ଏକାଠି ହେବେ ବିଜୁ ଅନୁଗତ, ବଦଳିବ ସମୀକରଣ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଏକାଠି ହେବେ ବିଜୁ ଅନୁଗତ, ବଦଳିବ ସମୀକରଣ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ଦଳର କୋଣଠେସା ନେତାଙ୍କୁ ଏକଜୁଟ କରି ନିର୍ବାଚନ ପୂର୍ବରୁ ରାଜ୍ୟରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।ତେବେ ଡାକ୍ତର ରାଉତଙ୍କ ଏହି ସମ୍ଭାବ୍ୟ ନୂଆ ସମୀକରଣ ପାଇଁ ପ୍ରୟାସ ସତରେ ଫଳପ୍ରଦ ହୋଇ ଦୀର୍ଘ ଦୁଇଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରକୁ ଦୋହଲାଇବ ନା ଅଧିକ ସୁଦୃଢ଼ କରାଇବ ତାକୁ ନେଇ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୫ତାରିଖରେ କୁଜଙ୍ଗରେ ଏକ ବିରାଟ ସମାବେଶ ଜରିଆରେ ଡାକ୍ତର ରାଉତ ନିଜର ପାୱାର ଶୋ’ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୨ତାରିଖ ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ୨୪ ତାରିଖ ଓଡ଼ିଶା ଗସ୍ତ ହିଁ ବିଜେଡିରୁ ବିତାଡ଼ିତ ହୋଇଥିବା ବିଜୁ ଅନୁଗତଙ୍କ ସମ୍ଭାବ୍ୟ ରାଜନୀତିକ ସମୀକରଣର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ଗତ ଦୁଇ ଦଶନ୍ଧି ମଧ୍ୟରେ ବିଜେଡିରୁ ବାଦ୍ ପଡ଼ିଥିବା ବିଜୁ ଅନୁଗତମାନଙ୍କୁ ଏକଜୁଟ କରିବା ପାଇଁ ଏବେ ବ୍ୟାକଡୋରରେ ପ୍ରୟାସ ଚାଲିଥିଲେ ମଧ୍ୟ ଏହି ନେତାମାନଙ୍କ ସମ୍ଭାବ୍ୟ ରାଜନୀତିକ ମଞ୍ଚର ରୂପରେଖ କ’ଣ ହେବ ଓ କେଉଁ ଏଜେଣ୍ଡାରେ ସେମାନେ କାର୍ଯ୍ୟ କରିବେ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ନିର୍ବାଚନ ପାଖେଇ ଆସୁଥିବାବେଳେ ଗୋଟିଏ ରାଜନୀତିକ ଦଳ ଗଠନ କରି ସେହି ବ୍ୟାନରରେ ବିଜେଡିକୁ ଟକ୍କର ଦେବା ପାଇଁ ପର୍ଯ୍ୟାପ୍ତ ସମୟ ନାହିଁ । କିନ୍ତୁ ଗୋଟିଏ ମଞ୍ଚରେ ଏକଜୁଟ ହୋଇ ଏହି ବରିଷ୍ଠ ବିଜୁ ଅନୁଗତମାନେ ବିଜେଡି ପାଇଁ ଚ୍ୟାଲେଞ୍ଜ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଏପଟେ ବିଜେପି ରାଜ୍ୟରେ କ୍ଷମତାସୀନ ହେବା ପାଇଁ ସ୍ୱପ୍ନ ଦେଖୁଥିଲେ ମଧ୍ୟ ଦୁର୍ବଳ ସାଂଗଠନିକ ସ୍ଥିତି ଓ ଅସ୍ପଷ୍ଟ ରଣନୀତି ଯୋଗୁ ନବୀନ ପଟ୍ଟନାୟକଙ୍କ ବିଜେଡି ସହ ‘ଚେକ୍ ଆଣ୍ଡ ବାଲାନ୍ସ’ ନୀତିକୁ ଆପଣାଇ ରଖିଛି । ଯଦି ଏହି ବିଜୁ ଅନୁଗତମାନେ ଗୋଟିଏ ପ୍ଲାଟଫର୍ମରେ ଏକଜୁଟ ହୁଅନ୍ତି ଓ ସେମାନଙ୍କୁ ପ୍ରଚ୍ଛଦପଟ୍ଟରୁ ସମର୍ଥନ ଦେବା ପାଇଁ ବିଜେପି ଜାତୀୟ ନେତୃତ୍ୱ ସମ୍ମତି ଜଣାନ୍ତି, ତା’ହେଲେ ବିଜେଡିକୁ କଡ଼ା ଟକ୍କର ମିଳିପାରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ଏକ ନିର୍ଦ୍ଦିଷ୍ଟ ଚୁକ୍ତି ଭିତ୍ତିରେ ବିଜେପିର ସମର୍ଥନ ନେଇ ଏହି ବିଜୁ ଅନୁଗତମାନେ ଗୋଟିଏ ପ୍ଲାଟଫର୍ମରେ ରହି ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରିବେ। ବିଜେଡି ପାଇଁ ନିର୍ବାଚନ ଜିଣିବାର ମୁଖ୍ୟ ଅସ୍ତ୍ର ପାଲଟିଥିବା ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ଲୋକପ୍ରିୟ ଯୋଜନାର ଫାଇଦାକୁ ଧୂଳିସାତ୍ କରିବାର ଦକ୍ଷତା ଏହି ବିଜୁ ଅନୁଗତମାନଙ୍କ ପାଖରେ ରହିଛି। ଦୁର୍ନୀତି ପ୍ରସଙ୍ଗରେ ତଥ୍ୟପ୍ରମାଣ ସହ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଧୂମିଳ କରିବାକୁ ବେଶୀ ସମୟ ଲାଗିବ ନାହିଁ।

ମାତ୍ର ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ସମ୍ଭାବ୍ୟ ରାଜନୀତିକ ସମୀକରଣ ପାଇଁ ବିଜୁ ଅନୁଗତମାନେ ଗୋଟିଏ ପ୍ଲାଟଫର୍ମରେ ଏକଜୁଟ ହେବେ ତ? କୁଜଙ୍ଗରେ ଡାକ୍ତର ରାଉତଙ୍କ ପ୍ରସ୍ତାବିତ ସମାବେଶ ଉପରେ ବି ଏହି ବିଜୁ ଅନୁଗତମାନଙ୍କ ଏକଜୁଟ ହେବାର ସମ୍ଭାବନା ଅନେକାଂଶରେ ନିର୍ଭର କରୁଛି।

ତା’ଛଡ଼ା ୨୦୧୪ ମସିହା ପରଠୁ ନରେନ୍ଦ୍ର ମୋଦି ସରକାରର ବିଭିନ୍ନ ନୀତିକୁ ସମର୍ଥନ କରି ଆସୁଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଏପର୍ଯ୍ୟନ୍ତ ନିଜର ରାଜନୀତିକ କାର୍ଡ ଖୋଲିନାହାନ୍ତି। ସେ ବିଜେଡିରୁ ଇସ୍ତଫା ଦେବାର ଇତିମଧ୍ୟରେ ୬ମାସ ବିତିଯାଇଥିଲେ ସୁଦ୍ଧା ସେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସ୍ପଷ୍ଟ ମତ ରଖିନାହାନ୍ତି।

ମାତ୍ର ଡାକ୍ତର ରାଉତଙ୍କୁ ବିଜେଡି ବହିଷ୍କାର କରିବା ପରେ ତାଙ୍କୁ ଭେଟି ନୈତିକ ସମର୍ଥନ ଦେଇଥିବାରୁ ନବୀନ ପଟ୍ଟନାୟକ ସରକାରକୁ ଟକ୍କର ଦେବା ପାଇଁ ସେ ଓ ଡାକ୍ତର ରାଉତ ଏକାଠି କାର୍ଯ୍ୟ କରିପାରନ୍ତି ବୋଲି ରାଜନୀତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି। ଆନ୍ନା ହଜାରେଙ୍କ ଭଳି ଡାକ୍ତର ରାଉତ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟବ୍ୟାପୀ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଘୋଷଣା କରିଥିବାରୁ ତାଙ୍କୁ ମଧ୍ୟ ଏ ଦିଗରେ ଶ୍ରୀ ପଣ୍ଡାଙ୍କ ସମର୍ଥନ ମିଳିପାରେ ବୋଲି ଚର୍ଚ୍ଚା।

ତେବେ, ଏସବୁ ସମ୍ଭାବନା ମଧ୍ୟରେ ଯଦି ବିଜେଡି ସହ ରହିଥିବା ଗୋପନ ବୁଝାମଣାକୁ ସୁରକ୍ଷିତ ରଖିବାକୁ ଯାଇ ବିଜେପି ନେତୃତ୍ଵ ଓଡ଼ିଶାରେ ବିଜୁ ଅନୁଗତମାନେ ଏକଜୁଟ ହେବା ପ୍ରୟାସକୁ ସମର୍ଥନ ନ ଦିଅନ୍ତି, ତା’ହେଲେ ଏହି ସମ୍ଭାବ୍ୟ ରାଜନୀତିକ ସମୀକରଣ ଦିଶାହୀନ ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।



from Odisha Reporter https://ift.tt/2p9Zp1I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages