ମନ କଥା କହିଲେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା: ମୋ ଅଧୁରା ସ୍ୱପ୍ନକୁ ମୋ ଝିଅ ପୂରଣ କରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ମନ କଥା କହିଲେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା: ମୋ ଅଧୁରା ସ୍ୱପ୍ନକୁ ମୋ ଝିଅ ପୂରଣ କରିବ

ମୋହବତ୍‌ ଦିଲୋଁକୋ ଏକ୍‌ ନାଜୁକ୍‌ ପରିନ୍ଦା ହୈ… ବନ୍ଦୀଶ ମେ ରଖନେୱାଲା ଇସ୍‌କା ହତ୍ୟାରା ହୈ…
ଏକ୍‌‍ ଦଫା ଦିଲ୍‌ କୀ ନଜରୋଁ ସେ ଦେଖୋ ଇସ୍‌ ଦିଲ୍‌ କି ଲଗିକୋ…
ମାଲୁମ୍‌ ହୋଗା କେ ୟେ ବେହଦ୍‌ ଖୁବ୍‌ ସୁରତ୍‌‍ ନଜାରା ହୈ
କାଲି ଯେଉଁ  ପ୍ରେମ ସମ୍ପର୍କ ସମାଜର ନୀତି ନୈତିକତାର ପଞ୍ଜୁରୀରେ ଆବଦ୍ଧ ଥିଲା ସେ ଆଜି ମୁକ୍ତ। ଯେଉଁ ସମଲିଙ୍ଗୀ ସମ୍ପର୍କ କାଲି ଆଇନ୍‌ର ପଶାପାଲିରେ ନିଷିଦ୍ଧ ଥିଲା ତାକୁ ମିଳିଛି ନୂଆ ପରିଚୟ। ସେ ଆଉ ଅପବିତ୍ର ନୁହଁ, ଅନୈତିକ ନୁହଁ କି ଅବୈଧ ନୁହଁ। ଦୀର୍ଘ ବର୍ଷ ପରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି  ମିଳିଛି। ସୁପ୍ରିମ କୋର୍ଟଙ୍କ ଦ୍ୱାରା ଧାରା ୩୭୭ ଉଚ୍ଛେଦ  ହୋଇଯିବା ପରେ ରାଜ୍ୟର
ଏକମାତ୍ର କିନ୍ନର 
ଓଏଫ୍‌ଏସ୍‌ ଅଫିସର ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ହାତରୁ ଦି’ହାତ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଓଏଫ୍‌ସ୍‌ ପାଇ ପାରାଦୀପର ବାଣିଜ୍ୟ କର ଅଧିକାରୀ ଭାବେ ନିଯୁକ୍ତ ଥିବା ଏହି ଅଧିକାରୀ ଲିଙ୍ଗ ପରିବର୍ତ୍ତନ କରି ରତିକାନ୍ତରୁ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ହୋଇଛନ୍ତି। ଏବେ ସେ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିନ୍ଦା, ଅପବାଦ, ଲାଞ୍ଛନା, ନିର୍ଯାତନା- ଏମିତି କେତେକ’ଣ ଝଡ଼ଝଞ୍ଜାକୁ ଅତିକ୍ରମ କରିଥିବା ଋତୁପର୍ଣ୍ଣାଙ୍କ ଜୀବନରେ ଏକ ନୂତନ ଆଶାର ଉନ୍ମେଷ ହୋଇଛି। ଦୀର୍ଘଦିନ ଧରି ଜଣେ ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ ଇନ୍‌ ରିଲେସିନଶିପ୍‌ରେ ଥିବା ଋତୁପର୍ଣ୍ଣା ଏବେ ତାଙ୍କର ଜୀବନସାଥୀ ହେବାକୁ ଯାଉଛନ୍ତି।  
ତାଙ୍କ ସଂଘର୍ଷମୟ ଜୀବନ ଏବଂ ବିବାହକୁ ନେଇ କିଛି ଅକୁହା କଥା ଋତୁପର୍ଣ୍ଣା ଓଡ଼ିଶା ରିପୋର୍ଟର ସହ ଶେୟାର କରିଛନ୍ତି।

ପ୍ରଶ୍ନ: ସ୍ୱାଧୀନତାର ୭୨ ବର୍ଷ ଏବଂ ୨୪ ବର୍ଷ ଧରି ଆଇନ୍‌ଗତ ଲଢ଼େଇ ପରେ ସମଲିଙ୍ଗୀ ସର୍ମ୍ପକକୁ ସ୍ୱୀକୃତି ମିଳିଛି। ସୁପ୍ରିମକୋର୍ଟ ଧାରା ୩୭୭କୁ ଅପରାଧିକ ଶ୍ରେଣୀରୁ ମୁକ୍ତ କରିଛନ୍ତି। କ’ଣ କହିବେ?

ଉ: ସୁପ୍ରିମକୋର୍ଟଙ୍କ ରାୟ ଅତ୍ୟନ୍ତ ଐତିହାସିକ ଏବଂ ସ୍ୱାଗତଯୋଗ୍ୟ। ଏଲ୍‌ଜିବିଟିକ୍ୟୁ କମ୍ୟୁନିଟି ପାଇଁ ଖୁବ୍‌‍ ଆନନ୍ଦର କଥା। ଆମକୁ ୮୦ ବର୍ଷ ପରେ ସ୍ୱାଧୀନତା ମିଳିଛି। ଯେଉଁ ଏହି ଆଇନ୍‌କୁ ତାଙ୍କ ଦେଶରୁ ବ୍ରିଟିଶର୍ସ ୧୯୬୭ରୁ  ହଟେଇ ଦେଲେଣି, ତାହା ଆମ ଦେଶରେ ବଳବତ୍ତର ହୋଇ ରହି ଆସିଥିଲା। ଆମଦେଶରେ ଏହାକୁ ଉଚ୍ଛେଦ କରିବାକୁ ୮୦ ବର୍ଷ ଲାଗିଗଲା। ପାର୍ଲାମେଣ୍ଟ ଚାହିଁଥିଲେ ଏହାର ସମାଧାନ ହୋଇପାରିଥାନ୍ତା। କିନ୍ତୁ ଏଥିରୁ ଜଣାପଡ଼ୁଛି କେଉଁଠି ନା କେଉଁଠି ଆମେ ଭାରତୀୟମାନେ ସେହି ବ୍ରିଟିଶ୍ ଲିଗାସିକୁ ଆଜି ପର୍ଯ୍ୟନ୍ତ ଜାବୁଡ଼ି ଧରିଥିଲୁ। ସେଥିଲାଗି ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆମେ ନ୍ୟାୟ ପାଇଲୁ ଏବଂ ସ୍ୱାଧୀନ ହେଲୁ।

ପ୍ରଶ୍ନ: ଯଦିଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଶିରୋଧାର୍ଯ୍ୟ ଏବଂ ସମଲିଙ୍ଗୀ ସମ୍ପର୍କକୁ ଅନ୍ୟ କେତେକ ଦେଶରେ ସ୍ବୀକୃତି ମିଳିଛି, ତଥାପି ଏହାକୁ ଭାରତୀୟ ସଂସ୍କୃତି ବିରୋଧ କରେ। କେତେକଙ୍କ ମତରେ, ସମଲିଙ୍ଗୀ ସମ୍ପର୍କ ପ୍ରକୃତିର ନିୟମ ବିରୋଧୀ।

ଉ:ଏକବିଂଶ ଶତାବ୍ଦୀରେ ଦୁନିଆ ବହୁ ଆଗକୁ ଗଲାଣି। ମଣିଷ ଉଚ୍ଚମନା ହେଲାଣି। ପୁରୁଷ-ସ୍ତ୍ରୀ ମଧ୍ୟରେ ଭେଦଭାବ ବି ହଟିଲାଣି। ଜଣେ ମଣିଷର ବ୍ୟକ୍ତିଗତ ସ୍ୱାଧୀନତାକୁ ଗୁରୁତ୍ୱ ଦିଆଯାଉଛି। ହେଲେ କେତେକସଂକୀର୍ଣ୍ଣ ମାନସିକତାଧାରୀ ବ୍ୟକ୍ତି ପୁରୁଣା ପ୍ରଥା ପରମ୍ପରାକୁ ଜାବୁଡ଼ି ଧରି ଅନେକଙ୍କ ସ୍ୱାଧୀନତା କ୍ଷେତ୍ରରେ ବାଧକ ସାଜୁଛନ୍ତି। କେଉଁ ସମ୍ପର୍କ ପ୍ରାକୃତିକ ବା ଅପ୍ରାକୃତିକ, ତାହାର ନିଷ୍ପତ୍ତି କିଏ ନେବ? ଆପଣଙ୍କ ପାଇଁ ଯାହା ପ୍ରାକୃତିକ ତାହା ଆଉ କାହା ପାଇଁ ଅପ୍ରାକୃତିକ ହୋଇପାରେ। ତେଣୁ ନୀତି ନୈତିକତାର ଦ୍ୱାହିଦେଇ କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବା ଅନୁଚିତ୍‌।

ପ୍ରଶ୍ନ: ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ୩୭୭ଧାରାର ଉଚ୍ଛେଦ ସାମାଜିକ ବ୍ୟବସ୍ଥା ପାଇଁ ଅଶୁଭ। ସେ କହିଛନ୍ତି ଯେ, ଏହା ଦ୍ୱାରା ଦେଶରେ ସମଲିଙ୍ଗୀ ବାର୍‌ ବୃଦ୍ଧି ପାଇବ। ଏଚ୍‌‍ଆଇଭି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ।

ଉ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ଏଭଳି ମନ୍ତବ୍ୟ ମାନସିକ ବିକୃତିର ପରିଚୟ । ଯଦି ସେମାନଙ୍କ ପାଖରେ ଦୃଢ ଯୁକ୍ତି ଥିଲା ତେବେ କୋର୍ଟ ତାଙ୍କ କଥା କାହିଁକି ଶୁଣିଲେନି ? ବାକି ରହିଲା ଏଚ୍‌‍ଆଇଭି। ଖାଲି କ’ଣ ସମଲିଙ୍ଗୀ ସମ୍ପର୍କ ହେଲେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢ଼େ ? ଅନ୍ୟ ଯେଉଁ ସମ୍ପର୍କ ବା କାରଣରୁ ଏଚ୍‌ଆଇଭି ରୋଗୀଙ୍କ ସଂଖ୍ୟା ବଢ଼ୁଛି ତାକୁ ସେମାନେ ଅଟକାଇ ପାରୁ ନାହାନ୍ତି। ଏସବୁ ଅଭିଯୋଗ ଗୋଟିଏ ଗୋଟିଏ ଆଳ ମାତ୍ର। ହେଲେ ଏହାର କିଛି ଅର୍ଥ ନାହିଁ।

ପ୍ରଶ୍ନ: ଅଦାଲତ ପାଖରୁ ଆପଣ ନ୍ୟାୟ ପାଇଛନ୍ତି ସତ, କିନ୍ତୁ ଆପଣମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ କ’ଣ ବଦଳିଯିବ? 

ଉ: ପ୍ରଥମ କଥା ହେଲା ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। ଏହାକୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ନିଜ ଦୃଷ୍ଟିଭଙ୍ଗୀର ଚଷମା ବି ବଦଳିବା ଦରକାର। ଅନ୍ୟ ଏକ ମୁଖ୍ୟ କଥା ହେଉଛି, ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ସମାନ ଭାବରେ ବଞ୍ଚିବାର ଅଧିକାର ରହିଛି। ଯେହେତୁ କିନ୍ନର ସମ୍ପ୍ରଦାୟ ପୁରୁଷ ନୁହଁ କି ସ୍ତ୍ରୀ ନୁହଁ, ତେଣୁ ଆମକୁ ବିଭିନ୍ନ ଅଧିକାରରୁ ବଞ୍ଚିତ ହେବାକୁ ପଡ଼ୁଛି। ସମାଜରେ ଆମେ ମୁଖ୍ୟସ୍ରୋତରେ ସାମିଲ ହୋଇ ପାରୁନୁ। ସବୁରି ମୂଳରେ ହେଉଛି ଭୋଟ ବ୍ୟାଙ୍କ ରାଜନୀତି।

ଆମେ ଅଳ୍ପସଂଖ୍ୟକ ହୋଇଥିବାରୁ ଆମ କଥା ସରକାର ଶୁଣନ୍ତିନି। କିନ୍ନରଙ୍କ ପାଇଁ କେବେ ପାର୍ଲାମେଣ୍ଟରେ କିମ୍ବା ବିଧାନସଭାରେ କେଉଁ ଲୋକପ୍ରତିନିଧି ସ୍ୱର ଉଠାଇବାର ନଜିର ନାହିଁ। ୨୦୧୬ରୁ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ୍‌‍ ରାଇଟ୍‌ ଏବଂ ଅନ୍ୟ ଗୋଟିଏ ଟ୍ରାନ୍ସଜେଣ୍ଡର ସୁରକ୍ଷା ସମ୍ପର୍କିତ ଆଇନ୍‌‍ ପଡ଼ିରହିଛି। ତାହା ପାସ୍‌ କରାଯାଉ ନାହିଁ। ଯଦି ଏହି ବିଲ୍‌‍ ପାସ ହୋଇପାରନ୍ତା ଆମେ ପୈତୃକ ସମ୍ପତ୍ତି ଅଧିକାର ସହ ବିଭିନ୍ନ ସୁବିଧା ପାଇପାରନ୍ତୁ। ହେଲେ ଆମ ସେଥିପ୍ରତି ଆନ୍ତରିକତା ନାହିଁ ।  ସମାଜ ଆମକୁ ଭିନ୍ନ ଦୃଷ୍ଟିରେ ଦେଖିବା ଏହା ଏକ ପ୍ରମୁଖ କାରଣ।

ପ୍ରଶ୍ନ: ଆଗରୁ ବିବାହ ପାଇଁ ଆଶା ଥିଲା ନା ୩୭୭ ହଟିବା ପରେ ନିଷ୍ପତ୍ତି ନେଲେ?

ଉ:ଧାରା ୩୭୭ ହଟିବା ନ ହଟିବା ମୋ ପାଇଁ କିଛି ଫରକ ନ ଥିଲା। ମୁଁ ମୋ ଜୀବନ ସାଥୀଙ୍କୁ ଆଗରୁ ବାଛିଦେଇଥିଲି। ସେବି ଜଣେ ଭଲ ମଣିଷ। ଆମେ ଦୁହେଁ ନିଶ୍ଚୟ ବିବାହ କରିଥାନ୍ତୁ।

ପ୍ରଶ୍ନ:ଆପଣଙ୍କ ନିଷ୍ପତ୍ତିରେ ପରିବାର ଲୋକଙ୍କ ସମ୍ମତି ଅଛି କି ନାହିଁ ?

ମୁଁ ଯେତବେଳେ ଲିଙ୍ଗ ପରିବର୍ତ୍ତନ କଲି ପରିବାର ଲୋକଙ୍କ ବିରୋଧରେ ଶିକାର ହୋଇଥିଲି। ମୋ ଲାଇଫ୍‌, ମୁଁ ନିଷ୍ପତ୍ତି ନେବି। କାହାର ସମ୍ମତି-ଅସମ୍ମତି ମୋ ପାଇଁ କିଛି ଫରକ ପଡେ଼ନି। ତଥାପି ମୁଁ ଭାବୁଛି ଏବେ କିଛି ସେମିତି ସମସ୍ୟା ନାହିଁ।

ପ୍ରଶ୍ନ: ବିବାହ ପରେ ସମସ୍ତେ ଚାହାନ୍ତି ସଂସାରର ନୌକା ଆଗକୁ ବଢୁ ବୋଲି। ପିଲାଟିଏ ହେଉ। ହସଖୁସିରେ ପୁରିଉଠୁ। ଏହାକୁ ନେଇ କ’ଣ ଯୋଜନା ରହିଛି।

ଉ:ହଁ ମୋର ବି ସେମିତି ଆଶା ଅଭିଳାଷ ଅଛି । ଭାବିଛି ବିବାହ ପରେ ଏକ ପୋଷ୍ୟ କନ୍ୟା ଗ୍ରହଣ କରିବି। ମୋର ଭାରି ସ୍ୱପ୍ନ ଥିଲା ଜଣେ ବ୍ୟୁଟି କଣ୍ଟେଷ୍ଟାଣ୍ଟ ହେବାକୁ। ବୋଧହୁଏ ସେହି ଇଚ୍ଛା ଇଶ୍ୱରଙ୍କୁ ମଞ୍ଜୁର ନଥଲା। ତେଣୁ ଆଶା ଆଶାରେ ରହିଗଲା। ହେଲେ ମୁଁ ଭାବୁଛି ମୋର ଅଧୁରା ସ୍ୱପ୍ନକୁ ମୋ ଝିଅ ଆଖିରେ ପୂରଣ କରିବି। ତାକୁ ମୁଁ ସେମିତି ସ୍କୋପ ଦେବି।

ପ୍ରଶ୍ନ: ଆପଣଙ୍କ ବୟଫ୍ରେଣ୍ଡଙ୍କ ନାମ କ’ଣ ଓ ସେ କ’ଣ କରନ୍ତି?

ତାଙ୍କ ନାମ ମୁଁ ଏବେ ସିକ୍ରେଟ ରଖୁଛି। ଖାଲି ଏତିକି କହିବି ତାଙ୍କ ଘର ପୁରୀରେ ଓ ସେ ବ୍ୟବସାୟ କରନ୍ତି।

ପ୍ରଶ୍ନ: ଆପଣଙ୍କ ବୟଫ୍ରେଣ୍ଡଙ୍କ ନିଷ୍ପତ୍ତିରେ ପରିବାର ଲୋକେ ରାଜି ଅଛନ୍ତି ତ?

ମୋ ଭାବୀ  ସ୍ଵାମୀ ଠିକ୍‌‍ ମୋ ଭଳି ସ୍ୱାଧୀନଚେତା ମଣିଷଟିଏ।

ପ୍ରଶ୍ନ:ଏହା ପୂର୍ବରୁ ଆପଣ କାହାକୁ ପ୍ରେମ କରିଥିଲେ କି ?

ଉ: (ସାମାନ୍ୟ ସଙ୍କୋଚ ପରେ କହିଲେ) ନା ଆଗରୁ ସେମିତି କିଛି ନଥିଲା। ମୁଁ ୨୦୦୩ରେ ଜଣକୁ ଏକତରଫା ଭଲ ପାଉଥିଲି। ହେଲେ ତା’ପାଖରେ ମୋ ମନର କଥା ପ୍ରକାଶ କରିପାରି ନ ଥିଲି। ପରେ ମୁଁ ବି ମନେ ମନେ ଚୁପ୍‌ ରହିଯାଇଥିଲି।

ଅଳ୍ପରେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା

-ଘର:କନ୍ଧମାଳ ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କନକଗୋରି ଗ୍ରାମରେ।

-ବକିଲ ଓ ରୂପାବତୀ ପ୍ରଧାନଙ୍କ ୪ ସନ୍ତାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟା(ରତିକାନ୍ତ) ହେଲେ ମଝିଆ ସନ୍ତାନ।

– ଢେଙ୍କାନାଳସ୍ଥିତ Indian Institute of Mass Communication (IIMC)ରେ ସାମ୍ବାଦିକତାର ଡିପ୍ଲୋମା କରିଛନ୍ତି ଐଶ୍ୱର୍ଯ୍ୟା। ପାଠପଢ଼ା ସମୟରେ ସେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ।

– ୨୦୧୦ରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଓଡିଶାର ପ୍ରଥମ କିନ୍ନର ଅଫିସର ହେବାର ମାନ୍ୟତା ପାଇଥିଲେ।

– ୨୦୧୪ ଏପ୍ରିଲରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗ ମାନ୍ୟତା ପ୍ରଦାନ କରିବା ପରେ ଐଶ୍ୱର୍ଯ୍ୟା ଚର୍ଚ୍ଚାକୁ ଆସିଥିଲେ। ରତିକାନ୍ତ ପ୍ରଧାନ ନାମରେ ଜଣେ ପୁରୁଷ ଭାବେ ସେ ପରିଚିତ ହୋଇଆସୁଥିବାବେଳେ ୨୦୧୫ ଅକ୍ଟୋବର ୧୫ରେ  ଲିଙ୍ଗ ପରିବର୍ତ୍ତନ କରି ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ନାମରେ ପରିଚିତ ହେଲେ।

ଉପସ୍ଥାପନା: ତାପସ ରଞ୍ଜନ ବେହେରା



from Odisha Reporter https://ift.tt/2wZYog4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages