଇଥିଲେ। ଅପରାହ୍ନ ୩ଟା ବେଳେ ସେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ମାତ୍ର ମୃତ ପୁରୁଷଙ୍କ ପରିଚୟ ମିଳିପାରି ନାହିଁ ବୋଲି ଅନୁଗୋଳ ଏସ୍ଡିପିଓ ହରିହର ପାଣି କହିଛନ୍ତି।
ପ୍ରାଥମିକ ଅନୁସନ୍ଧାନରୁ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଝୁମ୍ପୁଡ଼ିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
from Odisha Reporter https://ift.tt/2oHJ441
No comments:
Post a Comment