
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା, କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ସୁପ୍ରିମକୋର୍ଟ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ ସୁରକ୍ଷା ପ୍ରଦାନ କରିଛନ୍ତି।
ଅଭିଜିତ୍ ଆୟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀର ସାକେତ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଦେଇଥିବା ଅନ୍ତରୀଣ ରାୟକୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ଏହି ଅବଧି ମଧ୍ୟରେ ଆବେଦନକାରୀ ଶ୍ରୀ ମିତ୍ର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।
ଶ୍ରୀ ମିତ୍ର ଯଦି ସୁରକ୍ଷା ପାଇଁ କୌଣସି ପୁଲିସ ସହାୟତା ଚାହିଁବେ ତେବେ ତାଙ୍କୁ ଆଇଜି ପୁଲିସ ତାହା ଯୋଗାଇ ଦେବେ ବୋଲି କୋର୍ଟ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଅଭିଜିତ୍ ଆୟର ମାମଲାରେ ଓଡ଼ିଶା ପୁଲିସର ରିଟ୍ ପିଟିସନକୁ ମଧ୍ୟ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ, ଅଭିଜିତ୍ ଆୟର ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରସଙ୍ଗରେ ଆସନ୍ତାକାଲି ବିଧାନସଭା ଗୃହ କମିଟିର ଦ୍ୱିତୀୟ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।
ଅଭିଜିତଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଏଥିପାଇଁ କ୍ଷମା ମାଗିନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଚଳିତମାସ ୨୦ ତାରିଖରେ ଓଡ଼ିଶା ପୁଲିସ ଶ୍ରୀ ମିତ୍ରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। କିନ୍ତୁ ସାକେତ୍ ମେଟ୍ରୋପଲିଟାନ୍ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/2QcMPdr
No comments:
Post a Comment