
ନୂଆଦିଲ୍ଲୀ: କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ବାମହାତୀ ପେସ୍ ବୋଲର ରୁଦ୍ର ପ୍ରତାପ ସିଂହ। ଗତକାଲି ଟ୍ୱିଟ୍ କରି ସେ ଏ କଥା ଘୋଷଣା କରିଛନ୍ତି।
୧୩ ବର୍ଷ ତଳେ ୨୦୦୫ ମସିହା ସେପ୍ଟେମ୍ବର ୪ ତାରିଖରେ ସେ ପ୍ରଥମେ ଭାରତୀୟ ଜର୍ସି ପିନ୍ଧିଥିଲେ। ସେହିଦିନ ସେ ଜିମ୍ବାୱେ ବିପକ୍ଷରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଆଉ ଗତକାଲି ବି ଥିଲା ସେପ୍ଟେମ୍ବର ୪ ତାରିଖ। ଆଉ ଏହି ଦିନ ସେ ଖେଳରୁ ଅବସର ଘୋଷଣା କଲେ।
ଆର୍.ପି ସିଂହ ତାଙ୍କ ଟ୍ୱିଟ୍ର ପେଜ୍ରେ ଲେଖିଛନ୍ତି,“୧୩ ବର୍ଷ ତଳେ ପ୍ରଥମ ଥର ପାଇଁ ମୁଁ ଭାରତୀୟ ଜର୍ସି ପିନ୍ଧିଥିଲି। ଏହା ମୋ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ ଥିଲା। ଆଉ ଆଜି ମୁଁ ଅବସର ନେଉଛି।”
ସେ ଲେଖିଛନ୍ତି,“ଏହି ଦିନଟି ପାଇଁ ଜଣେ ନିଜକୁ ଯେତେ ପ୍ରସ୍ତୁତ କଲେ ମଧ୍ୟ ‘ଗୁଡ୍ବାଏ’ କହିବା ଏତେ ସହଜ ନୁହେଁ। କିନ୍ତୁ ଏକ ଅନ୍ତଃସ୍ୱର ଆପଣଙ୍କୁ କହିବ ‘ଏବେ ସମୟ ଆସିଯାଇଛି’। ଆଉ ଆଜି ମୋ ପାଇଁ ସେହି ସମୟ ଆସିଛି। ମୋ ମନ କହୁଛି, ମୁଁ ଆଜି ବି ସେହି ତରୁଣ ଯିଏ ଫୈସଲାବାଦ୍ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲା। ମନ କହୁଛି ଖେଳ ଜାରି ରଖିବାକୁ। କିନ୍ତୁ ଶରୀର ମନେ ପକାଇ ଦେଉଛି ଯେ ମୋତେ ବୟସ ହୋଇଗଲାଣି। ଶରୀର ମନେ ପକାଇ ଦେଉଛି ଯେ ତରୁଣଙ୍କ ପାଇଁ ବାଟ ଛାଡ଼ିବାର ବେଳେ ଆସିଯାଇଛି।”
— R P Singh (@rpsingh) September 4, 2018
ଏହା ସହିତ ସେ ତାଙ୍କର ଏହି ଯାତ୍ରାରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ଓ ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି। ସେ ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏସନ୍, ବିସିସିଆଇ, ଗୁଜରାଟ କ୍ରିକେଟ୍ ଆସୋସିଏସନ୍, କୋଚ୍, ସପୋର୍ଟିଂ ଷ୍ଟାଫ୍, ଟିମ୍ମେଟ୍ ଓ ମିଡିଆକୁ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ତାଙ୍କ ବାପାମା’, ଭଉଣୀ ଓ ବନ୍ଧୁମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।
୨୦୦୫ରେ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିବା ଆର୍.ପି ସିଂହ ୨୦୦୬ରେ ପାକିସ୍ତାନ ବିପକ୍ଷରେ କ୍ୟାରିଅରର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ପଦାର୍ପଣ ମ୍ୟାଚ୍ରେ ୫ଟି ୱିକେଟ୍ ନେଇ ସେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପାଇଥିଲେ।
ସେ ମୋଟ ୧୪ଟି ଟେଷ୍ଟ୍ ଖେଳି ୪୦ଟି ୱିକେଟ୍ ନେଇଛନ୍ତି। ସେହିପରି ୫୮ଟି ଦିନିକିଆ ମ୍ୟାଚ୍ ଖେଳି ସେ ୬୯ଟି ୱିକେଟ୍ ନେଇଛନ୍ତି। ସେ ଭାରତ ପାଇଁ ୧୦ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୧୫ଟି ୱିକେଟ୍ ନେଇଥିଲେ। ଆଇପିଏଲ୍ରେ ସେ ମୋଟି ୮୨ଟି ମ୍ୟାଚ୍ ଖେଳିଛନ୍ତି।
from Odisha Reporter https://ift.tt/2CrLUDU
No comments:
Post a Comment