
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ବର୍ତ୍ତମାନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୨ରେ ଶେଷ ହେଉଥିବାରୁ ତାଙ୍କ ସ୍ଥାନ ରଞ୍ଜନ ଗୋଗୋଇ ନେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଜାନୁଆରୀ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିବା ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଥିଲେ ଅନ୍ୟତମ।
ତଥାପି ଜଷ୍ଟିସ୍ ମିଶ୍ର ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନାଁକୁ ହିଁ ସର୍ବୋଚ୍ଚ ଅଦାଲତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଖୁବ୍ଶୀଘ୍ର ସୁପାରିସ୍ କରିବେ ବୋଲି ଜଣାପଡ଼ିଛି। କିଛି ଦିନ ତଳେ କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଜଷ୍ଟିସ୍ ମିଶ୍ରଙ୍କୁ ଚିଠି ଲେଖିଥିଲା। ଏଥିରେ ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବ, ତାଙ୍କ ନାଁ ସୁପାରିସ୍ କରିବାକୁ କୁହାଯାଇଥିଲା।
ତଦ୍ନୁଯାୟୀ ଜଷ୍ଟିସ୍ ମିଶ୍ର ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନାଁ ସୁପାରିସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଷ୍ଟିସ୍ ଗୋଗୋଇ ଆସନ୍ତା ବର୍ଷ ନଭେମ୍ବର ୧୭ ଯାଏ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ ୨୦୧୨ ମସିହାରେ ପଦୋନ୍ନତି ପାଇ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ।
from Odisha Reporter https://ift.tt/2ot6SbS
No comments:
Post a Comment