
ବାଙ୍କୀ (ସଞ୍ଜିବ କୁମାର ନାୟକ): ଦିନ ଦ୍ୱି’ପ୍ରହରରେ ଗାଁରେ ବୁଲୁଛି ବାର୍ହା। ଯେଉଁଠି ପାରୁଛି, ପଶିଯାଉଛି। ଯାହାକୁ ପାଉଛି, ତାକୁ ଆକ୍ରମଣ କରୁଛି।
ଏମିତି ଦୀର୍ଘ ଦିନ ଧରି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆତଙ୍କ ରଚିଛନ୍ତି ବାର୍ହା। ଆଜି ଗୋଟିଏ ଗାଁର ୭ ଜଣ ବାର୍ହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବନ ବିଭାଗଠାରୁ ସୁରକ୍ଷାର ପ୍ରତିଶ୍ରୁତି ପାଇବା ପରେ ଗାଁ ଲୋକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।
ପୂରା ଘଟଣା ଏମିତି। ଦୋଲନାପୁର ଗାଁର ସସ୍ମିତା ପଢ଼ିଆରି ଆଜି ମଧ୍ୟାହ୍ନରେ ଘରେ ଏକୁଟିଆ ଥିଲେ। ତାଙ୍କ ସ୍ୱାମୀ ବିଲକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ବାର୍ହା ତାଙ୍କ ଘରେ ପଶି ଯାଇଥିଲା। ଘର ଭିତରେ ବାର୍ହା ଗର୍ଜନ ଶୁଣି ସସ୍ମିତା ଚିତ୍କାର କରିଥିଲେ। ଫଳରେ ବାର୍ହାଟି ତାଙ୍କୁ ଆକ୍ରମଣ କରିଥିଲା। ଗାଁ ଲୋକଙ୍କ ହୋହଲ୍ଲା ଯୋଗୁ ବାର୍ହାଟି ଭୟଭୀତ ହୋଇ ଘରୁ ବାହାରି ପଳାଇ ଯାଇଥିଲା।
ସେହିପରି ଅନ୍ୟମାନଙ୍କୁ ମଧ୍ୟ ବାର୍ହା ଗାଁ ଭିତରେ ଆକ୍ରମଣ କରିଥିଲା। କାହାକୁ ଗାଁ ଭିତରେ ତ ଆଉ କାହାକୁ ବିଲ ମଝିରେ।

ଆଜି ଗୋଟିଏ ଦିନରେ ବାର୍ହା ୭ ଜଣଙ୍କୁ ଆକ୍ରମଣ କରିଛି। ସେମାନଙ୍କ ମଧ୍ୟରୁ ଅନାମ ପଣ୍ଡା, ଅଲେଖ ପଣ୍ଡା, ସୁଶାନ୍ତି ରାଉତ ଓ ସସ୍ମିତା ପଢ଼ିଆରିଙ୍କୁ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ୨ ଜଣଙ୍କୁ ଡମପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଲେଖ ପଣ୍ଡା ଓ ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ବାଙ୍କି ଖୋର୍ଦ୍ଧା ମୁଖ୍ୟ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ଏପରିକି ଆହତଙ୍କୁ କ୍ଷତିପୂରଣ ଓ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାବି କରିଥିଲେ।
ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଗାଁରେ ପହଞ୍ଚି ଆହତଙ୍କୁ ଚିକିତ୍ସା ସୁବିଧା ସହ ୫୦୦୦ ଟଙ୍କା କ୍ଷତିପୂରଣ ଓ ବାର୍ହା ଘଉଡ଼ାଇବା ପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
from Odisha Reporter https://ift.tt/2ovHaDE
No comments:
Post a Comment