
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍ଧ୍ୟାଧୂପ ପରେ ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ବାସୁର ବଧ ବେଶ। ଏହି ବେଶରେ ପ୍ରମୁଖ ଭାବେ ସଜେଇ ହେବେ ପ୍ରଭୁ ଶ୍ରୀ ବଳଭଦ୍ର। ଜନ୍ମାଷ୍ଟମୀ ପରବର୍ତ୍ତି ସେବାଗୁଡିକ ମଧ୍ୟରେ ଏହା ହେଉଛି ଅନ୍ୟତମ ଆକର୍ଷଣୀୟ ବେଶ। ଶ୍ରୀ ବଳଭଦ୍ର ପ୍ରଳମ୍ବା ନାମରେ ଏକ ଅସୁରକୁ କିପରି ବଧ ବା ହତ୍ୟା କରିଥିଲେ ତାହାକୁ ମନେ ପକାଇବାକୁ ଏହି ବେଶ ଅନୁଷ୍ଠିତ ହୋଇଥାଏ।
କିଏ ଏହି ପ୍ରଳମ୍ବାସୁର- ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁସାରେ ଦ୍ୱାପର ଯୁଗରେ ବାଳୁତ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ କଂସ ଅନେକ ଅସୁରଙ୍କୁ ଗୋପକୁ ପ୍ରେରଣ କରୁଥିଲେ। ତନ୍ମଧ୍ୟରୁ ଜଣେ ଥିଲା ପ୍ରଳମ୍ବାସୁର। ଏକଦା କୃଷ୍ଣ ବଳରାମ ଦୁଇ ଭାଇ ନିଜ ସାଥିମାନଙ୍କ ସହ ଖେଳ ଖେଳୁଥିବା ବେଳେ ପ୍ରଳମ୍ବାସୁର ଏକ ଗୋପ ବାଳକ ରୂପେ ତାଙ୍କ ସହ ଖେଳିବାକୁ ଆସିଥିଲା। ଖେଳ ଖେଳରେ ସର୍ତ୍ତ ରହିଲା ଯିଏ ହାରିବ ସିଏ ବିଜେତା ବାଳକକୁ କାନ୍ଧରେ ବସାଇ ବୁଲାଇବ। ଏହି ସର୍ତ ପଛରେ ଉଦ୍ଦେଶ୍ୟ ମନ୍ଦ ଥିଲା। ଅସୁର ପ୍ରଳମ୍ବା ଚିନ୍ତା କରିଥିଲା କୃଷ୍ଣ ବଳରାମ ଦୁଇ ଭାଇଙ୍କଠାରୁ ବାଜି ହାରିଗଲେ ସେ ତାଙ୍କୁ କାନ୍ଧରେ ବହିନେବ ଆଉ ଅନ୍ତରୀକ୍ଷରେ ମାରି ପକାଇବ। କିନ୍ତୁ ଫଳ ଓଲଟା ହେଲା । ଶ୍ରୀ ବଳରାମ ବାଜି ଜିତିଥିବାରୁ ପ୍ରଳମ୍ବା ତାଙ୍କୁ କାନ୍ଧରେ ବସାଇ ନେଲା। ଛଦ୍ମବେଶୀ ଅସୁର ଶଙ୍କର୍ଷଣ ବଳଭଦ୍ରଙ୍କୁ କାନ୍ଧରେ ବସାଇ ନେବା ପରେ ଅନ୍ତରୀକ୍ଷକୁ ଉଡିବାକୁ ଆରମ୍ଭ କଲା। ମନ୍ଦ ଉଦ୍ଦେଶ୍ୟ ଜାଣିପାରି ପ୍ରଳମ୍ବାର ମଥାକୁ ବଳଭଦ୍ର ମାତ୍ର ଗୋଟିଏ ମୁଷ୍ଠି ବା ମୁଥା ପ୍ରହାର କରିଥିଲେ। ଯେଉଁଥିରେ ତାର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2wYFbf5
No comments:
Post a Comment