ସୁପ୍ରିମକୋର୍ଟରେ ପରକୀୟା ପ୍ରୀତି ମାମଲା: ବାପାଙ୍କ ରାୟକୁ ଖାରଜ କଲେ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ସୁପ୍ରିମକୋର୍ଟରେ ପରକୀୟା ପ୍ରୀତି ମାମଲା: ବାପାଙ୍କ ରାୟକୁ ଖାରଜ କଲେ ପୁଅ

ନୂଆଦିଲ୍ଲୀ: ବାପା ବନାମ ପୁଅ। ବାପ-ପୁଅଙ୍କ ମଧ୍ୟରେ ମତଭେଦ ବା ମତପାର୍ଥକ୍ୟ କିଛି ନୂଆ କଥା ନୁହେଁ। ହେଲେ ନ୍ୟାୟପାଳିକା କ୍ଷେତ୍ରରେ ମଧ୍ୟ ଏମିତି ଏକ ବିରଳ ଘଟଣା ଘଟିପାରେ ତାହା ଆଜି ସୁପ୍ରିକକୋର୍ଟ ଦେଇଥିବା ଏକ ଐତିହାସିକ ରାୟରୁ ସାମ୍ନାକୁ ଆସିଛି। ପରକୀୟା ପ୍ରୀତି ବା ବ୍ୟଭିଚାର ଏକ ଅପରାଧ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟ ପଛର କାହାଣୀ ଜାଣିଲେ ଆପଣି ଚକିତ ହୋଇଯିବେ।
 
ବ୍ୟଭିଚାର ମାମଲା ଶୁଣାଣି କରି  ପରକୀୟା ପ୍ରୀତି ବା ବ୍ୟଭିଚାର ଏକ ଅପରାଧ ନୁହେଁ ବୋଲି କହି ଆଜି ସୁପ୍ରିମକୋର୍ଟ ଏ ସଂପର୍କିତ ଆଇନ ଅସାମ୍ବିଧାନିକ ବୋଲି କହିଛନ୍ତି। କୌଣସି ଆଇନ ଯାହାକି ବ୍ୟକ୍ତିର ସମ୍ମାନରେ ଆଞ୍ଚ ଆଣୁଥିବ, ସଭ୍ୟ ସମାଜରେ ନାରୀକୁ ସମାନ ଅଧିକାର ଦେଉନଥିବ, ତାକୁ ସମ୍ବିଧାନ ଭର୍ତ୍ସନା କରେ ବୋଲି ଆଜି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି। 
 
ତେବେ ୫ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍‌ ଡି. ୱାଇ ଚନ୍ଦ୍ରଚୂଡ଼ ମଧ୍ୟ ସାମିଲ ଥିଲେ। ଯିଏ କହିଥିଲେ ଆଇପିସି ଧାରା ୪୯୭ ଅସାମ୍ବିଧାନିକ ଏବଂ ବ୍ୟଭିଚାର ଆଇନ ଉଚ୍ଛେଦ କରାଯିବା ଉଚିତ୍‌।  ତେବେ ୧୯୮୫ରେ ଜଷ୍ଟିସ୍‌ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ପିତା ୱାଇ. ଭି. ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ବିଚାରପତି ଥିଲେ। ସେତେବେଳେ ଏକ ମାମଲାର ବିଚାର କରି ଜଷ୍ଟିସ୍‌ ୱାଇ ଭି ଚନ୍ଦ୍ରଚୂଡ଼ କହିଥିଲେ ଯେ, ଜଣେ ବିବାହିତ ମହିଳାଙ୍କ ସ୍ୱାମୀଙ୍କ ବିନା ସହମତିରେ ଯଦି ଜଣେ ପୁରୁଷ ସମ୍ପୃକ୍ତ ମହିଳାଙ୍କ ସହ ପରକୀୟା ସମ୍ପର୍କ ରଖୁଛନ୍ତି ତେବେ ତାହା ଦଣ୍ଡନୀୟ ଓ ଏସମ୍ପର୍କିତ ଆଇପିସି ଧାରା ୪୯୭ ସାମ୍ବିଧାନିକ। 
 
ହେଲେ ଆଜିର ରାୟରେ ତାଙ୍କ ପୁତ୍ର ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ସାମିଲ ଥିବା ଖଣ୍ଡପୀଠ କହିଛନ୍ତି ଯେ, କୌଣସି ଆଇନ୍‌ କେବଳ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିଲେ ତାକୁ ସାମ୍ବିଧାନିକ ବୋଲି କହିହେବ ନାହିଁ। ସେହିପରି ସ୍ୱାମୀ ସ୍ତ୍ରୀର ମାଲିକ ନୁହନ୍ତି କିମ୍ବା ସ୍ତ୍ରୀ ସ୍ୱାମୀର ସମ୍ପତ୍ତି ନୁହେଁ। ବ୍ୟଭିଚାର ଆଇନ୍‌ ମହିଳାଙ୍କ ଅଧିକାର ଓ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି ବୋଲି  ଜଷ୍ଟିସ୍‌ ଡି. ୱାଇ ଚନ୍ଦ୍ରଚୂଡ଼ କହିଥିଲେ।
ଏବେ ଆସନ୍ତୁ ଜାଣିବା ଆଜି କ’ଣ କହିଲେ ସୁପ୍ରିମକୋର୍ଟ
 
ଆଇପିସିର ଧାରା ୪୯୭ ମହିଳାଙ୍କୁ ନିର୍ଣ୍ଣୟ ନେବା ଅଧିକାରରୁ ବଞ୍ଚିତ କରୁଥିବାରୁ ଏହା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି।  ତେବେ ପରକୀୟାପ୍ରୀତିକୁ ଅପରାଧ ତାଲିକାରୁ ବାଦ୍ ଦେଇଥିଲେ ମଧ୍ୟ ଏହା ବିବାହ ବିଚ୍ଛେଦର କାରଣ ହୋଇପାରିବ ବୋଲି କୋର୍ଟ କହିଛନ୍ତି।  ସେହିପରି ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ସ୍ୱାମୀ କିମ୍ବା ସ୍ତ୍ରୀ ଯଦି ଆତ୍ମହତ୍ୟା କରନ୍ତି, ସେପରିସ୍ଥଳେ ଉପଯୁକ୍ତ ତଥ୍ୟ ପ୍ରମାଣ ଦେଲେ ଆତ୍ମହତ୍ୟା ଲାଗି ଉସ୍‌କାଇବା ପାଇଁ ରହିଥିବା ଧାରା ୩୦୬ ଲାଗିପାରିବ।
 
ଅନ୍ୟପଟେ ବିବାହର ପବିତ୍ରତା ବଜାୟ ରଖିବାକୁ ହେଲେ ପରକୀୟା ପ୍ରୀତି ଆଇନ ବଳବତ୍ତର ରହିବା ଦରକାର ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।  ତେବେ ରାୟ ପ୍ରକାଶ କରି ସର୍ବୋଚ୍ଚ କୋର୍ଟ କହିଥିଲେ ଯେ ସ୍ତ୍ରୀ ସ୍ୱାମୀର  ସଂପତ୍ତି ନୁହେଁ । ବିବାହକୁ ବଞ୍ଚାଇ ରଖିବାରେ ପତି-ପତ୍ନୀ ଉଭୟଙ୍କର ସମାନ ଦାୟିତ୍ୱ ରହିଛି । ତେଣୁ ସ୍ତ୍ରୀ କାହିଁକି ଅଧିକ ବୋଝ ମୁଣ୍ଡାଇବ ବୋଲି ପ୍ରଶ୍ନ କରିଥିଲେ କୋର୍ଟ ।
 
ସୂଚନା ଅନୁଯାୟୀ ଆଇପିସି ଧାରା ୪୯୭ ଅନୁସାରେ ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଶାରିରୀକ ସଂପର୍କ ରଖନ୍ତି ଓ ଏଥିଲାଗି ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କ ଅନୁମତି ନଥାଏ ତେବେ ଏହାକୁ ପରକୀୟା ପ୍ରୀତି ଭାବେ ଗ୍ରହଣ କରାଯାଏ।  ଏକ୍ଷେତ୍ରରେ କେବଳ ପୁରୁଷଙ୍କ ଲାଗି ଦଣ୍ଡ ବ୍ୟବସ୍ଥା ରହିଥିବା ବେଳେ ମହିଳାଙ୍କୁ ପୀଡ଼ିତା ଭାବେ ଗ୍ରହଣ କରାଯାଉଥିଲା।  ଏହି ଅସମାନତାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  
 
ଏହି ଆଇନ ପୁରୁଷ ବିରୋଧୀ ହୋଇଥିବାରୁ ତାକୁ ଉଚ୍ଛେଦ ଲାଗି ଦାବି କରାଯାଇଥିଲା । ଗତ ଜାନୁଆରୀ ୫ ତାରିଖରେ ସୁପ୍ରିମକୋର୍ଟ ମାମଲାକୁ ୫ ଜଣିଆ ସାମ୍ବିଧାନିକ ବେଞ୍ଚକୁ ସ୍ଥାନାନ୍ତର କରିଥିଲେ।  ଆଉ ଆଜି ଏହାର ରାୟ ଆସିଛି ଯେଉଁଥିରେ ପୂର୍ବତନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ପୁଅ ତାଙ୍କ ପିତାଙ୍କ ପ୍ରଦତ୍ତ ରାୟକୁ ଖାରଜ କରିଦେଇଛନ୍ତି। 
ସୌଜନ୍ୟ: ଏନ୍‌ଡିଟିଭି


from Odisha Reporter https://ift.tt/2xGowh9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages